ପୃଷ୍ଠା:Alankara Bodhodaya.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୪
 

ପରମ ମାନ୍ୟବର, ଶ୍ରୀଳ ଶ୍ରୀଯୁକ୍ତ ବାମଣ୍ଡାଧିପତି ମହାରାଜ ସୁଢ଼ଳଦେବ
ମହୋଦୟ ମହନୀୟ ଚରିତେଷୁ

ସବିନୟ ନିବେଦନମିଦଂ-

ମହାରାଜ !
ଭବତ୍‌ପ୍ରେରିତ ଅଳଂକାର ବୋଧୋଦୟର ପାଣ୍ଡୁଲେଖ୍ୟ ଆଦ୍ୟୋପାନ୍ତ ପାଠକରି ଅତ୍ୟନ୍ତ ପ୍ରୀତ ହେଲି ।
ସାହିତ୍ୟ ଦର୍ପଣକୁ ଆଦର୍ଶରୂପେ ଅବଲମ୍ବନ କରି ଉକ୍ତ ଗ୍ରନ୍ଥ ରଚିତ ହୋଇଥିବାର ବୋଧହୁଅଇ । ଓଡ଼ିଆ ଭାଷାର କଥା ଦୂରେ ଥାଉ, ମୁଁ ବଙ୍ଗଳାରେ ସୁଦ୍ଧା ଏପରି ଅଳଂକାର ଗ୍ରନ୍ଥ ଅଦ୍ୟାବଧ ଦେଖିନାହିଁ । ଏହାର ରଚୟିତା ସଂସ୍କୃତ ଏବଂ ଓଡ଼ିଆ ଭାଷାରେ ବିଶେଷ ବ୍ୟୁତ୍ପନ୍ନ । ପରନ୍ତୁ ଏହି ଗ୍ରନ୍ଥ ପ୍ରଣୟନରେ କେତେ ପ୍ରୟାସ ସ୍ୱୀକୃତ ଓ କେତେ ଗ୍ରନ୍ଥ ଆଲୋଡ଼ିତ ହୋଇଅଛି ତାହା ଅନୁଭବ ବ୍ୟତୀତ ଅନ୍ୟଲୋକେ ବୁଝିପାରିବେ ନାହିଁ । କି ପ୍ରାଚୀନ କି ନବ୍ୟ ଉଭୟ ସାହିତ୍ୟ ଗ୍ରନ୍ଥରୁ ଉପଯୁକ୍ତ ଉଦାହରଣମାନ ସଂକଳନ କରି ଗ୍ରନ୍ଥକାର ଗ୍ରନ୍ଥକୁ ଉପଯୋଗୀ କରିବା ବିଷୟରେ ଅଣୁମାତ୍ର ତ୍ରୁଟି କରିନାହାନ୍ତି । ଅଧିକାଂଶ ଉଦାହରଣ ଉତ୍କଳ ଗ୍ରନ୍ଥରୁ ସଂକଳିତ ଏବଂଚ ଲକ୍ଷଣମାନଙ୍କର ଭାଷା ଆହୁରି ସହଜ ହୋଇଥିଲେ ଗ୍ରନ୍ଥ ଅଧିକତର ଉପଯୋଗୀ ହୁଅନ୍ତା ସତ୍ୟ – ମାତ୍ର ଭାଷା ଗ୍ରନ୍ଥରେ ସର୍ବ ପ୍ରକାର ଅଳଂକାରର ଓ ବିଶେଷତଃ ଶବ୍ଦାଳଂକାରର ଉଦାହରଣ ସୁଲଭ ନୁହେଁ, ତେଣୁ ଗ୍ରନ୍ଥକାର ଅଗତ୍ୟା ସଂସ୍କୃତ ଗ୍ରନ୍ଥର ଆଶ୍ରୟ ଗ୍ରହଣ କରିଅଛନ୍ତି, ପୁଣି ତଜ୍ଜନିତ ଅସୁବିଧା ନିରାକରଣାର୍ଥ ପ୍ରାୟ ପ୍ରତ୍ୟେକ ସ୍ଥଳରେ ସଂସ୍କୃତ ଶ୍ଳୋକମାନଙ୍କର ଅର୍ଥ ବିଶଦରୂପେ ବ୍ୟକ୍ତ କରିଅଛନ୍ତି ।
ଏହି ଗ୍ରନ୍ଥ ସମ୍ପୂର୍ଣ୍ଣ ହେଲେ ଉତ୍କଳ ଭାଷାର ଗୋଟିଏ ଅମୂଲ୍ୟ ସମ୍ପତ୍ତି ହେବ ଏହା ମୁଁ ମୁକ୍ତ କଣ୍ଠରେ କହିବାକୁ ପ୍ରସ୍ତୁତ ଅଛି ! ମୋହର କେବଳ ଏତିକି ବକ୍ତବ୍ୟ ଯେ ଗ୍ରନ୍ଥର ଅବଶିଷ୍ଟ ପରିଚ୍ଛେଦମାନଙ୍କରେ ପର୍ଯ୍ୟମାଣରେ ଉତ୍କଳ ଉଦାହରଣରେ ସନ୍ନିବେଶ ନିତାନ୍ତ ବାଞ୍ଛନୀୟ ।
ସଦା ବଶମ୍ବଦ
ଶ୍ରୀ ରାଧାନାଥ ରାୟ
JOINT INSPECTOR OF SCHOOLS, ORISSA
କଟକ
୫-୨-୮୬୬