ପୃଷ୍ଠା:Odishara Itihas.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୯
ଚତୁର୍ଥ ଅଧ୍ୟାୟ ।

ଓଡିଶାଧିପତିଙ୍କି ଆହ୍ୱାନ କରିଥିଲେ । ତେତେବେଳେ ବାହାମିନୀବଂଶୀୟ ମୁସଲମାନମାନଙ୍କର ଦକ୍ଷିଣଦେଶରେ ବିଶେଷ ପ୍ରାଧାନ୍ୟ ଲବ୍‌ଧ ହୋଇଥିଲା । କପିଳେନ୍ଦ୍ରଦେବ ଦାକ୍ଷିଣାତ୍ୟକୁ ସମରସଜ୍ଜା କରିଥିବା ସମୟରେ ହୁମାୟୁନ ସା ବାହାମିନୀ ସେଠା ସିଂହାସନରେ ଅଧିଷ୍ଠିତ ଥିଲେ । ତୈଲଙ୍ଗ ଓ ଉତ୍କଳ ସୈନ୍ୟ ସମବେତ ହୋଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ । ଯୁଦ୍ଧରେ ସେ (ହୁମାୟୁନ ) ପରାଭୂତ ହୋଇ ହିନ୍ଦୁ ସେନାନୀଙ୍କଦ୍ୱାରା ପ୍ରଧାବିତ ହେଲେ । ପୁଣି ଥରେ କପିଳେନ୍ଦ୍ର ତୈଲଙ୍ଗ କ୍ଷତ୍ରିୟଙ୍କ ସଙ୍ଗେ ସମ୍ମିଳିତ ହୋଇ ମୁସଲମାନଙ୍କ ହସ୍ତରୁ ସମଗ୍ର ରାଜ୍ୟ କାଢ଼ି ନେବା ଆଶାରେ ହୁମାୟୁନ ସାଙ୍କ ପୁତ୍ର ବାହାମିନୀ ରାଜା ନିଜାମ ସାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ । ଉତ୍କଳାଧିପଙ୍କ ଯାତ୍ରା ସେଥର କୁକ୍ଷଣରେ ଘଟିଥିଲା । ବାହାମିନୀ ରାଜାଙ୍କ ରାଜଧାନୀ ଅହମ୍ମଦାବାଦର ପାଞ୍ଚ କ୍ରୋଶ ଅନ୍ତରରେ ଓଡିଶାରାଜା ପ‌ହୁଞ୍ଚିବାର ନିଜାମ ସା ଶ୍ରବଣ କରି ତାଙ୍କ ନିକଟକୁ କହି ପଠାଇଲେ ଯେ “ବାହାମିନୀ ରାଜା ଓଡ଼ିଶା ଓ ଜାହାନ ନଗର ଅଧିକାର କରିବାର ବ‌ହୁକାଳରୁ ମନସ୍ଥ କରିଅଛନ୍ତି, କିନ୍ତୁ ଦୂର ହେତୁରୁ ଯାଇ ପାରୁ ନ ଥିଲେ । ତୁମ୍ଭେମାନେ ବର୍ତ୍ତମାନ ବିନଷ୍ଟ ହେବା ସକାଶେ ପାଖକୁ ଆସିଅଛ, ଏଣୁକରି ମୁସଲମାନମାନେ ବ‌ହୁ କଷ୍ଟରୁ ମୁକ୍ତିଲାଭ କଲେ । ଏହିପରି କହି ପଠାଇବାର କିଛିକାଳ ଉତ୍ତାରୁ ବାହାମିନୀ ରାଜ୍ୟର ପଠାଣ ଅଶ୍ୱାରୋହିମାନେ ଓଡିଶା ଓ ତୈଲଙ୍ଗର ହିନ୍ଦୁସେନାମାନଙ୍କୁ ଆକ୍ରମଣ କଲେ । ହିନ୍ଦୁସେନାଏ ଅକସ୍ମାତ୍ ଆକ୍ରମଣରେ ଚକିତ ହୋଇ ପୃଷ୍ଠଭଙ୍ଗ ଦେଲେ । ଅନନ୍ତର ଉତ୍କଳରାଜା ପାଞ୍ଚ ଲକ୍ଷ ମୁଦ୍ରା ପ୍ରଦାନ କରି ସନ୍ଧି କ୍ରୟ କଲେ ।
ଏଥି ଉତ୍ତାରୁ କିଛିକାଳ ଦାକ୍ଷିଣାତ୍ୟ ମୁସଲମାନମାନଙ୍କ ସଙ୍ଗେ କପିଳେନ୍ଦ୍ର ଦେବଙ୍କର ମିତ୍ରଭାବ ରକ୍ଷିତ ହୋଇଥିବାର ବୋଧ ହୁଅଇ । ଓଡ଼ିଶାର ଜଣେ ରାଜ୍ୟାପହାରକ‌କୁ ଦମନ କରିବା ସକାଶେ ବାହାମିନୀବଂଶୀୟ ରାଜା ସାହାଯ୍ୟ ପ୍ରଦାନ କରିଥିଲେ । କଥିତ ଅଛି ଓଡ଼ିଶା ରାଜାଙ୍କ ଶାସନାଧୀନ ଦାକ୍ଷିଣାତ୍ୟ ରାଜ୍ୟରୁ କିୟଦଂଶ ମଙ୍ଗଳ ରାୟ ନାମକ ଜଣେ ବ୍ୟକ୍ତି ସ୍ୱହସ୍ତଗତ କରିଥିବାରୁ ଓଡ଼ିଶା ନୃପତିଙ୍କର ବାନ୍ଧବ ଓ ସମ୍ଭବତଃ ଦାକ୍ଷିଣାତ୍ୟ ପ୍ରଦେଶଚୟର ଶାସନକର୍ତ୍ତା ଅମ୍ବର ରାୟ ତାହାକୁ ଦମନ କରିବାପାଇଁ ବାହାମିନୀ ରାଜା ମହମ୍ମଦ ସାଙ୍କଠାରୁ ଯଥେଷ୍ଟ ସହାୟତା ପ୍ରାପ୍ତ ହୋଇ ଉପକାରର ବିନିମୟରେ ବାହାମିନୀ ଅଧିପତିଙ୍କି ରାଜମହୀନ୍ଦ୍ରୀ ଓ କନ୍ଦାପଲି ନାମକ ଦୁର୍ଗଦ୍ୱୟ ଅର୍ପଣ କରିଥିଲେ । କିନ୍ତୁ ସେ ମିତ୍ରତା ଚିରବଦ୍ଧ ହୋଇଥିବା ପ୍ରାୟ ଜଣା ନ ଯାଏ । ଅଳ୍ପକାଳ ଉତ୍ତାରୁ