ପୃଷ୍ଠା:Odishara Itihas.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୫
ଚତୁର୍ଥ ଅଧ୍ୟାୟ ।

ଆଗମନ କରିଥିଲେ । ଓଡ଼ିଶାର ନାନା ସ୍ଥାନରେ ସୁମଧୂର ବୈଷ୍ଣବ ଧର୍ମ ନୂତନ ବେଶଭୂଷାରେ ମଣ୍ଡିତ ହୋଇ ପ୍ରଚାରିତ ହୋଇଥିଲା । ତାଙ୍କ ମଧୁର ବଚନରେ ମୁଗ୍‌ଧ ହୋଇ ରାଜ୍ୟର ଉଚ୍ଚ ଓ ନିମ୍ନ ଶ୍ରେଣୀର ଅନେକ ଲୋକେ ତାଙ୍କ ମତର ଅନୁଗାମୀ ହେଲେ । ତ‌ତ୍କାଳୀନ ସମସ୍ତ ଉଚ୍ଚ କର୍ମଚାରୀ, ମଧ୍ୟ ସ୍ୱୟଂ ରାଜା ଏହି ଧର୍ମର ଦୀକ୍ଷା ଗ୍ରହଣ କଲେ । ତାଙ୍କ ଯତ୍ନରେ ଜଗନ୍ନାଥ ମନ୍ଦିରର ଅନେକ


ଅସାଧାରଣ ପାଣ୍ଡିତ୍ୟ ଲଭିଥିଲେ । ପିଲା ଦିନେ ସେ କିଞ୍ଚିତ ଦୁଷ୍ଟ ଥିବାର ମଧ୍ୟ କଥିତ ଅଛି । ତାଙ୍କ ସମୟରେ ଶକ୍ତିଉପାସନାର ଅତ୍ୟନ୍ତ ପ୍ରାଦୁର୍ଭାବ ହୋଇଥିଲା । ଶ୍ରୀମଦ୍‌ଭାଗବତ ପଢ଼ି ଚୈତନ୍ୟଙ୍କ ମନ ବୈଷ୍ଣବ ଧର୍ମରେ ଦୃଢ଼ୀଭୂତ ହୋଇଥିଲା । କୃଷ୍ଣ ଓ ରାଧା ରୂପରେ ଈଶ୍ୱର ତାଙ୍କର ଆରାଧ୍ୟ ଥିଲେ । ହରି ନାମ ସଂକୀର୍ତ୍ତନରେ ସେ ସତ‌ତ ଲିପ୍ତ ଥିଲେ । ସେ ଜାତିଭେଦ ସ୍ୱୀକାର କରୁ ନ ଥିଲେ । କେତେକ ମୁସଲମାନମାନଙ୍କ ମନ ମୁଗ୍‌ଧ କରାଇ ସେମାନଙ୍କୁ ସେ ବୈଷ୍ଣବ କରାଇଥିଲେ । କଟକର ନିକଟବର୍ତ୍ତୀ ଜଣେ ମୁସଲମାନ‌କୁ ସୁଦ୍ଧା ସେ ବୈଷ୍ଣବ କରାଇଥିଲେ । ସେ ଆପଣାର ଯୁବତୀ ସ୍ତ୍ରୀ, ମାତା, ଗୃହ, ସମସ୍ତ ପରିତ୍ୟାଗ କରି ଧର୍ମପ୍ରଚାରାର୍ଥ ଦେଶ ବିଦେଶକୁ ବାହାରିଥିଲେ । ହୁସେନ ସା ଓଡ଼ିଶା ଆକ୍ରମଣ କରିବା ପୂର୍ବରୁ ଓଡ଼ିଶାରେ କେତେକ ଲୋକଙ୍କୁ ଶିଷ୍ୟ କରି ଦକ୍ଷିଣରେ ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ଯାଇଥିଲେ । ବାଟରେ କେତେକ ବୌଦ୍ଧ ଓ ବୌଦ୍ଧ ଆଚାର୍ଯ୍ୟଙ୍କୁ ଯୁକ୍ତିରେ ପରାସ୍ତ କରିଥିଲେ । ସେ ଉତ୍କୃଷ୍ଟ ତାର୍କିକ ଥିଲେ । ପୁଣି ଓଡ଼ିଶା ବାଟେ ବୃନ୍ଦାବନ ଗଲେ । ବାଟରେ ପଠାଣ ଓ ଭୀଲ ପ୍ରଭୃତି କେତେକ ବନ୍ୟ ଲୋକଙ୍କୁ ସ୍ୱମତାବଲମ୍ବୀ କରାଇଥିଲେ । ହୁସେନସାଙ୍କ ଓଡ଼ିଶା ଆକ୍ରମଣ ଉତ୍ତାରୁ ପ୍ରାୟ ଖ୍ରୀଷ୍ଟାବ୍ଦ ୧୫୧୫ ସରିକି ବୃନ୍ଦାବନରୁ ଫେରି ଆସି ପରୀଠାରେ ଜୀବନର ଅବଶିଷ୍ଟ ଦ୍ୱାଦଶ ବର୍ଷ କଟାଇଥିଲେ । ଗୃହତ୍ୟାଗୀ ହୋଇଥିଲେ ସୁଦ୍ଧା ମାତାଙ୍କ ପ୍ରତି ବଡ଼ ଭକ୍ତି ଥିଲା । ପୁରୀଠାରୁ ମାତାଙ୍କଠାକୁ ମହାପ୍ରସାଦ ପଠାଇଥିଲେ । ଓଡ଼ିଶାରେ ଜଗନ୍ନାଥଙ୍କ ଯୋଗୁଁ ସେ ବ‌ହୁକାଳ ରହିଥିଲେ । ଜଗନ୍ନାଥଙ୍କଠାରେ ତାଙ୍କର ଅବତାର ଜ୍ଞାନ ଥିବାର ବୋଧ ହୁଅଇ । ଜଗନ୍ନାଥଙ୍କ ପୂଜା, ସେବା, ରଥଯାତ୍ରା ଇତ୍ୟାଦିରେ ସେ ଅତ୍ୟନ୍ତ ଉତ୍ସାହ ଦେଖାଉଥିଲେ । ତାଙ୍କର ସଂକୀର୍ତ୍ତନ, ପ୍ରେମ ଓ ଅସାଧାରଣ ଭକ୍ତି ସମସ୍ତଙ୍କ ମନକୁ ମୁଗ୍‌ଧ କରିଥିଲା । କାହାରିଠାରେ ଜାତ୍ୟନ୍ତର କି ଭୀନ୍ନତାର ଭାବ ନ ରଖି କୁଷ୍ଠରୋଗୀଙ୍କ ସଙ୍ଗେ ସୁଦ୍ଧା ମିଶ୍ରିତ ହୋଇ ସେମାନଙ୍କୁ ଆଲିଙ୍ଗନ ଓ ଏକସଙ୍ଗେ ଆହାରାଦି କରୁଥିଲେ । ଯୋଗ ପାଞ୍ଚ ପ୍ରକାର ଓ ଭକ୍ତି ନବବିଧ ବୋଲି ସେ ପ୍ରଚାର କରିଥିଲେ ।