ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଚିକାଗୋ ବତ୍କୃତାମାଳା

ଭୂମିକା

୧୮୯୩ ଖ୍ରୀଷ୍ଟାବ୍ଦରେ ଚିକାଗୋରେ ଯେଉଁ ବିଶ୍ବମେଳା ହୋଇଥିଲା, ଧର୍ମମହାସଭା ସେହି ଉପଲକ୍ଷେ ଅନୁଷ୍ଠିତ ଗୋଟିଏ ସମ୍ମେଳନ । ପାଶ୍ଚାତ୍ୟ ଦେଶରେ ଆଜିକାଲି ଯେଉଁସବୁ ବିରାଟ ଆନ୍ତର୍ଜାତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥାଏ, ସେଗୁଡ଼ିକ ସହିତ ସାହିତ୍ୟ, କଳା ଏବଂ ବିଜ୍ଞାନ ସମ୍ମେଳନ ମଧ୍ୟ ସଂଶ୍ଳିଷ୍ଟ କରିବା ଗୋଟିଏ ରୀତି ହୋଇଉଠିଛି । ଯେଉଁ ବିଷୟଗୁଡ଼ିକ ମାନବର କଲ୍ୟାଣକାରୀ, ତାହାର ଇତିହାସରେ ଏହିପରି ପ୍ରତ୍ୟେକଟି ଅଧବେଶନ ଯେ ସ୍ମରଣୀୟ ହୋଇ ରହିବ, ତାହା ନିଃସନ୍ଦେହ । ଆନ୍ତର୍ଜାତିକ ପ୍ରଦର୍ଶନୀ ଉପଲକ୍ଷେ ମହାସମ୍ମେଳନରେ ମିଳିତ ମାନବମଣ୍ଡଳୀ ଚିକିତ୍ସା-ବିଜ୍ଞାନ, ଆଇନବିଦ୍ୟା, ଯନ୍ତ୍ରବିଜ୍ଞାନ ଏବଂ ଜ୍ଞାନର ଅନ୍ୟାନ୍ୟ ଶାଖାର ଗବେଷଣା ଓ କାର୍ଯ୍ୟକାରୀ ଆବିଷ୍କାରର ଆଦାନପ୍ରଦାନ ଇତ୍ୟାଦି ସକଳ ବିଷୟର ଉନ୍ନତି ସାଧନ କରିବା ହିଁ ସେମାନଙ୍କର ଲକ୍ଷ୍ୟ ବୋଲି ମନେ କରନ୍ତି । ମାର୍କିନ-ଜାତିର ସାହସ ଓ ମୌଳିକ ମନୋଭାବ ନେଇ କେବଳ ଚିକାଗୋବାସୀଗଣ ଭାବିବାକୁ ସମର୍ଥ ହୋଇଥିଲେ ଯେ ପୃଥିବୀର ପ୍ରଧାନ ଧର୍ମଗୁଡ଼ିକର ଏକତ୍ର ସମାବେଶ ଏହି ସମସ୍ତ ସମ୍ମେଳନ ମଧ୍ୟରେ ଶ୍ରେଷ୍ଠ ହେବ । ଏହି ସମସ୍ତ ଧର୍ମର ପ୍ରତିନିଧିଗଣ ନିଜ ନିଜ ଧର୍ମବିଶ୍ୱାସର ସମର୍ଥନରେ ଯେଉଁସବୁ ଯୁକ୍ତି ଉପସ୍ଥାପିତ କରିବେ, ଆନ୍ତରିକ ସହାନୁଭୂତି ସହକାରେ ତାହା ଶୁଣିବାକୁ ହେବ-ଏପରି ସଂକଳ୍ପ ମଧ୍ୟ କରାହୋଇଥିଲା । ଏହିପରି ଭାବରେ ସମ ମର୍ଯ୍ୟଦା ଓ ସୁନିୟନ୍ତ୍ରିତ ବାକ୍-ସ୍ବାଧୀନତା ମଧ୍ୟରେ ମିଳିତ ହୋଇ ପ୍ରତିନିଧିଗଣ ଯେଉଁ ସଂସଦ ଗଠନ କରିବେ, ତାହା ହିଁ ହେବ ଏକ ଧର୍ମ ମହାସଭା । ଫଳରେ ବିଭିନ୍ନ ଜାତିର ଧର୍ମଗୁଡ଼ିକ ମଧ୍ୟରେ ଭ୍ରାତୃଭାବପୂର୍ଣ୍ଣ ମିଳନର ପ୍ରୟୋଜନୀୟତା, ଜଗତର ମାନସପଟରେ ସୁସ୍ପଷ୍ଟ ଭାବରେ ଅଙ୍କିତ ହୋଇ ରହିବ । ପ୍ରତିନିଧି ପ୍ରେରଣ ନିମିତ୍ତ ଯେଉଁ ନିମନ୍ତ୍ରଣ ଓ ଯଥାରୀତି ନିର୍ବାଚନର ପ୍ରୟୋଜନ, ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥାଇ ଦକ୍ଷିଣ ଭାରତୀୟ ଅଳ୍ପ କେତେଜଣ ଶିଷ୍ୟ ତାଙ୍କ ଗୁରୁଦେବଙ୍କୁ ହିନ୍ଦୁଧର୍ମ ପକ୍ଷରୁ ବହୃତା ଦେବାର ପ୍ରୟୋଜନୀୟତା ବୁଝାଇବା ପାଇଁ

  *ପାଠକମାନଙ୍କର ଅବଗତି ନିମିତ୍ତ ଏଠାରେ ଉଲ୍ଲେଖ କରାଗଲା ଯେ, ଏହି ବିଶ୍ୱମେଳା ଉପଲକ୍ଷେ ଚାରୋଟି ସମାବେଶ ହୋଇଥିଲା ।