ପୃଷ୍ଠା:Odishara Itihas.pdf/୧୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୮
ଓଡ଼ିଶାର ଇତିହାସ ।

ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ମୋଗଲ ଶାସନକର୍ତ୍ତା ମୁନିମ ଖାଁଙ୍କ ମୃତ୍ୟୁ ଊର୍ତ୍ତାରୁ ପୁଣି ବଙ୍ଗଦେଶ ବିରୁଦ୍ଧରେ ଦାଉଦ ଯୁଦ୍ଧଯାତ୍ରା କଲେ । ବଙ୍ଗଦେଶ ତାଙ୍କର କରଗତ ହେଲା । ଆକବର ଇତିମଧ୍ୟରେ ହୁସେନ କୁଲିଖାଁ ନାମକ ତାଙ୍କର ଜଣେ ବିଖ୍ୟାତ ସେନାପତିଙ୍କି ବଙ୍ଗଳାର ଶାସନକର୍ତ୍ତା ନିଯୁକ୍ତ କରି, ସୁପ୍ରସିଦ୍ଧ ତୋଦରମଲଙ୍କୁ ତାଙ୍କ ସହିତ ଆଫଗାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ସକାଶେ ପଠାଇଲେ । ଆଗମହାଲ (ଅଜମହାଲ)ଠାରେ ଘୋର ଯୁଦ୍ଧ ହେଲା । ଓଡିଶାବିଜୟୀ ଆଫଗାନ ସେନାପତି କଳାପାହାଡ଼ ସେହି ଯୁଦ୍ଧରେ ଆହତ ହେଲେ । ପଠାଣ ସୈନ୍ୟମାନେ ପଳାୟନର ଉଦ୍‌ଯୋଗ କଲେ । ଦାଉଦ ଧରା ପଡିଲେ ଓ ତାଙ୍କର ମସ୍ତକ ଛେଦିତ ହୋଇ ଆକବରଙ୍କଠାକୁ ପ୍ରେରିତ ହେଲା । ୧୫୭୫ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ୧୨ ତାରିଖ ଦିନ ତୋଦରମଲଙ୍କ ବିଶେଷ ଯତ୍ନ ଯୋଗୁଁ ପୁଣି ମୋଗଲମାନେ ଆଗମହାଲଠାରେ ପଠାଣଙ୍କ ଉପରେ ଜୟଲାଭ କଲେ ।
ତଦନନ୍ତର ତୋଦରମଲ କେତେକ ହସ୍ତୀ ସହିତ ଆକବରଙ୍କର ଦରବାରକୁ ପ୍ରତ୍ୟାଗତ ହେଲେ । ସପ୍ତଗ୍ରାମ ନିକଟରେ ପୁଣି ଆଫଗାନ ବିଦ୍ରୋହୀଙ୍କ ସଙ୍ଗେ ହୁସେନ କୁଲିଖାଁଙ୍କର ଯୁଦ୍ଧ ହେଲା । ପଠାଣମାନେ ପୁଣି ଓଡ଼ିଶାକୁ ପଳାୟନ କଲେ । ଦୁଇବର୍ଷକାଳ ପଠାଣଙ୍କୁ ଦମନ କରିବାପାଇଁ ହୁସେନ କୁଲିଖାଁ ନିଯୁକ୍ତ ରହିଲେ । ବଙ୍ଗ ବେହାର ପରି ଓଡ଼ିଶାରେ ସୁଦ୍ଧା ମୋଗଲ ଆଧିପତ୍ୟ ସଂସ୍ଥାପିତ ହେଲା । କିନ୍ତୁ ଓଡିଶାରେ ସ୍ଥାୟୀ ମୋଗଲ ପ୍ରାଧାନ୍ୟ ସ୍ଥାପିତ ହେବାର ଆଉ କିଛିକାଳ ବିଳମ୍ବ ଥିଲା । ପରିଶେଷରେ ହୁସେନ କୁଲିଖାଁ ୧୫୭୮ ଖ୍ରୀଷ୍ଟାବ୍ଦରେ ଶରୀର ତ୍ୟାଗ କଲେ । ତାଙ୍କ ପଦରେ ମୁଜଫର ଖାଁ ବଙ୍ଗଳାର ଶାସନକର୍ତ୍ତା ନି‌ଯୁକ୍ତ ହେଲେ । ତ‌ହିଁ ଆର ବର୍ଷ (୧୫୭୯) ଆଫଗାନ ମାସୁମ ଖାଁ କାବୁଲିଙ୍କ ହସ୍ତରେ ଆକବର ଓଡିଶାର ଶାସନକର୍ତ୍ତୃତ୍ୱ ଭାର ଅର୍ପଣ କଲେ ।

ଆଫଗାନ ଜାଏଗିରଦାରଙ୍କର ବିଦ୍ରୋହ—କେତେକ ଆଫଗାନ ଉତ୍ତର ବଙ୍ଗଳା ଓ ଅନ୍ୟାନ୍ୟ ସ୍ଥାନରେ ମୋଗଲଙ୍କଠାରୁ ଜାଏଗିର ପ୍ରାପ୍ତ ହୋଇଥିଲେ । ମୋଗଲ କର୍ମଚାରୀ କେହି କେହି ସେ ଜାଏଗିରମାନଙ୍କରୁ କୌଣସି କୌଣସି ଅଂଶ ଆତ୍ମସାତ୍ କରିବାର ଚେଷ୍ଟା କଲାରୁ ଓ ମୁଜଫର ଖାଁ ବଙ୍ଗୀୟ ଶାସନକର୍ତ୍ତା ଜାଏଗିରଦାରଙ୍କଠାରୁ ଆୟ ବ୍ୟୟ ହିସାବ ମାଗିବାରୁ ଆଫଗାନମାନେ ଏକାବେଳକେ ବିଦ୍ରୋହୀ ହୋଇ ଉଠିଲେ । ଓଡ଼ିଶାର ଆଫଗାନ ଶାସନକର୍ତ୍ତା ମାସୁମ ଖାଁ କାବୁଲୀ ସେହି ବିଦ୍ରୋହରେ ନେତୃତ୍ୱ ଗ୍ରହଣ କରିଥିଲେ । ଓଡ଼ିଶାରୁ ସମସ୍ତ ମୋଗଲ କର୍ମଚାରିମାନେ ସେହି ସମୟରେ ତାଡ଼ିତ ହେଲେ । କୁତୁଲ ଖାଁ

Digitized by srujanika@gmail.com