ପୃଷ୍ଠା:Odishara Itihas.pdf/୧୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୯
ଷଷ୍ଠ ଅଧ୍ୟାୟ ।

ନାୟକ ଜଣେ ଲୋହାନି ଆଫଗାନ ସୁଦ୍ଧା ଓଡ଼ିଶା ସିଂହାସନ ଅଧିକାର କଲେ । ସେ ସପ୍ତଗ୍ରାମର ଶାସନକର୍ତ୍ତାଙ୍କୁ ପରାଭବ କରି ଦାମୋଦର ନ‌ଦୀ ପର୍ଯ୍ୟନ୍ତ ଆଫଗାନ ରାଜ୍ୟ ବିସ୍ତାର କଲେ । ଆଫଗାନ ବିଦ୍ରୋହୋମାନେ ସମବେତ ହୋଇ ବଙ୍ଗୀୟ ଶାସନକର୍ତ୍ତା ମୁଜଫର ଖାଁଙ୍କର ପ୍ରାଣ ବିନାଶ କଲେ । ବେହାର ସେମାନଙ୍କର ହସ୍ତଗତ ହେଲା । ଆକବର ଆଫଗାନଙ୍କର ବିଦ୍ରୋହାଚରଣ ବାର୍ତ୍ତା ଶ୍ରବଣ କରି ପୁନରାୟ ୧୫୮୦ ଖ୍ରୀଷ୍ଟାବ୍ଦରେ ରାଜା ତୋଦରମଲଙ୍କ ବଦ୍ରୋହନିବାରଣାର୍ଥ ବଙ୍ଗ ବେହାରର ଶାସନକର୍ତ୍ତା ନିଯୁକ୍ତ କରି ପଠାଇଲେ । ତୋଦରମଲ ପ୍ରଥମେ ଶତ୍ରୁପକ୍ଷ ସୈନ୍ୟଙ୍କର ରସଦ (ଖାଦ୍ୟୋପ‌ଯୋଗୀ ଦ୍ରବ୍ୟମାନ ) ବନ୍ଦ କରାଇଲେ । ଆଫଗାନମାନେ ନିରସ୍ତ ହେଲେ; ମୋଗଲ ସାମ୍ରାଜ୍ୟ ପୁନର୍ବାର ସ୍ଥାପିତ ହେଲା, ତୋଦରମଲ ଓଡିଶା ପର୍ଯ୍ୟନ୍ତ ଆଫଗାନଙ୍କର ପଶ୍ଚାତ୍ ପଶ୍ଚାତ୍ ଧାବମାନ ହେଲେ । ଆଫଗାନମାନେ ଇତସ୍ତତଃ ଓ ପାହାଡ଼ ଜଙ୍ଗଲ ମଧ୍ୟକୁ ପଳାୟନ କଲେ, କିନ୍ତୁ ସେମାନଙ୍କର ଅତ୍ୟାଚାର ଓ ଆକ୍ରମଣ ଏକାବେଳକେ ରହିତ ହେଲା ନାହି । ଲିଖିତ ଅଛି ଯେ କୁତୁଲ ଖାଁ ୧୫୮୧ ଖ୍ରୀଷ୍ଟାବ୍ଦରେ କିଆ ଖାଁ ଗଙ୍ଗ ନାମକ ଓଡିଶାର ଏକ ବ୍ୟକ୍ତିକି ଯୁଦ୍ଧରେ ପରାସ୍ତ କରିଥିଲେ ।

ତୋଦରମଲଙ୍କର ବନ୍ଦୋବସ୍ତ—ଯୁଦ୍ଧବିଦ୍ୟାରେ ବିଶାରଦ ଥାଇ ତୋଦରମଲ ଯେପରି ଯଶଃସ୍ୱୀ ହୋଇଥିଲେ, ରାଜସ୍ୱ ବନ୍ଦୋବସ୍ତ କାର୍ଯ୍ୟରେ ପଟୁତା ଓ କ୍ଷମତା ଦେଖାଇ ତଦପେକ୍ଷା ଅଧିକ ଯଶଃ ଓ ପ୍ରଶଂସା ସେ ସମ୍ଭୋଗ କରିଥିଲେ । ତାଙ୍କଦ୍ୱାରା ସମସ୍ତ ମୋଗଲସାମ୍ରାଜ୍ୟର ଜରୀପ ଓ ରାଜସ୍ୱ ନିର୍ଦ୍ଧାରଣ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ସେଥି ସଙ୍ଗେ ସଙ୍ଗେ ଓଡିଶାର ସୁଦ୍ଧା ରାଜସ୍ୱ ବନ୍ଦୋବସ୍ତ କରିଥିଲେ । ବାରଦସ୍ତୀ ପଦିକାରେ ସମଗ୍ର ଓଡ଼ିଶାକୁ ସେ ଥରେ ମ‌ପାଇ ଥିଲେ । ଉତ୍ତର ଓଡ଼ଶା, ଜଳେଶ୍ୱର, କଟକ, ଭଦରଖ ନାମକ ତିନି ସରକାରରେ ଓ ଦାକ୍ଷିଣାତ୍ୟ ଓଡ଼ିଶା କଳିଙ୍ଗ ଦଣ୍ଡପାଟ ଏବଂ ରାଜମହେନ୍ଦ୍ରୀ ନାମକ ଦୁଇ ସରକାରରେ ତାଙ୍କଦ୍ୱାରା ବିଭକ୍ତ ହୋଇଥିଲା । କିନ୍ତୁ ଶେଷୋକ୍ତ ଦୁଇ ସରକାର ନାମକୁ ମୋଗଲ ଓଡ଼ିଶା ସଙ୍ଗେ ସଂଭୁକ୍ତ ଥିଲା ବୋଲି କହିବାକୁ ହେବ; ଯେହେତୁ ଦାକ୍ଷିଣାତ୍ୟ ଓଡିଶାର ଅଧିକା°ଶ ଗୋଲକୁଣ୍ତାସ୍ଥ କୁତୁବସାହୀ ରାଜ୍ୟର ଅନ୍ତର୍ଗତ ହୋଇଥିଲା । ରାଜମହେନ୍ଦ୍ରୀ ସୁଦ୍ଧା ୧୫୭୧ ମସିହାରେ ଇବ୍ରାହିମ କୁତୁବସାଙ୍କଦ୍ୱାରା ଜିତ ହୋଇଥିବାର କଥିତ ଅଛି । ଉତ୍ତର ଓଡ଼ିଶାର ତିନି ସରକାରକୁ ତୋଦରମଲ ପୁଣି ୫୬ ମାହାଲରେ ବିଭକ୍ତ କରିଥିଲେ । ମେଦିନୀପୁର ଓ ନାରାୟଣପୁର ଜଳେଶ୍ୱର ସରକାରର ଅନ୍ତର୍ଗତ ଏବଂ ପୁରୀ ଜିଲା ଓ ଗଡ଼ଜାତର କିୟଦଂଶ କଟକ ସରକାରର ମଧ୍ୟଗତ ହୋଇଥିଲା । ଏଠାରେ

Digitized by srujanika@gmail.com