ପୃଷ୍ଠା:Odishara Itihas.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୪
ଓଡ଼ିଶାର ଇତିହାସ ।

ଜାହାଙ୍ଗିର ଉପାଧି ଘେନି ମୋଗଲ ସିଂହାସନରେ ଅଧିଷ୍ଠିତ ହେଲେ । ଜାହାଙ୍ଗିର ସମ୍ରାଟ ହୋଇ ମାନସିଂହଙ୍କୁ ବଙ୍ଗ ବେହାର ଓ ଓଡ଼ିଶାର ଶାସନକର୍ତ୍ତାରୂପେ ସ୍ଥିର କରିଥିଲେ । କିନ୍ତୁ ଅଳ୍ପକାଳ ମଧ୍ୟରେ ମାନସିଂହ ଆଗ୍ରାକୁ ପ୍ରତ୍ୟାଗତ ହେଲେ (୧୬୦୬) । ଅନ୍ୟ ଜଣେ ତାଙ୍କ ପଦରେ ନିଯୁକ୍ତ ହେଲେ । ୧୬୦୭ ମସିହାରେ ଓଡ଼ିଶାପାଇଁ ଜଣେ ସ୍ୱତନ୍ତ୍ର ଶାସନକର୍ତ୍ତା ନିଯୁକ୍ତ ହେବାର ଆରମ୍ଭ ହେଲା । ମଧ୍ୟ ସେ ସ୍ୱତନ୍ତ୍ର ଶାସନକର୍ତ୍ତାମାନେ ବଙ୍ଗଳା ସୁବାଦାରଙ୍କର ଆଜ୍ଞାଧୀନ ଥିଲେ ।

ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ଶାସନକର୍ତ୍ତା ହାସିମ ଖାଁ ଓ ଆଫଗାନ ବିଦ୍ରୋହହାସିମ ଖାଁ ପ୍ରଥମ ଓଡିଶାର ସ୍ୱତନ୍ତ୍ର ଶାସନକର୍ତ୍ତା ନିଯୁକ୍ତ ହେଲେ । କିଛିକାଳ ଉତ୍ତାରୁ ହାସିମ କାଶ୍ମୀର ରାଜ୍ୟକୁ ପ୍ରେରିତ ହୋଇ, ଓଡିଶାର ଭାର ରାଜା କାଲୀୟନ ମଲଙ୍କ ହସ୍ତରେ ଅର୍ପିତ ହେଲା (୧୬୧୧) ।

କାଲୀୟନ ମଲ ଓଡ଼ିଶାର ଶାସନଭାର ଲଭିଲା ଉତ୍ତାରୁ ପୁଣି ଓସମାନ ବିଂଶତି ସହସ୍ର ଦୃଢ଼କାୟ ପଠାଣକୁ ଘେନି ସମରକ୍ଷେତ୍ରରେ ଉପସ୍ଥିତ ହେଲେ । ସେ ସମୟର ବଙ୍ଗୀୟ ଶାସନକର୍ତ୍ତା ଇସଲାମ ଖାଁ ତାଙ୍କ ସେନାପତି ସୁଜାତ ଖାଁଙ୍କୁ ଆଫଗାନଙ୍କ ବିରୁଦ୍ଧରେ ପଠାଇଲେ । ସୁଜାତ ଖାଁ ପ୍ରଥମେ ବିପକ୍ଷଦଳଙ୍କୁ ଏକ ଧର୍ମାବଲମ୍ବୀ ଥିବାର ଓ ସମୟରେ ଲୋକେ ବଡ଼ ଛୋଟ ହୁଅନ୍ତି ବୋଲି ଅନେକ ବୁଝାଇ ଯୁଦ୍ଧରୁ ସେମାନଙ୍କୁ ନିବୃତ୍ତ ହେବାପାଇଁ ପ୍ରବର୍ତ୍ତାଇଲେ । ମାତ୍ର ପଠାଣଙ୍କୁ ବିଧି ବାମ ହୋଇଥିଲା । ସୁଜାତ ଖାଁଙ୍କ ଉପଦେଶ ସେମାନଙ୍କ କର୍ଣ୍ଣକୁ ମିଷ୍ଟ ଲାଗିଲା ନାହିଁ । ସୁବର୍ଣ୍ଣରେଖା ନ‌ଦୀତୀରରେ ଯୁଦ୍ଧ ହେଲା । ପଠାଣମାନେ ପରାଭୂତ ଓ ଓସମାନ ନିହତ ହେଲେ । ସୁଜାତ ଖାଁ & ଅଫଗାନମାନଙ୍କର ଭାବୀ ବଦ୍ରୋହନିବାରଣାର୍ଥ ସେମାନଙ୍କୁ ଏକ ସ୍ଥାନରେ ଦଳବଦ୍ଧ ହୋଇ ରହିବାକୁ ନ ଦେଇ ଭିନ୍ନ ଭିନ୍ନ ଗ୍ରାମରେ କରି ରଖାଇଲେ । ସୁତରାଂ ସେମାନେ ଓଡ଼ିଶାର ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହୋଇ ଏପରି ଭାବରେ ବାସ କଲେ ଯେ ୧୬୩୧ ଖ୍ରୀଷ୍ଟାବ୍ଦରେ ଜଣେ ପୋର୍ତ୍ତୁଗିଜ ଓଡ଼ିଶା ଦର୍ଶନ କରି ସମସ୍ତ ଓଡ଼ିଆଙ୍କୁ ମୁସଲମାନ ବୋଲି ବର୍ଣ୍ଣନା କରିଅଛନ୍ତି ।

୧୬୧୮ ମସିହାରେ ମୁଖାରାମ ନାମକ ଜଣେ ଓଡିଶାର ଶାସନକର୍ତ୍ତା ହେଲେ । ତାଙ୍କର ଖୋର୍ଦ୍ଧାରାଜା ପୁରୁଷୋତ୍ତମଦେବଙ୍କ ସଙ୍ଗେ ଯୁଦ୍ଧ ଘଟିଥିଲା । ସେଥିରେ ଖୋର୍ଦ୍ଧାରାଜାଙ୍କର ଖୋର୍ଦ୍ଧା ଛଡ଼ା ଅବଶିଷ୍ଟାଂଶ ମୋଗଲସାମ୍ରାଜ୍ୟର ଅନ୍ତର୍ଗତ ହୋଇଥିଲା ।