ପୃଷ୍ଠା:Odishara Itihas.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩୬
ଓଡ଼ିଶାର ଇତିହାସ ।

ଏକ ଗ୍ରାମକୁ ଯାଇ ଖଜଣା ଆଦାୟ କରିବାରେ ପ୍ରବୃତ୍ତ ହୋଇଥିଲେ ଓ ପୁଣି ଲିଖିତ ହୋଇଅଛି ଯେ, ସ୍ୱୟଂ ଖୋର୍ଦ୍ଧା ରାଜା ପୁରୀ ଦେଉଳସମ୍ବନ୍ଧୀୟ ଗୋଳମାଳରେ ଲୁପ୍ତ ଥିଲେ । ଏ ସବୁରେ ରାଜାଙ୍କ ଲିପ୍ତ ଥିବା କଥା କେତେଦୂର ସତ୍ୟାଶ୍ରିତ, ଜଗଦୀଶ୍ୱର ଜାଣନ୍ତି । ସମ୍ଭବତଃ ରାଜାଙ୍କର କେହି କେହି ଦୁଷ୍ଟ କର୍ମଚାରିମାନେ ରାଜାଙ୍କ ଅଜ୍ଞାତରେ ଏପରି ଅନ୍ୟାୟ ଓ କୁନୀତିଯୁକ୍ତ କାର୍ଯ୍ୟ ସବୁରେ ହସ୍ତକ୍ଷେପଣ କରିବେ । ଯାହାହେଉ ଉଲ୍ଲିଖିତ ହେତୁଚୟ ସମବେତ ହୋଇ ଗଞ୍ଜାମ କଟକରୁ ଖୋର୍ଦ୍ଧ। ବିରୁଦ୍ଧରେ ସୈନ୍ୟ ପ୍ରେରଣ କରିବା ସକାଶେ ଇଂରାଜକୁ ଉତ୍ତେଜିତ କଲା । ଇଂରାଜଙ୍କର ଯେଉଁ ଶିକ୍ଷିତ ସୈନ୍ୟଦଳ ପୃଥିବୀକି ଥରହର କମ୍ପାଇଅଛି, ଖୋର୍ଦ୍ଧା ପ୍ରାୟ ଏକ କ୍ଷୁଦ୍ରସ୍ଥାନର ରାଜା କି ସେଥି ସମ୍ମୁଖରେ ଦଣ୍ଡାୟମାନ ହୋଇ ପାରନ୍ତି ? ଇଂରାଜ ସୈନ୍ୟ ଖୋର୍ଦ୍ଧାଭିମୁଖୀ ହେବାର ସମ୍ବାଦ ପାଇ, ପ୍ରାଣ ବଞ୍ଚାଇବା ଅଭିପ୍ରାୟରେ ଖୋର୍ଦ୍ଧା ତ୍ୟାଗ କରି ରାଜା ଗୁପ୍ତ ସ୍ଥାନରେ ଲୁକ୍କାୟିତ ହେଲେ ଓ ଅବଶେଷରେ ସ୍ଥାନାନ୍ତରକୁ ପଳାଇବାର ଉଦ୍‌ଯୋଗ କରୁଥିବା ସମୟରେ ଇଂରାଜଙ୍କଦ୍ୱାରା ଧୃତ ହୋଇ କାରାରୁଦ୍ଧ ହେଲେ । ଖୋର୍ଦ୍ଧା ତଦନନ୍ତର ଇଂରାଜରାଜ୍ୟଭୁକ୍ତ ହେଲା । ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବ (୧୭୯୧-୧୮୧୦) କିଛି କାଳ କଟକ ଓ କିଛି କାଳ ମେଦିନୀପୁରଠାରେ କାରାରୁଦ୍ଧ ହୋଇ ରହିଲେ । ଦେଶଶାସନ—ମରହଟ୍ଟାମାନେ ଆମିଲ ନିଯୁକ୍ତ କରି ଯେପରି ରାଜସ୍ୱ ଆଦାୟ କରାଉଥିଲେ, ଓଡିଶାରେ ଇଂରାଜ ବୋର୍ଡ ଅବ୍ କମିଶନରସ୍ ରାଜସ୍ୱର ଉତ୍ତମ ବନ୍ଦୋବସ୍ତ ହେବାପର୍ଯ୍ୟନ୍ତ ସେହିପରି ଆମିଲଙ୍କଦ୍ୱାରା ରାଜସ୍ୱ ଆଦାୟ ହେବାର ଆଜ୍ଞା ପ୍ରଚାର କଲେ । ପ୍ରତି ମାସ ରାଜସ୍ୱ ଆଦାୟର ହିସାବ ଆମିଲମାନେ କଲେକ୍‌ଟରଙ୍କଠାକୁ ଓ କଲେକ୍‌ଟର କମିଶନରଙ୍କଠାକୁ ପଠାଇବାର ଆଦେଶ ଲଭିଲେ । ଓଡ଼ିଶା ଅଧିକାରଭୁକ୍ତ ହେଲା ଉତ୍ତାରୁ ଯାତ୍ରିକର ଜଗନ୍ନାଥ ଦେଉଳର ସବୁ ବିଷୟ ବୁଝିବାପାଇଁ ପୁରୀର ଜଣେ କଲେକ୍‌ଟର ନିଯୁକ୍ତ ହୋଇ ସେଠାକୁ ପ୍ରେରିତ ହେଲେ । ଗ୍ରିମ୍ ସାହେବ ଓଡ଼ିଶାର ପ୍ରଥମ ରାଜସ୍ୱ କଲେକ୍‌ଟର ନିଯୁକ୍ତ ହେଲେ । ତଦନନ୍ତର ୧୮୦୪ ସାଲର ୪ ଆଇନ ଅନୁସାରେ ସେହି ଖ୍ରୀଷ୍ଟାବ୍ଦର ଜୁନ ମାସରେ ଓଡ଼ିଶା ଦୁଇ ଜିଲ୍ଲାରେ ବିଭକ୍ତ ହୋଇ ରବର୍ଟ କର ସାହେବ ମହାନଦୀର ଉତ୍ତରଭାଗର ଓ ଚାର୍ଲସ ଗ୍ରିମ୍ ସାହେବ ଓଡ଼ିଶା ଦକ୍ଷିଣଭାଗର ଜ‌ଜ୍, କଲେକ୍‌ଟର ଓ ମେଜେଷ୍ଟରସ୍ୱରୂପ ନିଯୁକ୍ତ ହେଲେ ଏବଂ ବଙ୍ଗୀୟ ଫଉଜଦାରୀ ଓ ପୁଲିସ୍‌ସଂକ୍ରାନ୍ତ ସମସ୍ତ ଆଇନ ଓଡ଼ିଶାରେ ପ୍ରଚଳିତ ହେଲା । ପୁଣି ତହିଁ