ପୃଷ୍ଠା:Krutrima upagrahara jayajatra.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରକେଟ୍‌ ନିର୍ମାଣ କରାଯାଉଛି । ରକେଟ୍‌ ଗୋଟିଏ ଏକକ ଯନ୍ତ୍ର ନୁହେଁ । ଏଥିରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଖଞ୍ଜାଯାଇଥାଏ । ଥୁମ୍ବାର ଇଞ୍ଜିନିୟର ଓ ବୈଜ୍ଞାନିକମାନେ ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ନିରନ୍ତର ନାନା ଗବେଷଣାରେ ନିଯୁକ୍ତ ରହିଛନ୍ତି ।


ଇନ୍‌ସାଟ୍‌

କୃତ୍ରିମ ଉପଗ୍ରହ ଗବେଷଣା କେନ୍ଦ୍ରରେ ପ୍ରଭୂତ ସଫଳତା ଅର୍ଜନ କଲାପରେ ଭାରତ ନିଜସ୍ୱ ବହୁମୁଖୀ ଓ ଭୂସ୍ଥିର କୃତ୍ରିମ ଉପଗ୍ରହ ନିର୍ମାଣ କରିବାରେ ସଚେଷ୍ଟ ହେଲା । ଭାରତୀୟ ବିଜ୍ଞାନୀମାନଙ୍କର ନକ୍ସା ଅନୁସାରେ ଆମେରିକାରେ ଏହି ବିରାଟ ଉପଗ୍ରହଟି ନିର୍ମିତ ହୋଇଥିଲା । ତେଣୁ ଏହା ଭାରତୀୟ ଜାତୀୟ କୃତ୍ରିମ ଉପଗ୍ରହ (Indian National Satellite) ନାମରେ ବିଖ୍ୟାତ । ଏହା ସର୍ବଦା ଭାରତବର୍ଷକୁ ମୁହଁ କରି ମହାଶୂନ୍ୟରେ ଅବସ୍ଥାନ କରିଥାଏ । ଏହା ଭ୍ରମଣଶୀଳ ହେଲେ ହେଁ, ପୃଥିବୀର ଗତି ସହିତ ସମତା ରକ୍ଷା କରି ପରିକ୍ରମା କରୁଥିବାରୁ ତାକୁ ଭୂସ୍ଥିର ବୋଲି କୁହାଯାଏ । ସୁତରାଂ ଯୋଗାଯୋଗ କ୍ଷେତ୍ରରେ ଏହା ଖୁବ୍‌ ସୁବିଧାଜନକ ହୋଇଥାଏ ।

ପ୍ରଥମ ଇନ୍‌ସାଟ (INSAT-IA) ଉପଗ୍ରହଟି ୧୯୮୨ ମସିହା ଅପ୍ରେଲ ମାସ ୩୦ ତାରିଖରେ ମହାଶୂନ୍ୟକୁ ପଠାଯାଇ ନିଜ କକ୍ଷପଥରେ ଅବସ୍ଥାପିତ ହୋଇଥିଲା । ମାତ୍ର କେତେକ ଯାନ୍ତ୍ରିକ ତୃଟି ଯୋଗୁଁ ଏହା ଅଚଳ ହୋଇ ପଡ଼ିଥିଲା । ତାପରେ ଦ୍ୱିତୀୟ ଇନ୍‌ସାଟ ୧୯୮୩ ମସିହା ଅଗଷ୍ଟ ୩୦ ତାରିଖରେ ସଫଳତାର ସହିତ ମହାକାଶକୁ ପଠାଯାଇଥିଲା । ତାପରେ ତୃତୀୟ ଇନ୍‌ସାଟ୍‌ ମହାକାଶକୁ ପ୍ରେରଣ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ନିଯୁକ୍ତ ହୋଇ ଆସିଛି । ଏଗୁଡ଼ିକ ପୃଥିବୀଠାରୁ ୩୫,୭୮୪ କି.ମି. ଦୂରରେ ରହିଛି ଏବଂ ପ୍ରାୟ ସାତବର୍ଷ ପାଇଁ କାର୍ଯ୍ୟ କରିବାକୁ ଉପଯୁକ୍ତ କରାଯାଇଥିଲା । ମାତ୍ର ଏସବୁର ନିର୍ମାଣଠାରୁ ପ୍ରେରଣ ଯାଏ, ନିର୍ଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ ହେବାଠାରୁ ଉଦ୍ଦିଷ୍ଟ କାର୍ଯ୍ୟମାନ କରିବା ଯାଏ ନାନା ପ୍ରତିବନ୍ଧକର ସମ୍ମୁଖୀନ ହୋଇଥାଏ । ଏହି ଇନ୍‌ସାଟ୍‌ ଉପଗ୍ରହମାନ ଯୁକ୍ତରାଷ୍ଟ୍ର ଆମେରିକା ସହି ଚୁକ୍ତିପତ୍ର କରିବା ଅନୁସାରେ ସେଠାରେ ଉତ୍‌କ୍ଷେପଣଘାଟୀରୁ ମହାକାଶକୁ ପଠାଯାଇଥିଲା ।