ପୃଷ୍ଠା:Odishara Itihas.pdf/୧୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୩
ଷଷ୍ଠ ଅଧ୍ୟାୟ

ମୁସଲମାନମାନେ ଓଡ଼ିଶାରେ କୌଣସି ବକ୍ତ ପ୍ରସ୍ତୁତ କରିଥିଲେ କି ନାହିଁ ସେଥିର କୌଣସି ନିଦର୍ଶନ ଆମ୍ଭେମାନେ ପ୍ରାପ୍ତ ହୋଇ ନାହୁଁ । ମୁର୍ଶିଦ କୁଲି ଖାଁ ଓଡ଼ିଶାରୁ ବଙ୍ଗଦେଶ ପର୍ଯ୍ୟନ୍ତ ଡ଼ାକ ଚଳାଇଥିବାର ଲିଖିତ ଅଛି । କିନ୍ତୁ ସେ କିପରି ଡ଼ାକ, ଆମ୍ଭେମାନେ ତାହା ବିଶେଷରୂପେ କହିବାକୁ ଅସମର୍ଥ ।
ଉତ୍କଳ ଭାଷା, ଗ୍ରନ୍ଥକାର ଓ ଜ୍ଞାନ‌ଚର୍ଚ୍ଚା—ଉତ୍କଳ ଭାଷା ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଉତ୍ପନ୍ନ ଓ ଉନ୍ନତ ହେବାକୁ ଆରବ୍‌ଧ ହୋଇ କ୍ରମେ ସେଥିର ଚର୍ଚ୍ଚା ବିଶେଷରୂପେ ବର୍ଦ୍ଧିତ ହୋଇଥିଲା । ଦେଶୀୟ ଲୋକେ ଅନେକେ କବିତା ଲେଖିବାର ଅଭ୍ୟାସ କରିଥିଲେ । ଅନେକ କବି ମଧ୍ୟ ଖ୍ୟାତନାମା ହୋଇ ଜାତ ହୋଇଥିଲେ । ସୁପ୍ରସିଦ୍ଧ କବି ଉପେନ୍ଦ୍ରଭଞ୍ଜ ଓ ଦୀନକୃଷ୍ଣଦାସ ମୁସଲମାନ୍‌ମାନଙ୍କ ଶାସନ ସମୟରେ ଓଡ଼ିଆ ଭାଷାରେ କବିତା ଲେଖିଥିଲେ । ଉପେନ୍ଦ୍ରଭଞ୍ଜ ଦିବ୍ୟସିଂଦ ଦେବଙ୍କ ସତେଇଶ ଅଙ୍କରେ ‘ରସଲେଖା’ ପୁସ୍ତକ ରଚନା କରିଥିଲେ ବୋଲି ଭଣିଅଛନ୍ତି । କୌଣସି ଓଡ଼ିଶା ରାଜାଙ୍କ ୨୭ ଅଙ୍କ ୨୧ ବର୍ଷ ହେଉଅଛି । ଓଡ଼ିଶାର ତିନି ଦିବ୍ୟସିଂହ ରାଜାଙ୍କ ମଧ୍ୟରୁ ପ୍ରଥମ ଦିବ୍ୟସିଂହଙ୍କ (୧୬୯୦-୧୭୧୩) ବ୍ୟତୀତ ଆଉ କେହି ଏକୋଇଶ ବର୍ଷ ରାଜତ୍ୱ କରି ନାହାନ୍ତି । ଉପେନ୍ଦ୍ରଭଞ୍ଜ ଗଞ୍ଜାମର ଅନ୍ତଃପାତୀ ଘୁମୁଷର ଗଡ଼ର ରାଜା ଥିଲେ । ସେ ୫୨ ଖଣ୍ଡି ଛାନ୍ଦପୋଥି ଓ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର କବିତା ରଚନା କରିଅଛନ୍ତି । ବୈଦେହୀଶବିଳାସ ତାଙ୍କର ଉତ୍କୃଷ୍ଟ କାବ୍ୟ ବୋଲି ଦେଶରେ ପ୍ରସିଦ୍ଧ । ତାଙ୍କ ରଚନାର ଅଧିକାଂଶ ଭାଗ ଅଶ୍ଳୀଳ ଓ ଶବ୍ଦାଡ଼ମ୍ବରରେ ପରିପୂରିତ । ସେ ଭାବ ଅପେକ୍ଷା ଶବ୍ଦଚାତୁର୍ଯ୍ୟର ଅଧିକ ପ୍ରିୟ ଥିଲେ । ଆଧୁନିକ ଭାବପ୍ରିୟ ଶତାବ୍ଦୀକୁ ତାଙ୍କର ଶବ୍ଦାଡ଼ମ୍ବରଯୁକ୍ତ କବିତାଚୟ ରୁଚିସଙ୍ଗତ ହେଉ ନାହଁ; ମାତ୍ର ଉପେନ୍ଦ୍ରଙ୍କ ପ୍ରଶଂସାରେ ଆହୁର ପଦେ ବକ୍ତବ୍ୟ ଏହି ଯେ, ସେ ଯେଉଁଠାରେ ସରଳ ବାକ୍ୟମାନ ବ୍ୟବହାର କରି ରଚନା କରିଅଛନ୍ତି, ସେ ସ୍ଥଳମାନ ମଧୁର ଓ ଭାବ‌ଯୁକ୍ତ ହୋଇଅଛି । ଫଳତଃ ଉପେନ୍ଦ୍ରଭଞ୍ଜଙ୍କର କବିତ୍ୱଶକ୍ତି ଊଣା ନ ଥିଲା; ମାତ୍ର ସଦ୍‌ରୂଚିର ଅଭାବ ଥିଲା । ଦୀନକୃଷ୍ଣଦାସ ଉପେନ୍ଦ୍ରଭଞ୍ଜଙ୍କର ସମକାଳୀନ ଥିଲେ ବୋଲି ଦେଶର ପ୍ରବାଦ ପ୍ରଚଳିତ ଅଛି । ସେ ଜଣେ ବୈଷ୍ଣବ ଥିଲେ । ରସକଲ୍ଲୋଳ ତାଙ୍କର ପ୍ରଧାନ ଗ୍ରନ୍ଥ । ରସକଲ୍ଲୋଳ ପରି ସୁଲଳିତ ରଚନା ଉତ୍କଳ ଭାଷାର ଅନ୍ୟ କୌଣସି ଗ୍ରନ୍ଥରେ ଦୃଷ୍ଟ ହୁଅଇ ନାହିଁ । ମଧ୍ୟ ଦୀନକୃଷ୍ଣଙ୍କ ରଚିତ ଆର୍ତ୍ତ‌ତ୍ରାଣ ପରି ଚଉତିଶା ଉତ୍କଳ ଭାଷାରେ ଅତି ବିରଳ ।
ଗଙ୍ଗାବଂଶୀୟ ରାଜାଙ୍କ ସମୟରୁ ଟୋଲ ରୀତିର ଅନୁକରଣରେ ଓଡ଼ିଆ ଶିକ୍ଷାର ସୁବିଧାର୍ଥ ଚାଟଶାଳୀମାନ ସୃଷ୍ଟ ହୋଇଥିବାର ଅନୁମିତ ହୁଅଇ । ନାୟକ