ପୃଷ୍ଠା:Kathalahari (RN Das, 1927) opt.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୫
ମଊନାବତୀ କଥା ।

ବରକନ୍ୟା ଘରକୁ ଆସିଲେ, ଚତୁର୍ଥୀଦିନ ରାତିରେ ରଜାପୁଅ ସେ ରଜାଝିଅକୁ କହିଲା, ମୁଁ ପରା ତମକୁ ଦଶବିଧା ମାରିବି ଆସ । ରଜାଝିଅ କହିଲା ହଁ ମାରିବ ଯେ, ମୁଁ ଯୋଉ କଥାଟି କହୁଚି ତା ଯେବେ କରିପାରିବ ତେବେ ମାରିବ । ଏ ପଚାରିଲା କଥାଟି କଣ ? ରକାଝିଅ କହିଲା, ସେ ଦେସର ରଜାଝିଅ ମଉନାବତୀ ଅଛି, ତାକୁ ଯେ କଥା କୁହାଇବ ସେ ତାକୁ ବିଭା ହେବ, ତମେ ଯେବେ ତାକୁ କଥା କୁହାଇ ପାରିବ,ତେବେ ମତେ ଦଶବିଧାମାରିବ । କିଛିଦିନ ଗଲା, ରଜାପୁଅ ମଊନାବତୀ ଦେଶକୁ ବାହାରିଲା, କେତେ ଦିନପରେ ମଊନାବତୀ ନଗରରେ ପହଞ୍ଚିଲା । ସେଠାରେ ଦୁଇ ଏକ ଦିନ ରହି ମଊନାବତୀପୁରକୁ ଗଲା, କହିଲା ଧାଈ, ତମ ଝିଅ କଣ ଆମକୁ କଥା କହିବେ ନାହିଁ ? ଧାଈ କହିଲା, ଏପରିତ କେତେ୨ ରଜା ଆସି ବନ୍ଦୀଘରେ ପଡିଚନ୍ତି, ବିଭା ହୋଇ ପାରି ନାହାନ୍ତି, ସେମାନେ ତ ପଦେ କଥା କେହି ନେଇପାରିଲେ ନାହିଁ, ଆଉ ତମେ ଗୁଡ଼ାଏ ନେବ; ହଉ ଦେଖ । ରାତି ପାହିଗଲା, ଏ ରଜାପୁଅ ଆଉ କଥା ନେଇପାରିଲା ନାହିଁ, ତାକୁ ନେଇ ବନ୍ଦୀଘରେ ରଖିଲେ । ଏଣେ ଏ ରଜାଝିଅ (ତାର ଭାରିଜା) କଣ କଲା- କିଛି ଦିନ ଚାହିଁଲା[୧], ଯୋଉଠୁ ରଜାପୁଅ ନ ଆସିଲା, ଗୋଟାଏ ମରଦ ଅବେଶ ଧରିଲା, ଘୋଡ଼ାରେ ଚଢି ମଊନାବତୀ ଦେଶକୁ ବାହାରିଲା । ଯାଉଚି, ବାଟରେ ଅସୁର ଚାରିଟା ପଶା ଖେଳୁଚନ୍ତି ଯେ କେହି ଜିତି ପାରୁନାହାନ୍ତି କି ହାରୁନାହାନ୍ତି । ୟାକୁ ଦେଖି ସେମାନେ କହିଲେ, ହେ ! ଆମକୁ ଟିକିଏ ଜିତାଇ ଦିଅ, ଆମେ ତମକୁ ଖାଇବୁ ନାହିଁ । ଏ ସେଠାରେ ବସିଲା, ବାଜିଏ ୟାଙ୍କୁ ଜିତାଇଦେଲା,ବାଜିଏ ତାଙ୍କୁ ଜିତାଇଦେଲା, ଏହିପରି ସମସ୍ତକୁ ଖୁସି କରିଦେଲା, ସେଉଠୁ ବାହାରିଲା କହିଲା ମୋର ଗୋଟାଏ କାଲ ଅଛି, ମୁଁ ଯାଉଚି ।


  1. ଅପେକ୍ଷା କଲା ।