ପୃଷ୍ଠା:Asha Tara Dekhiba.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବହିଟି ବିଷୟରେ ଦୁଇପଦ....

ଏହି ବହିଟି ଅନେକ ବର୍ଷର ଚିନ୍ତା ଓ କାମର ଫଳ । ନିଜ ନିଜର ଆକାଶ ଦେଖା ଆଗ୍ରହକୁ ନେଇ ସୃଜନୀକାର କେତେ ସାଥୀ ଏହାର ମୂଳଦୁଆ ପକାଇଛନ୍ତି । ୧୯୯୨ ଶେଷ ବେଳକୁ ଧୂମକେତୁ ସ୍ୱିଫ୍ଟ-ଟଟଲ୍ (ଯାହାକି ପୃଥିବୀକୁ ଦିନେ ଧ୍ବଂସ କରିବ ବୋଲି ଆଶଙ୍କା ଉଠିଥିଲା) ଖୋଜାରୁ ନିତି ଦିନ ତାରା ଦେଖା ଚାଲିଲା । ଧୂମକେତୁଟିର ଦେଖା ମିଳିଲା ନାହିଁ, କିନ୍ତୁ ତାରାମାନଙ୍କ ସହିତ ପରିଚିତି ବେଶ ବଢ଼ିଗଲା । ତାରା ଦେଖାର ମଜା ଅନ୍ୟମାନଙ୍କୁ ଚଖାଇବା ଯୋଜନା ଚାଲିଲା


ସମସ୍ତେ ଭାବନ୍ତି ପୋଥି ବାଇଗଣ ସହଜ କାମ - ବାଡି ବାଇଗଣ ଅଡୁଆ । କିନ୍ତୁ ଆମେ ଦେଖିଲୁ ଏହା ଓଲଟା । ତାରାମାନଙ୍କୁ ଚିହ୍ନିବା ବେଶ୍ ସହଜ ହୋଇଗଲା, କିନ୍ତୁ ଲେଖି ବସିଲା ବେଳକୁ ବତୀରୁ ତେଲ ସରିଲା, ଚିରା କାଗଜରେ ଅଳିଆ ବାକ୍ସ ଭରିଲା, ହେଲେ ଅନ୍ୟ କେହି ବୁଝିଲା ଭଳି ରଚନା ବାହାରିଲା ନାହିଁ ।


ଆହୁରି କେତେ ଅସୁବିଧା ଆସିଲା । ଓଡିଶା ଅଞ୍ଚଳ ପାଇଁ ତାରା ମାନଚିତ୍ର ଆଗରୁ କରା ହୋଇ ନ ଥିଲା । କିନ୍ତୁ କିଛି ଚେଷ୍ଟା ପରେ ଏହା କରା ଯାଇ ପାରିଲା । ଅନେକ ତାରା ଓ ତାରାମଣ୍ଡଳର ଓଡିଆ ନା ନଥିଲା ବା ଖୋଜି ପାଇବା ଆମ ପାଇଁ କଷ୍ଟକର ହେଲା । ଏଥିରେ ଆମକୁ ଅନ୍ୟ ଭାରତୀୟ ଭାଷା - ବିଶେଷ କରି ମରାଠି ଓ ବଙ୍ଗଳୀର ସାହାଯ୍ୟ ମିଳିଲା । ଏହି ନାଁ ଗୁଡିକ ପ୍ରାୟ ମୂଳ ସଂସ୍କୃତରୁ ଆସିଛି । ତେଣୁ ଭାରତୀୟ ନାଁ ହିସାବ ରେ ଆମେ ଏ ସବୁକୁ ଗ୍ରହଣ କରି ନେଇଛୁ । ଯେଉଁଠାରେ କୌଣସି ଭାରତୀୟ ନାଁ ମିଳି ପାରିନାହିଁ ସେଠାରେ ଆମେ ଗୃହୀତ ଆନ୍ତର୍ଜାତିକ ବା ପ୍ରଚଳିତ ଇଂରାଜୀ ନାଁର ଛାୟାରେ କିଛି ନାଁ ବାଛି ନେଇଛୁ ।


ପୂରା ଯୋଜନାଟି ମୋଟାମୋଟି ରୂପ ନେବା ପରେ ୧୯୯୩ ଜୁଲାଇଠାରୁ ଏହା ଧାରାବାହିକ ଭାବରେ ବିଜ୍ଞାନ ତରଙ୍ଗରେ ବାହାରି ଆସୁଛି । ସେଥିରୁ ମିଳିଥିବା ପ୍ରତିକ୍ରିୟା ସବୁର ଛାପ ଏ ବହିଟିରେ ରହିଛି । ତଥାପି ଆହୁରି ଅଧିକ ପ୍ରତିକ୍ରିୟା ଆସିବ ବୋଲି ଆମର ଆଶା । ତେଣୁ ବର୍ତ୍ତମାନ ପାଇଁ ବହିଟିକୁ ଗୋଟିଏ ‘ଚିଠା' ଭାବରେ ପେଶ୍ କରୁଛୁ । ଆଶା କରୁଛୁ ଯେ ଏହା ତାରାଦେଖାଳୀଙ୍କ ସଂଖ୍ୟା ଓ ଆଗ୍ରହ ବଢାଇବା ସହିତ ତାରଲେଖାଳୀଙ୍କୁ ଏକଜୁଟ କରାଇବ। ଏହା ହେଲେ ହିଁ କାମଟି ଆଗେଇ ପାରିବ ।