ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆଦ୍ୟକାଣ୍ଡ




[୧]ଏ ମୋର କୁମର ଚାରି ହେ , ଚରୁଅନ୍ନ ଅବତରି |
ଅଳପ ଅଳପ କିଶୋର ବୟସ ନ ଜାଣନ୍ତି ଧନୁ ଧରି ହେ ||

ଶୁଣି ପର୍ଶୁରାମ ତେଜ ଯେ,ବୁଲାଇ ନେତ୍ର ସରୋଜ |
ଶିବଧନୁ ଭାଙ୍ଗି ସୀତାକୁ ନେଉଛ ଆମ୍ଭ ଧନୁ ଧରୁ ଆଜ ଯେ ||

ଶୁଣିକରି ନୃପବର ଯେ , ଭେଟାଇଲେ ଚାପଧର |
ଧନୁ ବଢ଼ାଇ ଦିଅନ୍ତେ ପର୍ଶୁଧର [୨] ନିଜ ତେଜ ଗଲା ତାର ଯେ ||

ରାମ ଧରି ତା କୋଦଣ୍ଡ ଯେ , ସ୍ୱର୍ଗକୁ ବିନ୍ଧିଲେ କାଣ୍ଡ [୩]|
ବୋଲେ ବିଶି ପର୍ଶୁଧର ହାରିଗଲା ପାଇଲା ଉଚିତ ଦଣ୍ଡ ଯେ ||

ରାଗ - ମୁଖାରୀ ପହପଟ୍ଟ



ପର୍ଶୁରାମ [୪] ଧନୁ ରାମ ଧରିବାର ଦେଖି |
ମନୋଦୁଃଖେ ମାନଭର ଚନ୍ଦ୍ରମୁଖୀ ରେ ||

ଟେକ ସଖି ଟେକ ଏବେ ଶଶିଜିତ ମୁଖ |
ଜିଣିବାକୁ ଆସିଥିଲେ ପର୍ଶୁଧର ଦେଖା ରେ ||

ବିମ୍ବାଧର ତୋ ବିମୁଖ ମୋତେ ବହୁ ଦୁଃଖ |
ସୁଖଦାୟିନୀ ତୋ ବିନୁ ନାହିଁ ଆନ ମୁଖ [୫] ରେ ||

ପ୍ରଦୀପ ଛୁଆଁଇ କରାଇଛୁ ଯେଉଁ ସତ୍ୟ |
କରିଥାଅ ସଖି ତୁହି ସେହି କଥା ତଥ୍ୟ [୬] ରେ ||

ଶୁଣି ରାମ ରମ୍ୟ ବାଣୀ ରମଣୀ [୭] ରତନ |
ଆନନ୍ଦ ହୋଇ ଟେକିଲେ ଚନ୍ଦ୍ରମା ବଦନ ରେ ||

  1. ଏହି ପଦ ଠାରୁ ଅର୍ଥାତ " ଏ ମୋର କୁମର ...... ଠାରୁ ପାଇଲା ଉଚିତ ଦଣ୍ଡ ପର୍ଯ୍ୟନ୍ତ ପାଠ ପ୍ରକାଶିତ ପୁସ୍ତକରେ ନାହିଁ | ତା' ସ୍ଥାନରେ ଦ୍ୱିଜ ପଦ୍ମନାଭଙ୍କ ରଚିତ ଦୀର୍ଘ ପଦାବଳୀ ରହିଛି |
  2. ପ୍ରଶୁଧର ପୋଥି ପାଠ |
  3. ମହାକବି ସାରଳା ଦାସଙ୍କ ସପ୍ତକାଣ୍ଡ ରାମାୟଣରେ , ରାମଚନ୍ଦ୍ର ପର୍ଶୁରାମଙ୍କ ଧନୁରେ ଗୁଣ ଦେଇ ସମୁଦ୍ରସ୍ଥିତ ରାଘବ ବାଳିଆ ମାଛକୁ ଶର ସନ୍ଧାନ କରିଛନ୍ତି |
  4. ପ୍ରଶୁଧର ପୋଥି ପାଠ |
  5. 'କିଛି ନାହିଁ ସୁଖ ' ପୁସ୍ତକ ପାଠ |
  6. 'ସେହି କଧାକୁ ତୁ ତତ୍ତ୍ୱ ' ପୁସ୍ତକ ପାଠ |
  7. ଯୁବତୀ ପୋଥି ପାଠ |