ପୃଷ୍ଠା:Krutrima upagrahara jayajatra.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିନ୍ତୁ ଆଖି ପିଛୁଳାକେ ଘଟିଯାଏ । ସେଥିପାଇଁ କେଟୋଟି ସେକେଣ୍ଡ ମଧ୍ୟ ଯଥେଷ୍ଟ ! ଏହା ଫଳରେ ଭୁବନେଶ୍ୱରରୁ ଭବାନୀପାଟଣା ମଧ୍ୟରେ ଆମେ ଟେଲିଫୋନ୍‌ରେ କଥାବାର୍ତ୍ତା କରିବାକୁ ଯେତିକି ସମୟ ଲାଗେ, ପାଟଣାରୁ ପ୍ୟାରିସ୍‌ ସହରର କୌଣସି ଲୋକ ସହିତ ଯୋଗାଯୋଗ କରିବାରେ ତାଠାରୁ ଅଧିକ ସମୟ ଲାଗେ ନାହିଁ । ଟେଲିଫୋନ୍‌ ସେବା ସତେ କେତେ ସହଜ ଓ ସୁବିଧାଜନକ ହୋଇଛି ।

କୃତ୍ରିମ ଉପଗ୍ରହ ଯୋଗୁଁ ପୃଥିବୀ ଆଜି ସଙ୍କୁଚିତ ହୋଇଯାଇଛି । ଯୋଗାଯୋଗ ଯେପରି ସହଜସାଧ୍ୟ ହୋଇପାରିଛି । ପାଣିପାଗ ସମ୍ପର୍କରେ ନିର୍ଭୁଲ ଭବିଷ୍ୟତ ସୂଚନା ପାଇବା ସେମିତି ସୁବିଧାଜନକ ହୋଇଛି । ବିଲାତ, ଆମେରିକା, ଋଷ୍‌, ଜାପାନ ପ୍ରଭୃତି ଦେଶ ଗୁଡ଼ିକ ଆଗେ ଯେତେ ଦୂରରେ ଥିଲା ପରି ଲାଗୁଥିଲା, ଏବେ ଆଉ ସେତେ ଦୂର ବୋଲି ବୋଧ ହେଉ ନାହିଁ । ପ୍ରାକୃତିକ ପରିବେଶ ସମ୍ପର୍କରେ ପୂର୍ବରୁ ଆବଶ୍ୟକ ତଥ୍ୟ ମିଳିପାରିଲେ ମନୁଷ୍ୟ ହୁସିଆର ହୋଇପାରିବ । ବଙ୍ଗୋପସାଗରରେ ବାତ୍ୟା ଦେଖାଦେଲେ ପୁରୀ ଓ ଚିଲିକାରେ ମତ୍ସ୍ୟଜୀବୀ ଯତ୍ନବାନ୍‌ ହେବେ । ଭାରତ ମହାସାଗର ଉପରେ ଲଘୁଚାପ ସୃଷ୍ଟି ହେଲେ ତାର ଗତିପଥକୁ ଚାହିଁ ଆମେ ଆବଶ୍ୟକ ପଦକ୍ଷେପ ନେଇପାରିବା।

କୃତ୍ରିମ ଉପଗ୍ରହରେ ଥିବା କ୍ୟାମେରା ଆକାଶରେ ଥିବା ବାଦଲର ଫଟୋ ଚିତ୍ର ଉଠାଇ ପାରିଥାଏ ଏବଂ ସେଥିରେ ଥିବା ଯନ୍ତ୍ରପାତି ପାଣିପାଗ ସମ୍ପର୍କରେ ଅନ୍ୟାନ୍ୟ ବହୁ ତଥ୍ୟ ପରିବେଷଣ କରିଥାଏ। ଝଡ଼, ତୋଫାନ, ବୃଷ୍ଟିପାତ ଆଦିର ଭାବୀ ସୂଚନା ବହୁ ଦୁର୍ଘଟଣାରୁ ମଣିଷକୁ ରକ୍ଷା କରିଥାଏ । ଭାରତ ପରି କୃଷିପ୍ରଧାନ ଦେଶରେ ଏହିପରି ପାଣିପାଗ ଆଗରୁ ଜାଣିବାର ସୁବିଧା ଏକ ଅମୂଲ୍ୟ ଆଶୀର୍ବାଦ ।

ଭୂପୃଷ୍ଠ ଓ ଭୂଗର୍ଭର ପ୍ରାକୃତିକ ସମ୍ପଦର ସର୍ବେକ୍ଷଣ କୃତ୍ରିମ ଉପଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ପ୍ରକାଣ୍ଡ ଅଞ୍ଚଳବ୍ୟାପୀ ପାହାଡ଼ ଜଙ୍ଗଲର ଅବସ୍ଥା ଓ ପରିମାଣ, ନଦୀର ଗତିପଥ ପରିବର୍ତ୍ତନ, ଭୂମିକ୍ଷୟ ଆଦି ସମ୍ପର୍କରେ ଏଥିରୁ ସୂଚନାମାନ ମିଳିଥାଏ । ଅବସ୍ଥିତି ଓ ପରିମାଣ ବିଷୟରେ କୃତ୍ରିମ ଉପଗ୍ରହ ଉପାଦେୟ ତଥ୍ୟମାନ ଯୋଗାଇଥାଏ । ଏହି ସବୁ ପ୍ରାକୃତିକ ଅବସ୍ଥା ଜାଣିଲେ ମନୁଷ୍ୟ ଅସୁବିଧାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ