ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅଯୋଧ୍ୟା କାଣ୍ତ
ରାଗ କନଡ଼ା [୧]


ଗୁରୁ ଗଉରବ ଜ୍ଞାତି ଅମାନାତ୍ୟ ମନ୍ତ୍ରୀମାନଙ୍କୁ ପଚାରିଲେ ।
ରାମ ରାଜ୍ୟକୁ ଯୋଗ୍ୟ କି ହୋଇଲେ ।
ଯୁଗେ ଯୁଗେ ରାମ ଯୁବରାଜ ହୋନ୍ତୁ ବୋଲି ସମସ୍ତେ ବୋଇଲେ,
ହେ ସୁଜନେ !
ରାମ ସକଳ ଗୁଣରେ ନିପୁଣ ।
ସୂର୍ଯ୍ୟବଂଶ [୨] କଞ୍ଜବନ-ଅରୁଣ ।
ରିପୁ ନୃପ-କରୀ ବିଦାରିବା ପାଇଁ ଜାତ ମୃଗେନ୍ଦ୍ର ତରୁଣ,
ହେ ଭୋଦେବ ।।
ଏମନ୍ତ ଶୁଣି ନୃପତି ଚୁଡ଼ାମଣି ମନ୍ତ୍ରୀକି ଚାହିଁ ଆଜ୍ଞା ଦେଲେ ।
ନ‌ଗ୍ରେ ଉତ୍ସବ କରାଅ ବୋଇଲେ ।
ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ଯୁବରାଜ ହେବାକୁ ଯୋଗ୍ୟ ହୋଇଲେ,
ହେ ସୁମନ୍ତ୍ର !
ଏବେ ଅଭିଷେକ ବିଧି ଭିଆଅ ।
ଆମ୍ଭ କଟକେ ଘୋଷଣା ଦିଆଅ ।
ନକ୍ଷତ୍ର ବାର ଚନ୍ଦ୍ର ଯୋଗ ହୋଇଛି ଶ୍ରୀରାମଚନ୍ଦ୍ର ଅଣାଅ,
ହେ ସୁମନ୍ତ୍ର ।।
ଆଜ୍ଞା ପ୍ରମାଣରେ ନ‌ଗରେ ସୁମନ୍ତ୍ର ଉତ୍ସବ ମଣ୍ତଳୀକି କଲେ ।
ଅଭିଷେକର ବିଧି ଭିଆଇଲେ ।
ରାତ୍ର ପାହିଲେ ରାମ ରାଜା ହୋଇବେ ଏ ଘୋଷଣା ଦିଆଇଲେ,
ସେ ସୁମନ୍ତ୍ର !

  1. ତାଳପତ୍ର ପୋଥିରେ 'କନଡ଼ା' ରାଗ ସ‌ହିତ 'ଗୋପକେଳୀ ପ୍ରଥମ ବୋଲି ରାଗେ' ଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । 'ଗୋପକେଳୀ' କାବ୍ୟର ପ୍ରଣେତା ନରସିଂହ ଶେଣ ଗଜପତି ରାଜା ପ୍ରତାପରୁଦ୍ରଙ୍କ ସମସାମୟିକ ଓ 'ପରିମଳା' କାବ୍ୟର ପ୍ରଣେତା । ତାଙ୍କ ଲିଖିତ 'ଗୋପକେଳୀ' କାବ୍ୟଟି ଉତ୍କଟ ଆଦି ରସାତ୍ମକ ଏକ କୃଷ୍ଣକାବ୍ୟ ।
  2. ପ୍ରକାଶିତ ପୁସ୍ତକ ଓ ପୋଥିପାଠ- କୁଞ୍ଜବନ ।