କଥାଲହରୀ/ବାବାଜୀ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ବାବାଜୀ କଥା

ଗୋଟିଏ ରଜାଟିଏ, ତାର ସାତ ଭାରିଜା । ସେ ରଜାର ଅଚଳାଚଳ ସମ୍ପତ୍ତି, ଭୋଗ କରିବ କିଏ ? ରାଣୀମାନଙ୍କର କାହାରି ପୁଅ ଝିଅ ନ ଥାନ୍ତି । ରଜା ଭାରି ଚିନ୍ତା କରି ବନସ୍ତରେ ଉପସ୍ୟା କରିବାକୁ ଗଲେ । ତପସ୍ୟା କରୁଚନ୍ତି, ଦିନେ ଗୋଟିଏ ସାଧୁ ଗୋସାଇଁ ଆସିଲେ,ପଚାରିଲେ କାହିଁକି ଏପରି କଷ୍ଟ ସହି ତପସ୍ୟା କରୁଚ ? ରଜା କହିଲେ ମୋର ସାତ ଭାରିଜା, କାହାରି କିଛି ସନ୍ତାନ ନାହିଁ । ସାଧୁ କହିଲେ ହଉ ଯା ତୋ ଗୁହାରୀ ଦିଅଁ ଶୁଣିଲେଣି, ଯା ଏ ଯୋଉ ଆମ୍ବଗଛ ଦିଶୁଛି, ସେଥକି ଗୋଟିଏ ଟେକା ପକାଇବୁ, ସାତୋଟି ଆମ୍ବ ଝଡିବ, ନେଇ ଭାରିଜାମାନଙ୍କୁ ଦେବୁ, ବୁଝି ଲୋଭ କରି ଆଉ ଟେକା ପକାଇବୁ ନାହିଁ । ରାଣୀମାନେ ସେ ଆମ୍ବ ଖାଇ ଗର୍ଭ ହେବେ, ସାତଟି ପୁଅ ଜନ୍ମ କରିବେ । ବାବାଜୀ ଏହା କହି ବାହାରି ଗଲେ । ରାଜା ଗୋଟିଏ ତେକା ପକାଓଲେଯେ ସାତଟି ଆମ୍ବ ପଡିଲା । ସାଧୁଙ୍କକଥା ନ ମାନି ଲୋଭରେ ଆଉ ଗୋଟିଏ ଟେକା ପକାଇଲେ, ଆଉ ଆମ୍ବ ପଡ଼ିବ କଣ, ଯୋଉ ସାତୋଟି ପଡିଥିଲା, ସେ ଗଛରେ ଲାଗିଗଲା । ରଜା କାନ୍ଦି ବୋବେଇ ମୁଣ୍ଡ କଚାଡି ହେଲେ, ବନସ୍ତଯାକ ସେ ସାଧୁଙ୍କୁ ଖୋଜିଲେ । ଖୋଜି ଖୋଜି ତାଙ୍କୁ ପାଇଲେ, ତାଙ୍କ ଆଗରେ ସବୁକଥା କହିଲେ । ସାଧୁ କହିଲେ ମୁଁ ପରା ମନା କରିଥିଲି, ତୁ କାହିଁକି ଫେର ଟେକା ପକାଇଲୁ ? ଏହା କହି ସେ ଗଛମୂଳକୁ ଗଲେ, ସାତଟି ଆମ୍ବ ପାରିଲେ, ରଜାକୁ ଦେଲେ, କହିଲେ ତୋର ସାତୋଟି ପୁଅ ହେବେ, ସବା ବଡପୁଅଟି ମୋତେ ଦେବୁ । ରଜା ଆମ୍ବ ଘେନି ଘରକୁ ଆସିଲେ,ରାଣୀମାନଙ୍କୁ ଗୋଟିଏ ୨ ଦେଲେ । ରାଣୀମାନେ ଗର୍ଭ ହେଲେ, ଯଥା ସମୟରେ ସାତଟି ପୁଅ ଜନ୍ମ କଲେ । ଷଠୀ, ପଞ୍ଚୁଆତି ଏକୋଇଶା ସବୁ ଗଲା, ପୁଅମାନେ ବଢ଼ିଲେ ଯେମନ୍ତି ଗୋଟିଏ ୨ ପୁନିଅ ଚାନ୍ଦ । ବଡ଼ ପୁଅଟି ସମସ୍ତଙ୍କଠାରୁ ସୁନ୍ଦର ହୋଇଥାଏ । ପିଲାମାନେ ବଡ଼ ବଡ଼ ହୋଇ ଗଲେ, ପାଠ ପଢିଲେ, ଘୋଡ଼ାଚଢ଼ି ଶିଖିଲେ, କାଣ୍ଡମାରି ଶିଖିଲେ; ରାଣୀମାନଙ୍କ ଗୋଡ ଆଉ ତଳେ ପଡୁ ନଥାଏ । ଦିନେ ସେ ସାଧୁ ଗୋସେଇଁ ଆସିଲେ ପୁଅ ନବାପାଇଁ । ରଜା କଣକଲେ ବଡ଼ପୁଅକୁ ଲୋଭ କରି ଦେଲେ ନାହଁ, ସବା ସାନପୁଅଟିକି ଦେଲେ । ତାକୁ ନେଇ ଯାଉଛନ୍ତି, ବାବା ପଚରିଲେ, ତୁମ୍ ଝାଡ୍ ଯାଓଁ ନା ଜଙ୍ଗଲ୍ ଯାଁଓ, ଏ କହିଲା ହମ୍ ରାଜାକା ବେଟା ରାଜଦାଣ୍ଡମେ ଯାଁଓ । ବାବାଜୀ ସେଉଠୁ ଜାଣି ପାରିଲେ, ଏ ବଡ଼ପୁଅ ନୁହେ, ରଜା ମତେ ଠକି ଦେଇଚି ବୋଲି କହି ତାକୁ ନେଲେ, ରଜାଙ୍କୁ ଫେରାଇ ଦେଲେ କହିଲେ ଏତ ମୋର ନୁହେଁ ମୁଁ କାହିଁକି ନେବି ? ରଜା ସାନ ପୁଅକୁ ରଖିଲେ, ତା ଉପର ପୃଅକୁ ଦେଲେ । ସେ ବି ସେହିପରି ବାଚାଜୀଙ୍କି ବାଟରେ କହିଲା । ବାବାଜୀ ତାକୁ ବି ଫେରେଇ ଦେଲେ । ବଡ଼ପୁଅକୁ ଛାଡି ଆଉ ଚାରିପୁଅକୁ ରଜା ସେହିପରି ଦେଲେ, ବାବାଜୀ ତାଙ୍କୁ ବି ଫେରେଇ ଦେଲେ । ସବା ଶେଷକୁ ରଜା ବଡ଼ପୁଅକୁ ଦେଲେ । ବାବାଜୀ ତାକୁ ପଚରିଲେ ବେଟା,ଝାଡ୍ ଯାଓ କି କଙ୍ଗଲ ଯାଁଓ ? ଏ କହିଲା ବାବାଜୀକା ବେଟା, ବାବାଜୀ ଯହା ଯାଁଓ ହମ୍ ଚାହାଁ ଯାଓ । ବାବାଜୀ ୟାକୁ ନେଲେ ଘରେ ରଖିଲେ, ଆପଣାର ଘରଦୁଆର ଦେଖାଇଲେ, ଖାଲି ଗୋଟିଏ ଘର ଦେଖାଇଲେ ନାହିଁ । ଏ ବାବାଜୀ ନୁହେଁ ଗୋଟାଏ ପିଲାଖିଆ ଅସୁର; ସାଧୁଗୋସେଇଁ ରୂପ ଧରି ଏତେ ନବରଙ୍ଗ କରିଥିଲା ? ଦିନେ ବାବାଜୀ ୟାକୁ ଘରେ ରଖି କୁଆଡେ ଗଲା । ଏ ଯୋଉ ଘର ବାବାଜୀ ଦେଖାଇ ନଥିଲା, ସେ ଘର ଫିଟାଇ ଦେଖେ ଯେ ସେ ଘରେ ଗୁଡାଏ ପିଲାଙ୍କ ମୁଣ୍ଡ ଟଙ୍ଗା ହୋଇଚି । ଏ ମୁଣ୍ଡ ସବୁ ୟାଙ୍କୁ ଦେଖି ହସିଲେ । ଏ ପଚାରିଲା କାହିଁକି ହସିଲ ? ଏମାନେ କହିଲେ, ତୁ ତ ଏହିକ୍ଷଣି ଆମ ପାଖକୁ ଆସିବୁ । ବାବାଜୀ ଯାଇଚି ତେଲ ଆଣିବାକୁ, ଢେଲ ଆଣିଲେ ତତେ କହିବ ଅହିୟା ଖୋଳ, ଚୁଲ୍ଲୀ ଲଗା, ଟୁକଣା ବସା । ତୁ ଯଦି ଗୋଟିଏ ବୁଦ୍ଧି କରିବୁ ତେବେ ସେ ତତେ ମାରି ପାରିବ ନାହିଁ । ଯେତେବେଳେ ସେ କହିବ ଅହିୟା ଖୋଳ, ତୁ କହିବୁ ମତେ ଆସେନା, ତେମେ ଆଗ ଖୋଳି ମୋତେ ଶିଖାଇଦିଅ ମୁଁ କରିବି । ସାଧୁ ଅହିୟା ଖୋଳି ଚୁଲ୍ଲୀ ଲଗାଇ, ଟୁକ୍‌ଣା ବସାଇ, ତହଁରେ ଢେଲ ଅଜାଡି ତେଲ ଯେତେବେଳେ କଡ଼୨ ହୋଇ ଫୁଟିବ, ତତେ କହିବ ତେଲରୁ ପାଣି ମଲାଣି କି ନା ଦେଖିଲୁ, ତୁ କହିବୁ ତେମେ ଆଗେ ଦେଖ । ସେ ଯେତେବେଳେ ନଇଁପଡି ତେଲ ଟୁକୁଣାକୁ ଅନାଇବ, ତୁ ତା ମୁଣ୍ଡକୁ ତେଲ ଟୁକୁଣାରେ କରି ମାଡିଦେବୁ ଯେ ସେ ମରିଯିବ, ସେ ଯାହା ଆଉ ତେଲ ଟୁକୁଣାରେ ତୋ ମୁଣ୍ଡ ମାଡିଦେଇ ମାରିପକାନ୍ତା, ତା ଆଉ କରି ପାରିବ ନାହିଁ । ଏ ଏହା ଶୁଣି, ସେ ଘର ବନ୍ଦ କରି ଦେଇ ଆସି ବସିଥାଏ । ବାବାଜୀ ତେଲ ନେଇ ଅସିଲା, ମୁଣ୍ଡମାନେ ଯେମନ୍ତି ୨ କହିଥିଲେ ସେହିପରି କଲା । ରଜାପୁଅ ଶେଷକୁ ବାବାଜୀର ମୁଣ୍ଡକୁ ଫୁଟନ୍ତା ତେଲରେ ମାଡିଦେଲା ଯେ ସେ ମରିଗଲା । ରଜାପୁଅ ମନେ ବିଚାରିଲା ଏ ମୁଣ୍ଡମାନଙ୍କ ଯୋଗୁଁ ସିନା ମୁଁ ଭଦ୍ଧାର ପାଇଲି, ମୁଁ ଏମାନଙ୍କୁ କିପରି ଉଦ୍ଧାର କରିବି, ସେଇଠି ବସି କାନ୍ଦିଲା, ଆସି ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଆକାଶରେ ଉଡି ଯାଉଛନ୍ତି, । ପାର୍ବତୀ କହିଲେ ରହିବଟି, ଆଜି କାହିଁକି ପୃଥିବୀଟା ଭାରି ଲାଗୁଚି ? ଈଶ୍ୱର କହିଲେ ଚାଲ ହୋ ଆମର ସେଥିରେ କଣ ଅଛି । ପାର୍ବତୀ କହିଲେ ଆମର ତ କିଛି ନାହିଁ, ଆମେ ସୃଷ୍ଟି ଭିଆଇଚୁଁ କାହିଁକି ? ଈଶ୍ୱର ପାର୍ବତୀ ଗଲେ ସେ ରଜାପୁଅ ପାଖକୁ, ୟାକୁ ସବୁ ପଚାରିଲେ । ରଜାପୁଅ ସବୁ କହିଗଲା, ଯେପରି ଜନ୍ମହେଲା, ଏଠାକୁ ଯେପରି ଆସିଲା‌ ମୁଣ୍ଡମାନେ ଯାହା କହିଥିଲେ, ସବୁ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କହିଗଲା । ଈଶ୍ୱର ପାର୍ବତୀ ଶୁଣିଲେ, କହିଲେ ହଉ ତେଣିକି ମୁହଁ ବୁଲା । ଏ ତେଣିକି ମୁହଁ ବୁଲାଇଲା, ଈଶ୍ୱର ପାର୍ବତୀ ଫୁଲପାଣି କରି ତିନି ମୁଠା ଛିଞ୍ଚିଦେଲେ ଯେ ହାଡ ଚମ ଏକାଠି ଲାଗି ଗଲା, ଆଉ ତିନି ମୁଠା ଛିଞ୍ଚି ଦେଲେ ଯେ ସମସ୍ତେ ଜୀଇ ଉଠିଲେ । ଈଶ୍ୱର ପାର୍ବତୀ ଉଭେଇ ଗଲେ । ଏମାନେ ଯେ ଯାହ। ଘରକୁ ଗଲେ, ରଜାପୁଅ ତା ଘରକୁ ଗଲା, ଯୁବରାଜ ହେଲା, ସୁଖରେ ଯୁଗରାଇଜ କଲା । ମୁଁ ଗଲାକୁ କଥା କହିଲା ନାହିଁ, ମୋ କଥାଟି ସରିଲା ଇତ୍ୟାଦି !