ପୃଷ୍ଠା:Sarala Bhashatattwa.pdf/13

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରିଚିତ ନୁହନ୍ତି । ଏମାନେ ଓଡ଼ିଆ କହି ବୋଲି ପାରୁଥିଲେ ମଧ୍ୟ 'ଅ'ରୁ 'କ୍ଷ' ପର୍ଯ୍ୟନ୍ତ ବର୍ଣ୍ଣମାଳା ସହିତ ପରିଚିତ ନ ଥିବାରୁ ଏମାନଙ୍କୁ ମୂର୍ଖ ବୋଲାଯାଏ ।

ଶବ୍ଦର ଗଠନ:- ସମ୍ଭବତଃ ଆଦିମ ଯୁଗରେ ମନୁଷ୍ୟମାନେ ନିଜ ନିଜ ମଧ୍ୟରେ ଭାବର ଆଦାନପ୍ରଦାନ କରିବା ନିମନ୍ତେ ନାନାପ୍ରକାର ଧ୍ୱନି ଏକାକ୍ଷରୀ ଶବ୍ଦର ବ୍ୟବହାର କରୁଥିଲେ ଓ ଶବ୍ଦସ୍ଥିତ ଧ୍ୱନିମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ପରିଚିତ ଧ୍ୱନିମାନ ନାନାପ୍ରକାରେ ଅର୍ଥଦ୍ୟୋତକ ରୂପରେ ବ୍ୟବହୃତ ହେଉଥିଲା । ବର୍ତ୍ତମାନ ମଧ୍ୟ ଭାଷାରେ ନାନା ପ୍ରକାର ଧ୍ୱନ୍ୟନୁକରଣ ଶବ୍ଦ ପ୍ରଚଳିତ ଓ ସମ୍ଭବତଃ ଆଦିମ ଯୁଗର ଭାଷା ଏହିପରି ଧ୍ୱନ୍ୟନୁକରଣରେ ପର୍ଯ୍ୟବସିତ ଥିଲା । ପାରିପାର୍ଶ୍ୱିକ ଆବେଷ୍ଟନୀ ମଧ୍ୟରୁ କେତେକ ବିଶେଷ ଧ୍ୱନି କିମ୍ବା ଆବେଗସୂଚକ କେତେକ ବିଶେଷ ସ୍ୱର ସହିତ ହିଁ ମନୁଷ୍ୟମାନେ ପରିଚିତ ଥିଲେ ଓ ଏହି ଧ୍ୱନିମାନଙ୍କର ବିକାର ଆମ୍ଭେମାନେ ନାନା ଶବ୍ଦରେ ଦେଖିଥାଉଁ । Shire, Shirt, Skirt, Curt, କୁର୍ତ୍ତା, କରତ, କୃପାଣ, କରକଚା ପ୍ରଭୃତି ନାନା ଶବ୍ଦ ଯେ କୋମଳ ବସ୍ତୁ ଚିରିବା ସମୟରେ ହେଉଥିବା 'କର୍' ଧ୍ୱନିର ଅନୁସରଣରୁ ଜାତ ହୋଇଅଛନ୍ତି ଓ ଏମାନଙ୍କର ମୂଳ ଶବ୍ଦ ଯେ ଗୋଟିଏ, ସେଥିରେ ସନ୍ଦେହର ଅବକାଶ ନାହିଁ । ଆମ୍ଭେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନାନା ଶ୍ରୈଣୀର ପ୍ରାଣୀମାନଙ୍କୁ ସେମାନଙ୍କର ଉଚ୍ଚାରିତ ଶବ୍ଦଦ୍ୱାରା ନିର୍ଦ୍ଦେଶିତ କରିଥାଉଁ । କାଉ, କୋଇଲି, କୋକି ପ୍ରଭୃତି ଭାଷାରେ ସୁପ୍ରଚଳିତ । ପୁଣି ସାନ ପିଲାମାନେ ଗାଈକୁ ହାମ୍ବା, ବିଲେଇକୁ ମେଉଁ, ଛେଳିକୁ ମେ ଇତ୍ୟାଦି ଆଖ୍ୟା ଦେଇଥାନ୍ତି ଓ ଗାଈ ଶବ୍ଦ ସହିତ ପରିଚିତ ହେବା ପୂର୍ବରୁ ସେମାନେ 'ହାମ୍ବା' ଶବ୍ଦର ଅନୁସରଣ କରିବାକୁ ଚେଷ୍ଟା କରିଥାନ୍ତି । ଆଦିମ ଭାଷାରେ ଏହି କାରଣରୁ ନାନା ଧ୍ୱନ୍ୟନୂକରଣ ଶବ୍ଦ ପ୍ରଚଳିତ ଥିଲା ଓ ଜଗତର ସର୍ବସ୍ଥାନରେ ଯେ ଏହି ରୀତି ପ୍ରଚଳିତ, ତାହାର ପରିଚୟ ମଧ୍ୟ ଆମ୍ଭେମାନେ ପାଇଥାଉଁ ।

ଇଂରାଜୀରେ cock, cuckoo ପ୍ରଭୃତି ଏହାର ଉଦାହରଣ । ଆବେଗଦ୍ୟୋତକ ବାଃ, ଛିଃ, ଓଃ ପ୍ରଭୃତି ଧ୍ୱନି ମଧ୍ୟ ଏହିପରି କ୍ରମଶଃ ଗୋଟିଏ ଗୋଟିଏ ବିଶିଷ୍ଟ ଅର୍ଥ ସହିତ ସଂଶ୍ଳିଷ୍ଟ ହୋଇ ବ୍ୟବହୃତ ହେଉଅଛନ୍ତି ଓ ଭାଷାରେ କ୍ରମଶଃ ଏମାନେ ଶବ୍ଦରୂପରେ ପରିଚିତ ଓ ସାଙ୍କେତିକ ଭାବରେ ବ୍ୟବହୃତ । ପବନର ଘୁ ଘୁ ଶବ୍ଦ, ନଦୀର କଳସ୍ୱନ, ପତ୍ରମାନଙ୍କର ମର୍ମର ଧ୍ୱନି, ବୃକ୍ଷମାନଙ୍କର ଘର୍ଷଣଜନିତ ଆରାବ ପ୍ରଭୃତି ମଧ୍ୟ କ୍ରମଶଃ ବିଶିଷ୍ଟ ଅର୍ଥ ସହିତ ସଂଶ୍ଳିଷ୍ଟ ହେଲା ଓ ଏମାନଙ୍କର ଅର୍ଥଦ୍ୟୋତନାଶକ୍ତିର ଅଭିବୃଦ୍ଧି ଦ୍ୱାରା କ୍ରମଶଃ ଭାଷା ସମୃଦ୍ଧ ହେବାକୁ ଲାଗିଲା। ପ୍ରଥମରେ ନିଶ୍ଚୟ ଏହି ଧ୍ୱନି-