"କ" - କୃଷ୍ଣକୁଞ୍ଚିତ ଚାମରକେଶା

ଉଇକିପାଠାଗାର‌ରୁ
ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
କୃଷ୍ଣକୁଞ୍ଚିତ ଚାମରକେଶା

କୃଷ୍ଣକୁଞ୍ଚିତ ଚାମରକେଶା
(ରାଗ: ପୂରବୀ)


କୃଷ୍ଣକୁଞ୍ଚିତ ଚାମରକେଶା, କ୍ରୀଡ଼ାଚପଳକୁରଙ୍ଗାଦୃଶା,
କନକକଳିତ, କେତକୀଦଳିତ, ଗଉରାଙ୍ଗୀ ଏକା ମୋ ଭରସା,
ଆରେ କୁନ୍ଦହାସି, କଳାକଲ୍ଲୋଳିନୀକେଳି-କଳହଂସା । ୧।

କିଶୋରୀକୁଳକିରୀଟମଣି, କୃଶୋଦରୀ କଳକଣ୍ଠବାଣୀ,
କୋମଳ ବୟସେ, କାହୁଁ ଶିଖିଲା ସେ, କେଳତିକି ଜିଣିବାର ଠାଣି,
ସେ ମୋ କୁତୁକିନୀ, କାମରଣ ସମୟେ ମୋ ଅନୀକିନୀ ।୨।

କଳ୍ପିଲେ କଳ୍ପାନ୍ତ ଯାଏ କବି, କୁହାଯିବ ନାହିଁ ତାହା ଛବି,
କେ ଅବା ବୋଲିବ, ବଢ଼ାଇ ତ୍ରିଦିବ, ବାମାକୁ, ବଳିବ ମୋ ବାନ୍ଧବୀ,
ସେ ମୋ କମଳାକ୍ଷୀ, କୋଟିକଳାକରକମନୀୟମୁଖୀ । ୩ ।

କୁସୁମବାସିନୀ ବାମା ପାଶେ, କରନ୍ତେ ସଞ୍ଚାର ମୁଁ ନିମିଷେ,
କଞ୍ଜବନଚାରୀ, ମିଳିନ୍ଦର ପରି, କଳେବର ଗୋଟିଯାକ ବାସେ,
ସେ ମୋ କାନ୍ତିସିନ୍ଧୁ, କୁଞ୍ଜନିଳୟଭୂଷା ମୋ ପ୍ରାଣବନ୍ଧୁ । ୪ ।

କାଳିନ୍ଦୀକୂଳ ସଙ୍କେତ ସ୍ଥାନେ, କିଶୋରଚନ୍ଦ୍ର ଶ୍ରୀମତୀ ଧ୍ଯାନେ,
କରନ୍ତେ ଶରଧା, ମିଳିଗଲେ ରାଧା ପ୍ରିୟ ସହଚରୀ ସେ ବିପିନେ,
ସେ ମୋ କରଭୋରୁ, କହେ ରସେ କବିରବି ରାୟଗୁରୁ । ୫ ।