"ଗ" - ଗୁଣରତ୍ନାକର ହେ

ଉଇକିପାଠାଗାର‌ରୁ
("ଗ" - ଗୁଣ ରତ୍ନାକର ହେରୁ ଲେଉଟି ଆସିଛି)
ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଗୁଣରତ୍ନାକର ହେ

ଗୁଣରତ୍ନାକର ହେ
(ରାଗ: କେଦାର)

ଗୁଣରତ୍ନାକର ହେ,
ଗଲାନି କି ସରି ସେ କିଶୋରୀ କୁଳାଚାର ହେ । ପଦ ।

ଗୋପାଳଙ୍କ କୁଳଶୀଳ ଗଙ୍ଗାରୁ ଗଭୀର ହେ,
ଗୋସ୍ପଦରୁ ଉଣା ମଣିଲ କି ବଂଶୀଧର ହେ। ୧ ।

ଗଣ୍ଠିଧନୁ ଗୁପତ ମୋ ସଖୀର ଆବୁର ହେ,
ଗହନ କୁସୁମ ପରି ହେବ କି ଏଥର ହେ । ୨ ।

ଗୋପନୃପବଳରୁ ନ ଥିଲେ ହେଲେ ଡର ହେ,
ଗଡ଼କୁ ନିକଟ ପରା ଏ ତୁମ୍ଭ ଏ ନଗର ହେ । ୩ ।

ଗରିଷ୍ଠ ପ୍ରତାପୀ କଂସ ଶୁଣିଲେ ଖବର ହେ,
ଗୋବର୍ଦ୍ଧନଗିରିଗୁହାପୁଟ ଯିବ ଜୂର ହେ । ୪ ।

ଗଲେ ମୁଁ ଚିତ୍ତକୁ ସବୁ ହୋଇବ ଗୋଚର ହେ,
ଗୀତ ବୋଲେ କବିରବି ସର୍ବଂସହାସୁର ହେ । ୫ ।