"ଘ" - ଘନକେଶା ରେ

ଉଇକିପାଠାଗାର‌ରୁ

ଘନକେଶା ରେ
(ରାଗ: ରେଗୁପ୍ତ)

ଘନକେଶା ରେ, ଘେନ ଏତେ ଗିର ମୋର ସୁସାରେ ।ପଦ ।

ଘସ୍ରନାଥକନ୍ୟାକୂଳବସା ରେ,
ଘୋଣାଗ୍ରେ କିଶୋର ଶ୍ଵାସ ପ୍ରସାରେ ।୧।

ଘୋରତର କାମକାତିଭୂଷାରେ,
ଘାଣ୍ଟି ହେଉଅଛି ଦିବାନିଶାରେ ।୨।

ଘଟସ୍ତନା ତୁ ଏ କଷ୍ଟଦଶାରେ,
ଘନାଶ୍ଳେଷେ ରଖି ଯଶ ସଂସାରେ ।୩।

ଘାରି ହେଉଅଛି ଏ ଦୁର୍ଦ୍ଦଶାରେ,
ଘୋରି ହୋଇ ଯାଉଛି ସେ ରସାରେ ।୪।

ଘୋଟି କାମତମ ପ୍ରତିଦିଶାରେ,
ଘୁମାଉଅଛିଟି ରସାଳସା ରେ ।୫।

ଘଡ଼ିଏ ଶ୍ରୀଯୁଗଳ ପ୍ରଶଂସାରେ,
ଘଟାଇଲେ କବିରବି ଭାଷାରେ ।୬।