"ଙ" - ନିଦ ନାହିଁଟି ନଟବରକୁ ଗୋ

ଉଇକିପାଠାଗାର‌ରୁ
ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ନିଦ ନାହିଁଟି ନଟବରକୁ ଗୋ

ନିଦ ନାହିଁଟି ନଟବରକୁ ଗୋ
(ରାଗ: କାମୋଦୀ)

ନିଦ ନାହିଁଟି ନଟବରକୁ ଗୋ, ନେତ୍ରୁ ନିରତେ ମୁଞ୍ଚେ ନୀରକୁ ଗୋ,
ନ ଲଭିବାରୁ ନବନୀତାଙ୍ଗି ତୋ ପଲ୍ଲବଅଧରମଧୁରନିର୍ଝରକୁ ଗୋ । ପଦ ।

ନୂଆ ନାଗରୀ କେତେ, ନାହାନ୍ତି ଏ ଜଗତେ ନଚାଇ ନୟନାନ୍ତେ ସ୍ମରକୁ ଗୋ,
ନିର୍ମଳ କେଡ଼େ ତୋର, ପୂର୍ବପୁଣ୍ୟ ନାଗର, ନ ଚିନ୍ତେ ତୋ ବିନା ଇତରକୁ ଗୋ । ୧ ।

ନିପଟ ତୁ କପଟୀ, ନୋହୁ ତୁ ଆମ୍ଭେ ହଟି, ହଟି ସିନା ତୋ ବିଦ୍ୟା ତରକୁ ଗୋ,
ନଉକରିକି ବାଇ ହେବାଯାଏ ଲଗାଇ ଜାଣୁ ତ ମୋହନ ମନ୍ତରକୁ ଗୋ । ୨ ।

ନିୟମ କରୁ ପରା, ନାହିଁ ଶିଖଣ୍ଡଝରା, ଚାହିଁ ମୁଁ ବୋଲି ଥର ଥରକୁ ଗୋ,
ନୟନବାଣ ତୋର, ନ ବାଜି ନିକି ସ୍ମର, ନୀଳଦେହରେ ଦେଲା ଜ୍ଵରକୁ ଗୋ । ୩ ।

ନ ଜାଣି ଅବା ଜାଣି, ବଢ଼ାଇ ଦେଲୁ ପାଣି, ବ୍ୟୋମସଞ୍ଚାରୀ କଳାକରକୁ ଗୋ,
ନ ହସୁ ଜନ ଯେବେ, ଉପାୟବଳେ ଏବେ ଅଣାଅ ତାକୁ ନିଜ କରକୁ ଗୋ । ୪।

ନଳିନୀଦଳ ଶେଯ, ନେତ୍ରେ ଦେଖିଲି ଆଜ, ନୀରଦନିଭ କଳେବରକୁ ଗୋ,
ନାସାଗ୍ରେ ଶ୍ଵାସ ବହେ, କବିମିହିର କହେ ସମୁଦ୍ଧର ଈଦୃଶ ଜନକୁ ଗୋ । ୫।