ପୃଷ୍ଠା:Sarala Bhashatattwa.pdf/23

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ରୁତଲିଖନର ଉପ ଯୋଗୀ ଥିବ ଓ ଲେଖା ବା ଛାପା ହେବା ସମୟରେ ଅଧିକ ପ୍ରୟାସ ବା ଯତ୍ନ ଆବଶ୍ୟକ କରୁ ନ ଥିବ । ଏହି ଦୃଷ୍ଟିରୁ ଦେଖିଲେ ପୃଥିବୀର କୌଣସି ଲିପି ଆଦର୍ଶସ୍ଥାନୀୟ ନୁହେଁ । ଆଜିକାଲି ରୋମକ ଲିପି (a b c d ପ୍ରଭୃତି)ର ବ୍ୟବହାର ଅନେକ ଭାଷାତତ୍ତ୍ୱବିତ୍ ଅନୂମୋଦନ କରୁଅଛନ୍ତି, ସେମାନଙ୍କ ମତରେ ଏହି ଲିପିରେ ଯୁକ୍ତାକ୍ଷର ନ ଥିବାରୁ, ଅକ୍ଷରଗୁଡ଼ିକ ଲେଖିବା ସମୟରେ ପରସ୍ପର ସହିତ ସଂଲଗ୍ନ କରିବାର ସୁବିଧା ଥିବାରୁ, ଅକ୍ଷରର ସଂଖ୍ୟା ଅଳ୍ପ ଥିବାରୁ ଓ ମାତ୍ରା ଆଦିର ବ୍ୟବହାର ନ ଥିବାରୁ ଏହି ଅକ୍ଷର କଳଲେଖା, ଦ୍ରୂତଲେଖା, ଛାପା ପ୍ରଭୃତିର ବିଶେଷ ଉପଯୋଗୀ ଓ ସେମାନଙ୍କ ମତରେ ଭାଷା ପୃଥକ୍ ହେଲେହେଁ ସବୁ ଭାଷା ରୋମକ ଲିପିରେ ଲେଖା ହେବା ଉଚିତ । ଏହି ମତବାଦର ବଶବର୍ତ୍ତୀ ହୋଇ ତୁରସ୍କ ଦେଶରେ ରୋମକ ଲିପି, ପ୍ରବର୍ତ୍ତିତ ହୋଇଅଛି ଓ ଚୀନ ମହାଦେଶରେ ମଧ୍ୟ ଏହି ଲିପିର ବ୍ୟବହାର ବିଷୟରେ ଅନୂକୂଳ ଆନ୍ଦୋଳନ ଦେଖା ଦେଇଅଛି । ଜର୍ମାନ, ଋଷୀୟ ପ୍ରଭୃତି ଭାଷାରେ ଏହି ଲିପି ଜାତୀୟ ଲିପିର ବିକଳ୍ପରେ ବ୍ୟବହୃତ ହେଉଅଛି । ଅବଶ୍ୟ ଓଡ଼ିଆ ଲିପି ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଓଡ଼ିଆରେ ଅକ୍ଷରମାନଙ୍କର ସଂଖ୍ୟା ଅତ୍ୟଧିକ, ପୁଣି ସଂଯୁକ୍ତ ବର୍ଣ୍ଣ, ଫଳା ବା ମାତ୍ରାର ବ୍ୟବହାର ଦ୍ୱାରା ଲିପିଗୁଡ଼ିକ ନାନାଭାବରେ ଜଟିଳ ହୋଇଅଛି ଓ ଛାପା ସମୟରେ ବା ଦ୍ରୁତଲିଖନରେ ନାନାପ୍ରକାର ଅସୁବିଧା ଅନୂଭୂତ ହେଉଅଛି । ଏହି ଲିପିର ଆଉ ଗୋଟିଏ ଦୋଷ ଏହି ଯେ ଏଥିରେ ଲିପିର ମୂଳଭାଗ ଅପେକ୍ଷା ତାହାର ମଣ୍ତଳୀ ବା ବେଷ୍ଟନୀ ଆକାରରେ ବଡ଼ ଓ ଏହି କାରଣରୁ ଭ ଓ ଉ, ତ ଓ ଢ, ଧ ଓ ଥ, ପ ଓ ଯ ପ୍ରଭୃତି ଲିପିମାନଙ୍କ ମଧ୍ୟରେ ପାର୍ଥକ୍ୟ ଦ୍ରୁତଲିଖନ ସମୟରେ ଗୌଣ ହୋଇପଡ଼େ ଏବଂ ଫ ଲେଖିଲେ ପ ସହିତ ଅନୁସ୍ୱାର ଯୁକ୍ତ ହୋଇଅଛି କିମ୍ବା 'ପ'ର ମହାପ୍ରାଣ ବର୍ଣ୍ଣ ଫ (Ph) ଲିଖିତ ହୋଇଅଛି, ଏ ବିଷୟରେ ଘୋର ସନ୍ଦେହ ଜାତ ହୋଇଥାଏ । କିନ୍ତୁ ଏ ଲିପିର ସୁବିଧା ମଧ୍ୟରେ ଏଥିରେ ପ୍ରତ୍ୟେକ ଅକ୍ଷର ଗୋଟିଏ ଧ୍ୱନିସତ୍ତା ପ୍ରକାଶ କରେ ଅର୍ଥାତ୍ 'ଥି' ଏହି ଧ୍ୱନିକୁ ଗୋଟିଏ ସତ୍ତା ବୋଲି ଗଣନା କରାଯାଇ 'ଥ' ସହିତ 'ଇ'ର ମାତ୍ରା ଯୁକ୍ତ କରାଯାଇ ଗୋଟିଏ ଲିପି ବୋଲି କଳ୍ପିତ ହୋଇଥାତ । ଇଂରାଜୀରେ 'ଥି' ଗୋଟିଏ syllable ଅଥବା ଧ୍ୱନି ସମଷ୍ଟି । ଏହାକୁ ପ୍ରକାଶ କରିବା ନିମନ୍ତେ T.H.I, ଏହି ତିନିଗୋଟି ପୃଥକ୍ ବର୍ଣ୍ଣର ପ୍ରୟୋଜନ ହୋଇଥାଏ । ଓଡ଼ିଆରେ ବାସ୍ତବିକ ଯାହା ଗୋଟିଏ ଅକ୍ଷର ଇଂରାଜୀରେ ତାହା ଗୋଟିଏ syllable ବା ଅକ୍ଷର ସମଷ୍ଟି । ଏଣୁ ରୋମକ ଲିପି ବ୍ୟବହାରରେ ଅଧିକ ଅକ୍ଷର ଲେଖିବାର ଆବଶ୍ୟକ