ପୃଷ୍ଠା:Sarala Bhashatattwa.pdf/26

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୩
ସରଳ ଭାଷାତତ୍ତ୍ୱ

ପୃଥିବୀର ସମସ୍ତ ଲୋକ 'ଗାଈ' ବୋଲି ଧାରଣା କରି ପାରିବେ ଓ ସେହି ଧାରଣା ସବୁଠାରେ ସମାନ ହେବ । କୌଣସି ଭାଷାରେ ଗାଈର ନିର୍ଦ୍ଦେଶକ ବିଶିଷ୍ଟ ଶବ୍ଦ ନ ଥିଲେ ମଧ୍ୟ ସେହି ଭାଷାଭାଷୀ ବ୍ୟକ୍ତିମାନେ ନିର୍ଦ୍ଦେଶିତ ପ୍ରାଣୀବିଷୟରେ ଧାରଣା କରି ପାରିବେ । ଏଣୁ ଚିତ୍ର ବା ଚିତ୍ରଲିପିକୁ ସାର୍ବଜନୀନ ଭାଷା ବୋଲାଯାଇ ପାରେ । ବର୍ତ୍ତମାନ ମଧ୍ୟ ବିଦେଶରେ ନିଜର ମନୋଭାବ ବ୍ୟକ୍ତ କରିବା ନିମନ୍ତେ ଲୋକେ ଚିତ୍ର ବା ଅଙ୍ଗବିକ୍ଷେପର ଆଶ୍ରୟ ନେଇଥାନ୍ତି । କ୍ରମଶଃ ଚିତ୍ରଗୁଡ଼ିକ ସାଙ୍କେତିକ ରୂପରେ ପରିଣତ ହେଲା । ଆସ୍ତେ ଆସ୍ତେ ବସ୍ତୁ ନିରପେକ୍ଷ ଭାବକୁ ପ୍ରକାଶିତ କରିବା ନିମନ୍ତେ ନାନା ପ୍ରକାର ଚିତ୍ରସଙ୍କେତ ପ୍ରଚଳିତ ହେଲା । କ୍ରମଶଃ ଧ୍ୱନିକୁ ବିଶ୍ଳିଷ୍ଟ କରି ବର୍ଣ୍ଣର ଉଦ୍ଭାବନା ରୀତିରେ ଚିତ୍ରକୁ ବିଶ୍ଳିଷ୍ଟ କରି ଧ୍ୱନି ସହିତ ସମ୍ପୃକ୍ତ କରିବାର ରୀତି ପ୍ରଚଳିତ ହେଲା ଓ ଏହି କାରଣରୁ ବିଭିନ୍ନ ଭାଷାରେ ବିଭିନ୍ନ ଲିପିର ପ୍ରଚଳନ କରାଯାଇଥିଲା । ଚୀନ ଭାଷାରେ ଏହିପରି ପାଞ୍ଚଶତ ଗୋଟି ବିଭିନ୍ନ ଲିପି ପ୍ରଚଳିତ ଓ ପ୍ରତ୍ୟେକ ଲିପି ଗୋଟିଏ ପୂର୍ଣ୍ଣ ଧ୍ୱନି ବା ଧ୍ୱନିସମଷ୍ଟିର ସୂଚକ । ଇଂରାଜୀ ଲିପିମାନଙ୍କୁ ବିଶ୍ଳେଷଣ କରି ସେମାନଙ୍କର ଇତିହାସ ନିର୍ଦ୍ଦେଶ କରାଯାଇଅଛି ଓ ଏଥିରୁ ଆମ୍ଭେମାନେ ନାନା ବର୍ଣ୍ଣର ଲିପିରୂପର ଉଦ୍ଭବ ଓ ପରିଣତି ବିଷୟରେ ନାନା କୌତୂହଳୋଦ୍ଦୀପକ ତଥ୍ୟ ପାଇଥାଉଁ । ଇଂରାଜୀ А ଅକ୍ଷରଟି ପୂର୍ବୋକ୍ତ ମହିଷ ବା ଗାଈସୂଚକ ଚିତ୍ରଲେଖାରୁ ଉଦ୍ଭୁତ । ∀ ଏହି ଚିତ୍ରଦ୍ୱାରା ଗାଈ ସୂଚିତ ହେଉଥିଲା । ଗାଈର ପୂର୍ବନାମ ଫିନିସୀୟ ଦେଶରେ 'Аleph', ଏହି ∀ ଚିତ୍ର ପରିବର୍ତ୍ତିତ ହୋଇ କ୍ରମଶଃ Αରେ ପରିଣତ ହେଲା ଓ 'Аleph'ର ପ୍ରଥମ ଧ୍ୱନି 'ଆ'ର ଦ୍ୟୋତକରୂପରେ ବ୍ୟବହୃତ ହେଲା, ଏହିପରି Κ ଅକ୍ଷରଟି ହାତର ʞ ପ୍ରତିଚ୍ଛବିରୁ ଗୃହୀତ । ଏହି ଛବିର ଆଦିମ ଧ୍ୱନିରୂପ କାଫ, ବର୍ତ୍ତମାନ କେତେକ ଭାଷାରେ 'କାଫ' ହାତ ଅର୍ଥରେ ପ୍ରଚଳିତ ଓ ଏହି ଧ୍ୱନିରୁ Κ ଅକ୍ଷର 'କ' ଧ୍ୱନି ସହିତ ସଂଶ୍ଳିଷ୍ଟ ହୋଇ ବର୍ତ୍ତମାନ ବ୍ୟବହୃତ ହେଉଅଛି । 'c' ଅକ୍ଷରଟି ଏହିପରି ଶୋଇଥିବା ଓଟର ଚିତ୍ରର ସାଙ୍କେତିକ ପରିଣତି, Μ ଅକ୍ଷର ଜଳତରଙ୍ଗର ଅନୁକୃତି, R ଅକ୍ଷର ମସ୍ତକର ପାର୍ଶ୍ୱଦେଶ ଚିତ୍ରରୁ ଉତ୍ପନ୍ନ (q) ଓ D ତମ୍ବୁର ତ୍ରକୋଣାକଟରି ଦ୍ୱାରଦେଶ (Δ)ର ଅନୁକୃତିରୁ ଜାତ । ଏହିପରି ପ୍ରତ୍ୟେକ ଇଂରାଜୀ ଅକ୍ଷରର ଉତ୍ପତ୍ତିରହସ୍ୟ, କ୍ରମ ବିକାଶ ଓ ପରିଣତି ସମ୍ବନ୍ଧରେ ଆମ୍ଭମାନଙ୍କର ପୂର୍ଣ୍ଣ ଜ୍ଞାନ ଭାଷାତତ୍ତ୍ୱବିଦ୍‌ମାନଙ୍କର ଅକ୍ଳାନ୍ତ ପରିଶ୍ରମରୁ ସମ୍ଭବପର ହୋଇଅଛି । ଗୋଟିଏ ଗୋଟିଏ ଅକ୍ଷରର ପୂର୍ଣ୍ଣ ପରିଣତି ପଛରେ ସହସ୍ର ସହସ୍ର ବର୍ଷର ଇତିହାସ