ପୃଷ୍ଠା:Sarala Bhashatattwa.pdf/4

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସରଳ ଭାଷାତତ୍ତ୍ୱ

ଭାଷାସୃଷ୍ଟିର ଇତିହାସ


ମନୁଷ୍ୟମାନେ ଆଦିମ ପଶୁ ଅବସ୍ଥାରୁ ନିଜକୁ ଉନ୍ନତ କରିବା ନିମନ୍ତେ ଯେଉଁ ଉପାୟମାନ ଉଦ୍ଭାବନ କରିଅଛନ୍ତି ସେମାନଙ୍କ ମଧ୍ୟରେ ଭାଷାର ବ୍ୟବହାର ଗୋଟିଏ । ଭାଷାର ପ୍ରୟୋଗ ଦ୍ୱାରା ମନୁଷ୍ୟମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହଜସାଧ୍ୟ ହୋଇଅଛି, ଚିନ୍ତାର ଧାରା ସୁନିଶ୍ଚିତ ଓ ସୁବ୍ୟକ୍ତ ହୋଇ ପାରିଅଛି ଓ ପ୍ରତ୍ୟେକ ମନୁଷ୍ୟ ତାହାର ନିଜର ବୁଦ୍ଧିବୃତ୍ତି ଦ୍ୱାରା ଯାହା ଉଦ୍ଭାବନ କରୁଅଛି ତାହା ସୁସ୍ପଷ୍ଟ ଓ ଚିରସ୍ଥାୟୀଭାବରେ ଜଗତ୍ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ଲାଭ କରୁଅଛି । ଏହିପରି ପ୍ରକାଶ ଦ୍ୱାରା ଓ ପ୍ରକାଶିତ ଭାବବସ୍ତୁମାନଙ୍କର ସମାଲୋଚନା ଦ୍ୱାରା ଜ୍ଞାନର ଉତ୍ତରୋତ୍ତର ଅଭିବୃଦ୍ଧି ସାଧିତ ହେଉଅଛି । ପ୍ରତ୍ୟେକ ମୁହୃର୍ତ୍ତରେ ଆମ୍ଭେମାନେ ଭାଷାର ଉପଯୋଗିତା ଓ ଉପକାରିତା ଅନୁଭବ କରୁଁ । କିନ୍ତୁ ପ୍ରଚଳିତ ଭାଷାର ସ୍ୱରୂପ ଓ ଉତ୍ପତ୍ତି ସମ୍ବନ୍ଧରେ ଆମ୍ଭେମାନେ ବିଶେଷ କିଛି ଜାଣୁ ନାହିଁ । ବରଂ ଭାଷାର ବ୍ୟବହାର ଏତେ ସୁପ୍ରଚଳିତ ଯେ ଭାଷା-ଜ୍ଞାନହୀନ ମନୁଷ୍ୟସମାଜର କଳ୍ପନା କରିବା ମଧ୍ୟ ଆମ୍ଭମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇଥାଏ । ପଶୁମାନେ କେତେକ ଭାବ ପ୍ରକାଶିତ କରିପାରନ୍ତି, କୁକୁର ଭୟ ପ୍ରକାଶ କରିବା ନିମନ୍ତେ ନିଜର ଲାଞ୍ଜକୁ ଯାକିଦିଏ, ଗାଈ ନିଜ ବାଛୁରୀର ସାନ୍ନିଧ୍ୟ କାମନାକୁ ପ୍ରକାଶ କରିବା ନିମନ୍ତେ ରଡ଼ି ଛାଡ଼େ, ବାଘ କ୍ରୋଧର ଅଭିବ୍ୟକ୍ତି ନିମନ୍ତେ ଭୟାବହ ଗର୍ଜନ କରେ । ବାସ୍ତବରେ ଏଗୁଡ଼ିକ ଭାଷା, କାରଣ ନାନାପ୍ରକାର ବିଶେଷଧ୍ୱନି ବା ଅଙ୍ଗପ୍ରତ୍ୟଙ୍ଗର ବିଶେଷ ସଞ୍ଚାଳନ ଦ୍ୱାରା ବିଶେଷ ପ୍ରକାରର ମାନସିକ ଭାବ ଏସବୁରେ ପ୍ରକାଶିତ ହେଉଅଛି । ଏକ ସମୟରେ ମନୁଷ୍ୟମାନେ ମଧ୍ୟ ଏହି ପ୍ରକାର ଧ୍ୱନି ବା ଅଙ୍ଗପ୍ରତ୍ୟଙ୍ଗର ସଞ୍ଚାଳନ ମାତ୍ର ଦ୍ୱାରା ନିଜର ମନୋଭାବ ପ୍ରକାଶ କରିବାକୁ ଅକ୍ଷମ ଥିଲେ ଓ ପଶୁମାନଙ୍କ ପରି କେବଳ ମୂକଭାବରେ ଜୀବନ ଯାତ୍ରା ନିର୍ବାହ କରିପାରୁଥିଲେ ।