ପୃଷ୍ଠା:Sarala Bhashatattwa.pdf/40

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୭
ସରଳ ଭାଷାତତ୍ତ୍ୱ

ଓଡ଼ିଆରେ ପ୍ରଚଳିତ ହୋଇଥିବା ସୁସ୍ପଷ୍ଟ । ଏ ସବୁ ଶବ୍ଦ ସହିତ ଇଂରାଜି father ଶବ୍ଦର ସମୀକରଣ କରାଯାଇ ପାରେ । ଶବ୍ଦର ସମୀକରଣ ସମୟରେ ତାହାର ରୂପଗତ ଓ ଅର୍ଥଗତ କ୍ରମବିବର୍ତ୍ତନର ସମ୍ପୂର୍ଣ୍ଣ ଇତିହାସ ପାଇବା ପ୍ରୟୋଜନ ହୁଏ । ଏଭଳି ଇତିହାସ ନ ପାଇଲେ କେବଳ ଅନୁମାନ ଉପରେ ନିର୍ଭର କରି ସମୀକରଣର ଚେଷ୍ଟା କରିବା ବୃଥା ।

ଶବ୍ଦର ଇତିହାସକୁ ଅନୁସରଣ କଲେ ଅନେକ ସମୟରେ ଅତ୍ୟନ୍ତ କୌତୂହଳୋଦ୍ଦୀପକ ତଥ୍ୟମାନ ଆମ୍ଭେମାନ ଜାଣି ପାରୁଁ । ଆମ୍ଭେମାନେ ବର୍ତ୍ତମାନ 'ଚେକ' କନାରେ କୋଟ ତିଆରି କରୁଁ ଓ ବ୍ୟାଙ୍କରେ ଟଙ୍କା ଥିଲେ 'ଚେକ୍' ଦ୍ୱାରା ଟଙ୍କା ଦେଉଁ । ଏ ଦୁଇଟି ଶବ୍ଦର ରୂପ ଓଡ଼ିଆରେ ଏକ ହେଲେହେଁ ଇଂରାଜିରେ ଗୋଟିଏ ଶବ୍ଦର ମୂଳଶବ୍ଦ Check ଓ ଅନ୍ୟଟିର Cheque; ମାତ୍ର ତାହା ହେଲେହେଁ ଉଭୟ ଶବ୍ଦ ଏକ ମୂଳ ଶବ୍ଦରୁ ଜାତ । ଏହି Check ଶବ୍ଦର ମୂଳ ରୂପ 'Chek' ଏହାର ଅର୍ଥ 'ରାଜା' ଓ ଏହା ପାରସିକ 'shah' ଶବ୍ଦ ସହିତ ସମ୍ପୃକ୍ତ । ସତରଞ୍ଜ ଖେଳରେ 'ରାଜା' ଗୋଟିଏ ପ୍ରଧାନ 'ଦାନ' ଥିବାରୁ ଏହି ଖେଳକୁ 'Ches' ଖେଳ ବୋଲି କୁହାଯାଉଅଛି ଓ ଏହି ଖେଳରେ ବ୍ୟବହୃତ ବିଭିନ୍ନ ରଙ୍ଗ ସମଚତୁଷ୍କୋଣ 'ଘର'କୁ ଲକ୍ଷ୍ୟ କରି ଏକ ଦିଗରେ ସେହିପରି ଡୋରିକଟା ଲୁଗାକୁ 'ଚେକ୍' କନା ବୋଲାଯାଇଥାଏ ଓ ଅନ୍ୟ ଦିଗରେ ସେହିପରି ଚିତ୍ରିତ କାଗଜ ବ୍ୟବହୃତ ହେଉଥିବାରୁ ବ୍ୟାଙ୍କର 'ଚେକ୍' ଶବ୍ଦ ମଧ୍ୟ ପ୍ରଚଳିତ । ମୂଳ 'ଶାହ'ର ଅର୍ଥ କିପରି ଭାବରେ ବିକୃତ ହୋଇ ବର୍ତ୍ତମାନ ବିଭନ୍ନ ପଦାର୍ଥମାନଙ୍କୁ ସୂଚିତ କରୁଅଛି, ତାହା ଏହି ଉଦାହରଣରୁ ସ୍ପଷ୍ଟ ଦେଖାଯାଇ ପାରେ । ଏହିପରି ଇଂରାଜୀ whiskey ଓଡ଼ିଆରେ 'ହୁଇସ୍କି' ବୋଲି ଲିଖିତ ହୋଇଥାଏ ଓ ମଦ ବୋଲି ଲୋକେ ଏହାକୁ ଘୃଣା କରିଥାନ୍ତି; ମାତ୍ର ଏହି ଶବ୍ଦ ବାସ୍ତବରେ ଗେଲିକ ଭାଷାର uisge ସହିତ ସମ୍ପୃକ୍ତ ଓ ମୂଳତଃ ପ୍ରାଚୀନ ଆର୍ଯ୍ୟ ୱଦ୍ ଶବ୍ଦରୁ ଜାତ । ଏହି ୱଦ୍ ଶବ୍ଦରୁ ଏକ ଦିଗରେ ଇଂରାଜୀ undulating, ଲିଥୁନିଅ udra (ଓଧୁଅ), ଇଂରାଜୀ Otter ଓ ଅନ୍ୟ ଦିଗରେ ସଂସ୍କୃତ 'ଉଦକ', ଓଡ଼ିଆ 'ଓଧୂଅ' ପ୍ରଭୃତି ନାନା ଶବ୍ଦ ଜାତ ହୋଇଅଛି; ଅର୍ଥାତ୍ ହୁଇସ୍କି ଓ ଓଧୂଅ ମଧ୍ୟରେ ଅର୍ଥଗତ ବା ରୂପଗତ କୌଣସି ସାମଞ୍ଜସ୍ୟ ନ ଥିଲେହେଁ ଉଭୟ ଶବ୍ଦ ଜଳସୂଚକ ଏକ ମୂଳ ପ୍ରାଚୀନ ଆର୍ଯ୍ୟ ଶବ୍ଦରୁ ଭିନ୍ନ କ୍ରମରେ ଜାତ । ଏହିପରି 'ବକ୍‌ସିସ୍' ଶବ୍ଦ ପାରସିକ ଭାଷାରୁ ଓଡ଼ିଆରେ ଗୃହୀତ ହୋଇଥିଲେହେଁ ମୂଳତଃ ଏହି ଶବ୍ଦ ପ୍ରାଚୀନ ପାରସିକ 'ବକ୍ସ୍' ଶବ୍ଦରୁ ଜାତ ଓ ଏହି ଶବ୍ଦର ଅର୍ଥ ବିଭକ୍ତ କରିବା । ଏହି ପ୍ରାଚୀନ ପାରସିକ 'ବକ୍ସ୍' ଶବ୍ଦଟି ଯେ ସଂସ୍କୃତ 'ଭଜ୍'