ପୃଷ୍ଠା:Sarala Bhashatattwa.pdf/50

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାନଙ୍କର ଉତ୍ପତ୍ତି, ମୂଳ ଶବ୍ଦ ଓ ଇତିହାସ ନିର୍ଣ୍ଣୟ କରିବାକୁ ହେବ ଓ ପ୍ରତ୍ୟେକ ଅବସ୍ଥାରେ ତାହାର ବିକୃତିର କାରଣ ନିର୍ଦ୍ଦେଶ କରିବାକୁ ହେବ । ଦୁଇଗୋଟି ଉଦାହରଣ ଦେଲେ ଏ ବିଷୟ ସ୍ପଷ୍ଟ ହୋଇ ପାରେ । ଓଡ଼ିଆ 'ଟେବୁଲ' ଶବ୍ଦ ଇଂରାଜୀ table ଶବ୍ଦରୁ ଜାତ ଓ ଇଂରାଜୀ ଶବ୍ଦର ଉଚ୍ଚାରଣକୁ ସରଳ କରିବା ନିମନ୍ତେ 'ଇ' ବା 'ଉ' ସ୍ୱରର ଆଗମ ସ୍ୱାଭାବିକ, ଏଣୁ ଓଡ଼ିଆରେ ଟେବିଲ ବା ଟେବୁଲ ଉଚ୍ଚାରିତ ହୋଇଥାଏ । ଇଂରାଜୀ Table ଶବ୍ଦ କିନ୍ତୁ ଲାଟିନ Tabula ଶବ୍ଦରୁ ଜାତ ଓ ଲାଟିନ ଭାଷାରୁ ଫରାସୀ ଭାଷାର ମଧ୍ୟଦେଇ ଏହି ଶବ୍ଦଟି ଇଂରାଜୀରେ ପ୍ରଚଳିତ ହୋଇଥିବାରୁ ଫରାସୀ ଶବ୍ଦର ରୂପ table ଇଂରାଜୀରେ ଅନୁକୃତ । ଲାଟିନ Tabula ଶବ୍ଦ ପୁଣି ମୂଳ ଆର୍ଯ୍ୟ 'ତନ୍' ଶବ୍ଦରୁ ଜାତ । 'ତନ୍' ଶବ୍ଦର ଅର୍ଥ ବିସ୍ତୃତ ହେବା ଓ ଏହି ଶବ୍ଦରୁ ସଂସ୍କୃତ ତନ୍ତୁ, ତନୁ ପ୍ରଭୃତି ଶବ୍ଦ, ଇଂରାଜୀ thin, tender ପ୍ରଭୃତି ଶବ୍ଦମାନ ମଧ୍ୟ ଉତ୍ପନ୍ନ; ଏଣୁ ଟେବୁଲ ଶବ୍ଦ ସହିତ ଏସବୁ ଶବ୍ଦ ମଧ୍ୟ ସମ୍ପୃକ୍ତ ଓ ଏସବୁ ଏକ ମୂଳ ପ୍ରାଚୀନ ଆର୍ଯ୍ୟ ଶବ୍ଦରୁ ବିଭିନ୍ନ ସମୟରେ ଜାତ । ଭାଷାତତ୍ତ୍ୱର ସାଧାରଣ ନିୟମ ଅନୂସାରେ ମୂଳ ଆର୍ଯ୍ୟ 'ତ' ଇଂରାଜୀରେ 'ଥ', ଲାଟିନର 'ତ' ବା 'ଟ' ସଂସ୍କୃତରେ 'ତ' ରେ ପରିଣତ ହୋଇଥାଏ; ଏଣୁ 'ତନ୍' ଶବ୍ଦ ଇଂରାଜୀ thin ରେ ପରିଣତ ହେବା ସ୍ୱାଭାବିକ ଓ table ରେ 'ଟ' ଧ୍ୱନି ଅବିକୃତ ଥିବାରୁ ତାହା ନିଶ୍ଚୟ ମୂଳ ଆର୍ଯ୍ୟ ଭାଷାରୁ ଲାଟିନର ମଧ୍ୟ ଦେଇ ଇଂରାଜୀରେ ଗୃହୀତ ହୋଇଥିବାର ଅନୂମାନ କରାଯାଇ ପାରେ । ଏହିପରି ଓଡ଼ିଆ 'ପଶୁ' ଶବ୍ଦ ସଂସ୍କୃତ 'ପଶୁ' ଶବ୍ଦରୁ ଗୃହୀତ; ମାତ୍ର ଏହି ଶବ୍ଦ ମୂଳ ଆର୍ଯ୍ୟ 'ପଶ୍' (ବା ପକ୍)ଶବ୍ଦରୁ ଜାତ । ମୂଳ ଶବ୍ଦର ଅର୍ଥ ଥିଲା ବାନ୍ଧିବା ଅର୍ଥାତ୍ ପଶୁ ଶବ୍ଦର ମୂଳ ଅର୍ଥ ଯାହା ବନ୍ଧାଯାଏ ଓ ଏହି ଶବ୍ଦ ସଂସ୍କୃତ ପାଶ ଓ ଓଡ଼ିଆ ପାଶ, ଫାଶ ଶବ୍ଦ ସହିତ ମଧ୍ୟ ସମ୍ପୃକ୍ତ । ପୁଣି ଲାଟିନରେ ଏହାର ରୂପ peen ଓ ଗବାଦି ପଶୁହିଁ ପୂର୍ବେ ଲୋକମାନଙ୍କର ଧନସ୍ୱରୂପ ଥିବାରୁ ଲାଟିନରେ ଏହାର ଅର୍ଥ ଧନ ଓ ଇଂରାଜୀ pecuniary ଶବ୍ଦରେ ଏହି ଅର୍ଥ ସ୍ୱୀକୃତ ହୋଇଅଛି । ଭାଷାତତ୍ତ୍ୱର ନିୟମ ଅନୁସାରେ ଆର୍ଯ୍ୟ 'ପ' ଇଂରାଜୀରେ 'ଫ' ଓ ଆର୍ଯ୍ୟ 'କ' ଇଂରାଜୀରେ 'ହା' ରେ ପରିଣତ ହେବା ସ୍ୱାଭାବିକ; ଏଣୁ ପଶୁ ଶବ୍ଦ ସହିତ ଇଂରାଜୀ fee ଓ ଓଡ଼ିଆ 'ଫିସ୍' ଶବ୍ଦ ମଧ୍ୟ ସମ୍ପୃକ୍ତ । 'ପଶ୍' ଶବ୍ଦର ମୂଳ 'ବାନ୍ଧିବା' ଅର୍ଥ Cambro Brittanic fasgu ଓ ଇଟାଲୀୟ fascist ଶବ୍ଦରେ ପ୍ରଚଳିତ ଓ ଲାଟିନ pactum (ଏଥିରୁ ଇଂରାଜୀ pact) ଶବ୍ଦରେ ମଧ୍ୟ ଏହି ଅର୍ଥ ଦୃଷ୍ଟ । ପୁଣି ଓଡ଼ିଆରେ 'ପେଜ' (ଇଂରାଜୀ page ରୁ ଗୃହୀତ) ଶବ୍ଦ ମଧ୍ୟ ମୂଳତଃ ଏହି ଧାତୁ ସହିତ ସମ୍ପୃକ୍ତ ଓ ଏକ ସମୟରେ ପାପିରସ ଗଛର ପତ୍ରକୁ