ପୃଷ୍ଠା:Sarala Bhashatattwa.pdf/52

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

Gymnasium = ବ୍ୟାୟାମାଗାର, tutor = ଗୃହଶିକ୍ଷକ ପ୍ରଭୃତି)। ବୈଦେଶିକ ଶବ୍ଦ ଦ୍ୱାରା ଅର୍ଥର ନାନା ପ୍ରକାର ବିଭିନ୍ନତା ପ୍ରକାଶ କରିବା ଯେ ସହଜସାଧ୍ୟ ହୋଇଅଛି, ତାହା କହିବା ବାହୁଲ୍ୟମାତ୍ର ।

ଶବ୍ଦର ରୂପଗତ ବିକୃତି

ଯେଉଁ ଶବ୍ଦଗୁଡିକ ସ୍ପଷ୍ଟ ଧ୍ୱନ୍ୟନୂକରଣ ଅଥବା ଯେଉଁଗୁଡ଼ିକ ଅତି ଆଧୁନିକ ଯୁଗରେ ସୃଷ୍ଟ, ସେମାନଙ୍କର ସହଜରେ ବିକୃତି ଘଟେ ନାହିଁ । ପୁଣି ଯେଉଁ ଶବ୍ଦ ମାନ ବିଶେଷ ଅପ୍ରଚଳିତ କିମ୍ବା କେବଳ ବିଦ୍ୱତ୍ ସମାଜରେ ପ୍ରଚଳିତ, ସେମାନଙ୍କର ମଧ୍ୟ ବିକୃତି ସାଧାରଣତଃ ଦେଖାଯାଏ ନାହିଁ । ଯେଉଁ ଶବ୍ଦ ଯେତେ ଅଧିକ ପ୍ରଚଳିତ, ସେହି ସବୁ ଶବ୍ଦରେ ଅର୍ଥଗତ ଓ ରୂପଗତ ବିକୃତି ତେତେ ଅଧିକ; ଏହି ବିକୃତି ହେତୁରୁ କାଳକ୍ରମେ ନୂତନ ଭାଷାମାନଙ୍କର ସୃଷ୍ଟି ହେବା ମଧ୍ୟ ଅସମ୍ଭବ ନୁହେଁ । ଶବ୍ଦର ପ୍ରତ୍ୟେକ ବିକୃତି ମୂଳତଃ ଭ୍ରମାତ୍ମକ, ମାତ୍ର ଲୋକସମାଜରେ ପ୍ରଚଳିତ ହେବାରୁ କ୍ରମଶଃ ଶବ୍ଦମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଘଟିଅଛି ଓ ଭାଷା ଏହିପରି ପରିବର୍ତ୍ତନ ଦ୍ୱାରା ନାନା ଭାବରେ ସମୃଦ୍ଧ ହେଉଅଛି । ବାସ୍ତବରେ ଭାଷାର ସମୃଦ୍ଧି ଅନେକାଂଶରେ ଭ୍ରମ ଉପରେ ପ୍ରତିଷ୍ଠିର, କିନ୍ତୁ କ୍ରମଶଃ ଅଭିଧାନ ଗ୍ରନ୍ଥ ପ୍ରଭୃତିର ପ୍ରଚଳନ ଯୋଗୁଁ ଆଜିକାଲି ଆଉ ଭ୍ରମର ଅବକାଶ ରହୁ ନାହିଁ ଓ ଭାଷାକୁ ସମୃଦ୍ଧ କରିବା ନିମନ୍ତେ ଅନ୍ୟାନ୍ୟ ଭାଷାରୁ ଶବ୍ଦ ଚୟନ କରିବା ପ୍ରୟୋଜନ ହେଉଅଛି ।

ବିକୃତିର କାରଣ:- ଶବ୍ଦମାନଙ୍କର ରୂପଗତ ବିକୃତି ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହାର ମୂଳରେ ଭ୍ରମ, ପ୍ରକୃତିଗତ ଆଳସ୍ୟ, ଅଜ୍ଞତା ପ୍ରଭୃତି ବିଦ୍ୟମାନ । ଓଡ଼ିଆରେ 'ତିସି' ସବ୍ଦ ସଂସ୍କୃତ 'ଅତସି' ଶବ୍ଦରୁ ଉତ୍ପନ୍ନ; ବୋଧହୁଏ ପ୍ରାଚୀନ ସଂସ୍କୃତରେ 'ଅତିସି' ଶବ୍ଦର ପ୍ରଚଳନ ଥିଲା । ପରେ ସଂସ୍କୃତରେ ଅତସି ଶବ୍ଦ ପ୍ରଚଳିତ ହୋଇଅଛି । ଏହି ଶବ୍ଦ ସହିତ ଯେ ଓଡ଼ିଆ 'ତିସି' ଶବ୍ଦର ସମ୍ପର୍କ ଅଛି, ଏଥିରେ ସନ୍ଦେହ ନାହିଁ । ମାତ୍ର ବଙ୍ଗଳାରେ ମଧ୍ୟ 'ତିସି' ଶବ୍ଦର ବ୍ୟବହାର ଥିବାରୁ ଏ ଉଭୟ (ଓଡ଼ିଆ,ବଙ୍ଗଳା) ପ୍ରାକୃତ 'ତିସି' ଶବ୍ଦରୁ ଉତ୍ପନ୍ନ ବୋଲି ଧାରଣା କରାଯାଇପାରେ ଓ ପ୍ରାକୃତରେ 'ତିସି' ରୂପ ପ୍ରଚଳିତ ଥିବାରୁ ଏହାର ମୂଳ ଶବ୍ଦ 'ଅତିସି' ବୋଲି ଅନୁମାନ କରାଯାଏ । ପ୍ରାଚୀନ 'ଅତିସି'ରୁ 'ତିସି' ର ଉଦ୍ଭବ ଆଳସ୍ୟଜନିତ ବୋଲି କୁହାଯାଇ ପାରେ । ଏହିପରି ଅଭ୍ୟନ୍ତରର ବିକୃତିଦ୍ୱାରା 'ଭିତର', 'ଉଦୁମ୍ବର'ରୁ, 'ଡିମିରି', 'ଶିଥିଳ'ରୁ 'ଢିଲା' ପ୍ରଭୃତି ଶବ୍ଦ ଉତ୍ପନ୍ନ ହୋଇଅଛି । ଏହି ଶିଥିଳ ଶବ୍ଦ ପୁଣି ମିଳ ଶବ୍ଦ ନୁହେଁ, କାରଣ