ପୃଷ୍ଠା:Sarala Bhashatattwa.pdf/56

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୁବିଧା ସକାଶେ ଘଟିଅଛି, ତାହା ସହଜରେ ଅନୁମେୟ । ଏପରି ଭାବରେ ବର୍ଣ୍ଣର ଆଗମ ଅନ୍ୟ ଅନେକ ଭାଷାରେ ମଧ୍ୟ ଘଟିଅଛି । ଇଂରାଜୀରେ number numerous, humble humility, gender generous ପ୍ରଭୃତି ଶବ୍ଦମାନଙ୍କର ବ୍ୟବହାରରେ ଆମ୍ଭେମାନେ ଏହାର ସ୍ପଷ୍ଟ ଉଦାହରଣ ପାଉଁ ଅର୍ଥାତ୍ ମ ଓ ଳ ବା ମ ଓ ର ମଧ୍ୟରେ ବ ଧ୍ୱନିର ଆବିର୍ଭାବ ଏବଂ ନ ଓ ର ବା ନ ଓ ଳ ମଧ୍ୟରେ ଡ ଧ୍ୱନିର ପ୍ରୟୋଗ ଗୋଟିଏ ସ୍ୱାଭାବିକ ବିକୃତି ଓ ଏହାର ଉଦାହରଣ ଅନ୍ୟାନ୍ୟ ଭାଷାରେ ମଧ୍ୟ ଦେଖାଯାଏ । ପାଲିରେ 'ତାମ୍ର' ସ୍ଥାନରେ 'ତମ୍ବ' 'ଆମ୍ର' ସ୍ଥାନରେ 'ଅମ୍ବ' ମଧ୍ୟ ଏହି ରୀତି ଅନୁସରଣ କରି ଘଟିଥିଲା ଓ ଏହି ଶବ୍ଦମାନଙ୍କରୁ 'ତମ୍ବା' ଓ 'ଆମ୍ବ' ଶବ୍ଦମାନ ଓଡ଼ିଆରେ ପ୍ରଚଳିତ ହୋଇଅଛି । ଏଠାରେ ଲକ୍ଷ୍ୟ କରିବାକୁ ହେବ, ଶବ୍ଦର ବିକୃତି ପ୍ରଥମେ ଓଡ଼ିଆ ଭାଷାରେ ଘଟିଅଛି କିମ୍ବା ଅନ୍ୟ ଭାଷାରେ ଘଟି ସେହି ବିକୃତ ରୂପ ଓଡ଼ିଆରେ ପ୍ରଚଳିତ ହୋଇଅଛି, ଏହା ଭାଷାତତ୍ତ୍ୱରେ ଆଲୋଚନା କରିବାର ବିଷୟ । ଅର୍ଥାତ୍ ଆମ୍ବରେ ଯେପରି 'ବ'ର ଆଗମ ପାଲି ଭାଷାରେ ଘଟି 'ଆମ୍ବ' ଶବ୍ଦଟି ଅଳ୍ପ ବିକୃତ ଭାବରେ ପାଲିରୁ ଓଡ଼ିଆରେ ପ୍ରଚଳିତ ହୋଇଅଛି ସେହିପରି stable ଶବ୍ଦର 'ଅସ୍ତାବଲ' ରୂପବିକୃତ ଅନ୍ୟ ଭାଷାରେ (Portugese)ଘଟି ସେହି ବିକୃତ ପଦଟି ଅବିକୃତ ଭାବରେ ଓଡ଼ିଆରେ ବ୍ୟବହୃତ ହେଉଅଛି । ଅଜ୍ଞ ଲୋକମାନେ ପୁଣି ଭିନ୍ନ ଦେଶୀୟ ଭାଷାରେ ଶବ୍ଦକୁ ଇଚ୍ଛାନୁସାରେ ନିଜ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କ ସହିତ ସମ୍ପୃକ୍ତ କରିଥାନ୍ତି । Lantern କୁ 'ଲାଲଟିଣ' Municipality କୁ 'ମୁନ୍ସିପାଲଟି' ଉଚ୍ଚାରଣ କରିବାଦ୍ୱାରା ଶବ୍ଦମାନଙ୍କୁ ବିକୃତ କରିଥାନ୍ତି । ଅଜ୍ଞାତ ଭାଷାର ଶବ୍ଦମାନଙ୍କୁ ପରିଚିତ ଶବ୍ଦମାନଙ୍କ ସହିତ ସମୀକରଣ କରିବାର ଚେଷ୍ଟା ଅନ୍ୟ ଭାଷାରେ ମଧ୍ୟ ଦେଖାଯାଏ ।

ଆର୍ଯ୍ୟଭାଷାର ଶବ୍ଦମାନଙ୍କର ସମୀକରଣ - ଭାଷାତତ୍ତ୍ୱ ଆଲୋଚନା କରି ଦେଖାଯାଇଅଛି ଯେ, ଆର୍ଯ୍ୟ ଭାଷାଗୋଷ୍ଠୀର ଅନ୍ତର୍ଗତ ଶବ୍ଦମାନଙ୍କର କେତେଗୁଡ଼ିଏ ସାଧାରଣ ବିକୃତି ହୋଇଥାଏ ଓ ଏହି ବିକୃତିମାନଙ୍କ ବିଷୟରେ କେତେକଗୁଡ଼ିଏ ସାଧାରଣ ନିୟମ ମଧ୍ୟ ଆବିଷ୍କୃତ ହୋଇଅଛି । ଏକ ଦିଗରେ ଓଡ଼ିଆ ଶବ୍ଦ ଓ ଅନ୍ୟ ଦିଗରେ ଇଂରାଜୀ ଶବ୍ଦମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଓଡ଼ିଆରେ ଯେଉଁ ଶବ୍ଦମାନଙ୍କର ଘ ଝ ଢ଼ ଧ ଭ ଧ୍ୱନିମାନ ଅଛି, ଅନୁରୂପ ଶବ୍ଦମାନଙ୍କରେ ଇଂରାଜୀରେ ଗ ଜ ଡ଼ ଦ ବ ଧ୍ୱନିମାନ ସାଧାରଣତଃ ମିଳିଥାଏ । ପୁଣି ଓଡ଼ିଆରେ ଯେଉଁ ଯେଉଁ ସ୍ଥାନରେ ଗ ଜ ଡ ଦ ବ ଧ୍ୱନି ଥାଏ, ଇଂରାଜୀରେ ଅନୁରୂପ କ୍ଷେତ୍ରରେ