ପୃଷ୍ଠା:Sarala Bhashatattwa.pdf/63

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଥିକ ଭାଷାର ମଧ୍ୟ ଦେଇ yard (ଯାହାଦ୍ୱାରା ଆଘାତ କରାଯାଏ) ପ୍ରଭୃତି ଶବ୍ଦ ଇଂରାଜୀରେ ପ୍ରଚଳିତ ହୋଇଅଛି । 'ଘସ୍' ଶବ୍ଦର ଆଘାତ କରିବା ଅର୍ଥ ସମ୍ପ୍ରସାରିତ ହୋଇ 'ଖାଇବା' ଅର୍ଥରେ ପ୍ରଯୁକ୍ତ ହେଉଥିବାରୁ ଏକ ଦିଗରେ ଏଥିରୁ ସଂସ୍କୃତ 'ଘସ୍' ଧାତୁ (ଖାଇବା ଅର୍ଥରେ ଯଥା 'ଜଘାସ') ଓ ସେଥିରୁ ହଂସ ପ୍ରଭୃତି ଶବ୍ଦ ଏବଂ ଅନ୍ୟ ଦିଗରେ ଲାଟିନର ମଧ୍ୟ ଦେଇ hostel, hotel, hospital, hospitality ଶବ୍ଦ ଉତ୍ପନ୍ନ; ପୁଣି ଏହି 'ମୂଳ 'ଘସ୍' ଧାତୁରୁ ପରବର୍ତ୍ତୀକାଳରେ ସଂସ୍କୃତ 'ହସ୍' ଧାତୁ ନିଷ୍ପନ୍ନ କରାଯାଇ ସେଥିରୁ ହାସ୍ୟ ପ୍ରଭୃତି ଶବ୍ଦ ମଧ୍ୟ ଉତ୍ପନ୍ନ ହୋଇଥିବା ସମ୍ଭବ, କିନ୍ତୁ ହସ୍ତ ଶବ୍ଦ ଯେ ଏହି 'ଘସ୍' ଧାତୁରୁ ଉତ୍ପନ୍ନ 'ହସ୍' ଶବ୍ଦ ସହିତ ସମ୍ପୃକ୍ତ, ଏଥିରେ ସନ୍ଦେହର ଅବକାଶ ନାହିଁ ଅର୍ଥାତ୍ ହସ୍ତର ମୂଳ ଅର୍ଥ ଯାହାଦ୍ୱାରା ଆଘାତ କରାଯାଏ । ଏହି 'ହସ୍ତ' ଶବ୍ଦ ସହିତ ଇଂରାଜୀ 'yard' ଶବ୍ଦର ସମୀକରଣ କରାଯାଇ ପାରେ ।

ଶବ୍ଦର ଇତିହାସ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ବାସ୍ତବରେ ଅନେକ ସ୍ଥାନରେ ଆମ୍ଭମାନଙ୍କୁ ଅନୁମାନ ଉପରେ ନିର୍ଭର କରିବାକୁ ହୁଏ, କାରଣ ଶବ୍ଦମାନଙ୍କର ବିକୃତି ଅତି ଧୀରେ ଧୀରେ ସାଧିତ ହୋଇଥାଏ । ଏହି ବିକୃତିର ପ୍ରତ୍ୟେକ ସ୍ତରର ପ୍ରାମାଣିକ ପରିଚୟ ନ ମିଳିଲେ ଭାଷାତତ୍ତ୍ୱ ଅନୁସାରେ ଶବ୍ଦଟିର ସମ୍ପୂର୍ଣ୍ଣ ଭାଷ୍ୟ ମିଳି ନ ପାରେ । ଇଂରାଜିରେ ପ୍ରତ୍ୟେକ ଶବ୍ଦର ଇତିହାସ ଯଥାଯଥଭାବରେ ଆଲୋଚିତ ହୋଇ ପ୍ରମାଣ ସହିତ ଲିଖିତ ହୋଇଅଛି । ମାତ୍ର ଓଡ଼ିଆ ପ୍ରଭୃତି ଅନେକ ଭାଷାରେ ଏପରି ପ୍ରାମାଣିକ ଗ୍ରନ୍ଥର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । ଯେଉଁମାନେ ଓଡ଼ିଆ ଭାଷାର ଆଲୋଚନା କରନ୍ତି, ସେମାନେ ପ୍ରାୟ ସମସ୍ତେ ତତ୍‌ସମ, ତଦ୍‌ଭବ ଓ ଦେଶଜ ଏହି ତିନି ଶ୍ରେଣୀରେ ଶବ୍ଦମାନଙ୍କୁ ଶ୍ରେଣୀବଦ୍ଧ କରିଦେଇ ଭାଷାବିଚାର କାର୍ଯ୍ୟ ସାଙ୍ଗ କରି ଦେଇଥାନ୍ତି । ଏପରି କି ଅନେକ କ୍ଷେତ୍ରରେ ଶବ୍ଦର ପୂର୍ଣ୍ଣ ଇତିହାସ ଆବିଷ୍କୃତ ହୋଇଥିବା ସ୍ଥଳେ ତାହା ପ୍ରତି ମଧ୍ୟ ସମସ୍ତେ ଅବହିତ ହୁଅନ୍ତି ନାହିଁ । ଓଡ଼ିଆ 'ତମାଖୁ' ଶବ୍ଦ ସଂସ୍କୃତରେ 'ତାମ୍ରକୂଟ'ରୁ ଉତ୍ପନ୍ନ ବୋଲି ଅନେକଙ୍କର ମତ, ମାତ୍ର ବାସ୍ତବିକ ଏହି ଶବ୍ଦଟି ସଂସ୍କୃତରେ ପରବର୍ତ୍ତୀକାଳରେ ଅନ୍ୟ ଭାଷାରୁ ଅନୁକୃତ । ସ୍ପେନ ଦେଶୀୟ ଲୋକମାନେ ଯେତେବେଳେ ଆମେରିକା ମହାଦେଶରେ ରାଜତ୍ୱ କରୁଥିଲେ, ସେ ସମୟରେ ୟୁକାତନ ପ୍ରଦେଶର ଟାବାକୋ ନାମକ ସ୍ଥାନ କିମ୍ବା ତତ୍‌ସଂଲଗ୍ନ 'ଟେବାଗୋ' ନାମକ ଦ୍ୱୀପରେ ଉତ୍ପନ୍ନ ପତ୍ରବହୁଳ କ୍ଷୁଦ୍ରବୃକ୍ଷ (ଚାରାଗଛ)କୁ ଲକ୍ଷ୍ୟ କରି ଏହାର ନାମ tabaco ଦେଇଥିଲେ । ସ୍ପେନୀୟ ଭାଷାରୁ ଏହା କ୍ରମଶଃ ଫରାସୀ ଓ ଇଟାଲୀୟ ଭାଷାରେ ପ୍ରବର୍ତ୍ତିତ ହୋଇଥିଲା । ପରେ ଉର୍ଦ୍ଦୁ