ପୃଷ୍ଠା:Sarala Bhashatattwa.pdf/78

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଥ ବୈସାଦୃଶ୍ୟ ଘଟିଅଛି । ଯାହା ଏକ ସମୟରେ 'ବାୟୁ' ଅର୍ଥରେ ପ୍ରଯୁକ୍ତ ହେଉଥିଲା, ତାହା ବର୍ତ୍ତମାନ ବାୟୁପ୍ରକୋପଜନିତ ଉନ୍ମତ୍ତତା ଅର୍ଥରେ ପ୍ରଯୁକ୍ତ ହେଉଅଛି । ମଦ, ଭାତ, ବାହୁଙ୍ଗା, ରସ, ଦଣ୍ତ ପ୍ରଭୃତି ନାନା ଶବ୍ଦରେ ଏହିପରି ଅର୍ଥଗତ ବିପର୍ଯ୍ୟୟ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ଓ ଅତି ପ୍ରଚଳିତ ଶବ୍ଦମାନଙ୍କରେ ମଧ୍ୟ ଏହାର ଭୂରି ଭୂରି ଉଦାହରଣ ଦେଖାଯାଏ ।

କେତେକ ସମୟରେ ଇଚ୍ଛାକୃତଭାବରେ ଆମ୍ଭେମାନେ ଅର୍ଥର ପାର୍ଥକ୍ୟ ନିର୍ଦ୍ଦେଶ କରିଥାଉଁ । ସାଧାରଣତଃ ବ୍ୟାକରଣ ଗତ ପ୍ରତ୍ୟୟ ଆଦିଦ୍ୱାରା ଏହା ସାଧିତ ହୋଇଥାଏ । ଓଡ଼ିଆ 'ଚକ' ଓ 'ଚକତି' ବାସ୍ତବରେ ଏକ ଶବ୍ଦରୁ ଉତ୍ପନ୍ନ, ମାତ୍ର ବର୍ତ୍ତମାନ ଏମାନେ ଭିନ୍ନ ଅର୍ଥରେ ବ୍ୟବହୃତ । ଅର୍ଥର ଏହି ପାର୍ଥକ୍ୟ ଗୋଟିଏ ଶବ୍ଦରେ 'ତି'ର ସଂଯୋଗଦ୍ୱାରା ସୂଚିତ ହୋଇଅଛି ଏବଂ ଆମ୍ଭେମାନେ ଚକିତଦ୍ୱାରା 'କ୍ଷୁଦ୍ର ଆୟତନବିଶିଷ୍ଟ ଚକ' ଏହି ଅର୍ଥ ପାଇଥାଉଁ ଓ କ୍ଷୁଦ୍ରତାସୂଚକ 'ତି' ବା 'ଇ'ର ବ୍ୟବହାର ଆମ୍ଭେମାନେ 'ତକତି' ଶବ୍ଦରେ ମଧ୍ୟ ଦେଖିଥାଉଁ । ଏହିପରି ଖଟ ଓ ଖଟୁଲି, କନ୍ଥା ଓ କାନ୍ଥୁଡି, କାଠ ଓ କାଠି, ଗୋଲା ଓ ଗୁଲି, ବଡ଼ା ଓ ବଡ଼ି ମଧ୍ୟରେ ଅର୍ଥଗତ ଯେଉଁ ପାର୍ଥକ୍ୟ ଦେଖାଯାଏ, ତାହା ମୂଳତଃ ଗୋଟିଏ ପ୍ରତ୍ୟୟ ଯୋଗରୁ ଘଟିଅଛି । ଏଗୁଡ଼ିକ ଇଚ୍ଛାକୃତ ଓ ଗୋଟିଏ ପ୍ରୟୋଗର ଅନୁକରଣରେ ଅନ୍ୟ ଗୁଡିକ ପ୍ରଯୁକ୍ତ । ବ୍ୟାକରଣ ଗତ ପ୍ରତ୍ୟେକ ପ୍ରତ୍ୟୟ, ପ୍ରତ୍ୟେକ ପୂର୍ବ ପ୍ରୟୋଗ, ପ୍ରତ୍ୟେକ ଉପପଦ ଓ ପ୍ରତ୍ୟେକ ଉପସର୍ଗ ମଧ୍ୟ ଏହିପରି ଭାବରେ ଶବ୍ଦର ଅର୍ଥକୁ ନାନା, ପ୍ରକାରରେ ନିୟନ୍ତ୍ରିତ କରେ । ଏହି ନିୟନ୍ତ୍ରଣଦ୍ୱାରା ଭାଷା ସମୃଦ୍ଧ ହେଉଅଛି ଓ ଶବ୍ଦମାନଙ୍କ ପ୍ରୟୋଗରେ ସୁବିଧା ମଧ୍ୟ ଘଟୁଅଛି । ଅନୁକରଣ ଦ୍ୱାରା ଓ ଅର୍ଥଗତ ବିକାରଦ୍ୱାରା ଭାଷାର ଶବ୍ଦସମ୍ଭାର ଓ ଅର୍ଥପ୍ରକାଶିକା ଶକ୍ତି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଅଛି ।

ଅନେକ ସମୟରେ ଆମ୍ଭେମାନେ ଶବ୍ଦ ଅର୍ଥକୁ କୌଣସି ଗୋଟିଏ ସ୍ତରରେ ପ୍ରଯୁକ୍ତ ଶବ୍ଦରୁ ଗ୍ରହଣ କରିଥାଉଁ । ଓଡ଼ିଆରେ ଆମ୍ଭେମାନେ ଯେଉଁ 'ଫିଟିନ୍ ଗାଡ଼ି' ପ୍ରୟୋଗ କରିଥାଉଁ, ସେହି ଶବ୍ଦର ଅର୍ଥ ଗୋଟିଏ ପ୍ରକାର ଘୋଡାଗାଡି । ଏ ଶବ୍ଦଟି ବାସ୍ତବିକ ଇଂରାଜୀ phaeton ଶବ୍ଦରୁ ଗୃହୀତ । ମାତ୍ର phaeton ଶବ୍ଦର ବିଶଦ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହି ଶବ୍ଦଟି ମୂଳ ଆର୍ଯ୍ୟ ଭାଷାର 'ଭା' ଧାତୁ ସହିତ ସମ୍ପୃକ୍ତ ଓ 'ଭା' ଧାତୁର ଅର୍ଥ ଦୀପ୍ତିମାନ୍ ଓ ଏହି 'ଭା' ଧାତୁ ସହିତ photo, fancy ପ୍ରଭୃତି ଶବ୍ଦଗୁଡ଼ିକ ମଧ୍ୟ ସମ୍ପୃକ୍ତ । ଗ୍ରୀକ୍ ଭାଷାରେ ଏହି 'ଭା' ଧାତୁରୁ phaethon ଶବ୍ଦ ଉତ୍ପନ୍ନ ହୋଇଥିଲା ଓ ଏହି phaethon ସୂର୍ଯ୍ୟଙ୍କର ସାରଥି ରୂପରେ କଳ୍ପିତ ହୋଇ