ପୃଷ୍ଠା:Chha mana atha guntha.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟ ଜଣେ ଟାଣ ପଣ୍ତିତ । ପୋଥିରୁ ଡୋରି ନ ଫିଟାଇ ପାଞ୍ଚ ବର୍ଗ ଅଭିଯାନ କରାଯାଇପାରନ୍ତି । ପଣ୍ତିତଙ୍କ ସାଆନ୍ତବାପାଙ୍କର ମଉଳା ପୁଅ ଭାଇଙ୍କର ଭିଣୋଇର ମାଉସୀପୁଅ ଭାଇ ନବଦ୍ୱୀପ ଯାଇ ନ୍ୟାୟଶାସ୍ତ୍ର ପଢ଼ି ଆସିଥିଲେ । ସାରକଥା, ଖାଡ଼ଙ୍ଗାବଂଶ ସକାଶେ ଶାସନର ବିଦ୍ୟା କେତେବେଳେ ଛାଡ଼ ନାହିଁ । ଏହାଙ୍କ ଦାଣ୍ତ ପିଣ୍ତାରେ ଚୌପାଢ଼ୀ, ଶାସନ ପିଲାମାନେ ଦୁଇଓଳି ପଢ଼ନ୍ତି, ଏକଚାଳିଶ କର୍ମ କର୍ମାଙ୍ଗ ଷୋଳ ପଣ ଏହିଠାରେ ପଢ଼ାହୁଏ । କେହି କେହି ପିଲା ବର୍ଗେ ଦୁଇ ବର୍ଗ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମଧ୍ୟ ଲାଭକରନ୍ତି ।

ପଶ୍ଚିମ ସାହାଲା ତନ୍ତୀ ସାହିରେ ତନ୍ତୀ ଦେଢ଼ଶ ଘର, ଏହି ସାହିର ଗୋହରୀଟା ସଫାସୁତୁରା, ଖତଗାଡ଼, ଗୋବରଗଦା କିଛିନାହିଁ ଆପଣ ମନେକଲେଣି, ଏଠାରେ ପାଞ୍ଚ ଆଇନ ଜାରି ଅଛି । ମିଉନିସିପାଲିଟିର ଶଗଡ଼ ଆସି ଅଳିଆ ସବୁ ଉଠାଇ ନେଇଯାଏ । ଆପଣଙ୍କୁ ସାବଧାନ କରିଦେଉଛୁଁ, ଆମ୍ଭମାନଙ୍କଠାରୁ ନ ଶୁଣି କୌଣସି କଥା ସିଦ୍ଧାନ୍ତ କରିପକାଇବେ ନାହିଁ । ଅନେକ ଅନୁସନ୍ଧାନ, ଅନେକ ପ୍ରମାଣ ସଂଗ୍ରହ କରି ଆମ୍ଭମାନଙ୍କୁ ଲେଖିବାକୁ ହୁଏ । ଆପଣ ମାନଙ୍କର ଏପରି ଭ୍ରମ ଅପନୋଦନ ନିମନ୍ତେ ଆମ୍ଭମାନଙ୍କର ଏତେ ପରିଶ୍ରମ, ନୋହିଲେ ପ୍ରୟୋଜନ କ"ଣ ? ପୁଣି ଏଣୁ ତେଣୁ ଗୁଡ଼ାଏ ଲେଖିପକାଇବା ଆମ୍ଭମାନଙ୍କ ଅଭ୍ୟାସର ବୀପରୀତ । ଆକଟ୍ୟ ପ୍ରମାଣ ନ ପାଇଲେ କିମ୍ବା ଯାହା ନ୍ୟାୟଶାସ୍ତ୍ରସଙ୍ଗତ ନୁହେଁ, ଏମାନଙ୍କ କଥାଗୁଡାକ ଆମ୍ଭେମାନେ ଶୁଣୁନାହୁଁ । ଯାହା ଲେଖିବୁ, ସେ କଥାଗୁଡ଼ିକ ନ୍ୟାୟଶାସ୍ତ୍ର ଅନୁସାରେ ପ୍ରମାଣ କରାଇ ଦେବୁଁ, ଆପଣଙ୍କର ପାଟି ଫିଟାଇବା ବାଟ ନଥିବ । ଦେଖନ୍ତୁ ପ୍ରମାଣ ପ୍ରୟୋଗ ନିମନ୍ତେ ନ୍ୟାୟଶାସ୍ତ୍ର କହନ୍ତି, "ପର୍ବତୋବହ୍ନିମାନ୍ ଧୂମାତ୍" ଅର୍ଥାତ୍ ପର୍ବତରୁ ଧୂଆଁ ବାହାରୁଛି କିପାଁ ? ନା, ଭିତରେ ନିଆଁ ଅଛି । ମହାନଦୀର ପାଣି ବଢ଼ିଆସୁଛି । ଦେଖିଲେ ଜାଣିବ, ଉପରେ ଭାରି ବର୍ଷା ହୋଇଗଲାଣି । କାର୍ଯ୍ୟକାରଣର ଗୋଟିଏ ଏମନ୍ତ ନିତ୍ୟ ସମ୍ବନ୍ଧ ଅଛି । 'ନ କାର୍ଯ୍ୟଂ କାରଣଂ ବିନା' କାରଣ ନ ଥିଲେ କାର୍ଯ୍ୟ ହୁଏ ନାହିଁ । ଏଠାରେ ନଦୀ ବୃଦ୍ଧିର କାରଣ ହେଲା ବୃଷ୍ଟି । ସେହିପରି ଆମ୍ଭେମାନେ ଅକାଟ୍ୟ ଯୁକ୍ତି ଦେଖାଇ ପ୍ରମାଣ କରିଦେଇପାରୁ