ପୃଷ୍ଠା:Krutrima upagrahara jayajatra.pdf/୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଉଚ୍ଚଶିକ୍ଷା ନଥିଲା । ମାତ୍ର ସ୍ୱାଧ୍ୟୟନ ଫଳରେ ବିଶେଷଜ୍ଞାନ ଅର୍ଜନ କରିଥିଲେ ଏବଂ ପଦାର୍ଥ ବିଜ୍ଞାନର ଅଧ୍ୟାପନା କରିବାକୁ ସମର୍ଥ ହୋଇଥିଲେ । ସେ ଗଣିତ ସାହାଯ୍ୟରେ ଦେଖାଇ ଦେଇଥିଲେ ଯେ ରକେଟକୁ ବ୍ୟବହାର କରି ମନୁଷ୍ୟ ତାର ମହାକାଶ ଯାନରେ ଚନ୍ଦ୍ରଲୋକକୁ ଯାତ୍ରା କରିପାରିବ । ରାଇଟ ଭାଇମାନେ (Wright Brothers) ୧୯୦୩ ମସିହାରେ ଉଡ଼ାଜାହାଜ ଉଡ଼ାଇବାରେ ସଫଳ ହେଲାବେଳେ, ଟୋକୋଭଷ୍କି ତାଙ୍କର ଏହି ନୂତନ ତଥ୍ୟକୁ ମୁଦ୍ରଣାକାରରେ ପ୍ରକାଶ କରିଥିଲେ । ସେ ମଧ୍ୟ ଜଣାଇଥିଲେ ଯେ ସୌରଶକ୍ତିର ଉପଯୋଗ କରି ମନୁଷ୍ୟ ଭୂପୃଷ୍ଠରୁ ହଜାର ହଜାର କିଲୋମିଟର ଦୂରରେ ନଗରମାନ ସୃଷ୍ଟି କରିବ ଏବଂ ସେହିସବୁ ନଗର ପୃଥିବୀକୁ ପରିକ୍ରମା କରିବ । ସେ ପୁଣି କହିଥିଲେ ଯେ ପୃଥିବୀ ମନୁଷ୍ୟର ଦୋଳି । ମାତ୍ର ଏହି ଦୋଳିରେ ସେ ବେଶୀଦିନ ରହିପାରିବ ନାହିଁ ।

ଟୋକୋଭଷ୍କିଙ୍କର ସମସାମୟିକ ନିକୋଲାଇ କିବାଲଚିକ ଅଳ୍ପ ବୟସରୁ ଜଣେ ବିପ୍ଳବୀ ଭାବରେ ପରିଚିତ ହୋଇଥିଲେ । ସେ ବୋମା ତିଆରି କରି ଋଷର ସମ୍ରାଟ ଜାରଙ୍କ ରେଳଗାଡ଼ିକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ମୃତ୍ୟୁଦଣ୍ଡର ଆଦେଶ ପାଇଥିଲେ । ସେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ଏବଂ ମୃତ୍ୟୁଦଣ୍ଡକୁ ଅପେକ୍ଷା କଲାବେଳେ ରକେଟ ବିଜ୍ଞାନ ଉପରେ ଲେଖାଲେଖି କରିଥିଲେ । ସେଥିରେ ସେ ବାରୁଦ ସାହାଯ୍ୟରେ ମନୁଷ୍ୟ ମହାକାଶଯାତ୍ରା କରିପାରିବ, ଏହାର ସୂଚନା ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବକୁ ବିଜ୍ଞାନୀଗଣ ପରୀକ୍ଷା କରି ଦେଖିବାକୁ ନିବେଦନ କରିଥିଲେ । ମାତ୍ର ଏହି କଥା ୧୯୧୭ ଅକ୍ଟୋବର ବିପ୍ଳବ ପର୍ଯ୍ୟନ୍ତ କାହାର ଦୃଷ୍ଟିକୁ ଆସିନଥିଲା ।


ତରଳ ଇନ୍ଧନ

ଆମେରିକାର ପଦାର୍ଥ ବିଜ୍ଞାନୀ ରବର୍ଟ ହୁଚିଙ୍ଗ ଗୋଡ଼ାଡ଼ ରକେଟ ବିଜ୍ଞାନର ବିକାଶରେ ଖୁବ ସହାୟକ ହୋଇଥିଲେ । ମାତ୍ର ରକେଟ ଚଳାଇବା ପାଇଁ ସେ ବାରୁଦ ବଦଳରେ ଏକ ତରଳ ଇନ୍ଧନ ଅଧିକ ସୁବିଧାଜନକ