ପୃଷ୍ଠା:Kaunri Kamachandira dese.pdf/27

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତେଣୁ ସକାଳ ସାଢ଼େ୭ଟାରେ ମୁଁ ପ୍ରସ୍ତୁତ ହୋଇଥିବି । କାର୍ ଆସି ମୋତେ ଅତିଥିଶାଳାରୁ ନେବ । ମୁଁ ଏହି ପ୍ରସ୍ତାବ ଆନନ୍ଦରେ ଗ୍ରହଣ କରିନେଲି ।

ମାତ୍ର ସକାଳୁ ନିତ୍ୟକର୍ମ ସାରି ଅପେକ୍ଷା କରିଛି । ଚତୁର୍ଦ୍ଦିଗରୁ ପ୍ରବଳ ବର୍ଷା ଓ ବତାସ ଘୋଟି ଆସିଲା । କଳାହାଣ୍ଡିଆ ମେଘ ସହିତ ଭୟଙ୍କର ଘଡ଼ଘଡ଼ି । ମଝିରେ ମଝିରେ ମୁଣ୍ଡ ଉପରେ ଚଡ଼ଚଡ଼ି ପଡ଼ିଗଲା ପରି ଲାଗୁଥାଏ । ଏହି ଅବସ୍ଥାରେ ବିଚରା ଡ୍ରାଇଭର କାର୍ କେମିତି ଆଣିବ ? ହତାରେ ଆଣ୍ଠୁଏ ପାଣି । ଅତିଥି ଭବନ ବାରଣ୍ଡାରେ ମଧ୍ୟ ଖୁବ୍ ବର୍ଷା । ଆସାମର ଚେରାପୁଞ୍ଜିରେ ବର୍ଷାପାତ କଥା ମନେ ପଡ଼ିଲା । ଏଠାରେ ସର୍ବାଧିକ ବର୍ଷା ହୁଏ ବୋଲି ଆମେ ଭୁଗୋଳ ବହିରେ ପଢ଼ିଥିଲୁ ।

୮ଟା ୧୫ମିନିଟରେ ବର୍ଷା ଟିକିଏ କମିବାରୁ କାର୍ ପହଞ୍ଚିଲା । ଆମେ କାମାକ୍ଷା ଦର୍ଶନରେ ବାହାରିଲୁ । ମାଲିଗାଓଁ ବଜାର ମଧ୍ୟରେ କାର୍ ଚାଲିଲା । ଉଚ୍ଚରୁ ଉଚ୍ଚତର ବଣ ପାହାଡ଼ିଆ ରାସ୍ତାରେ ଉଠିଲା । ଡ୍ରାଇଭର ନାଁ କୁତବ୍ । ମୁସଲମାନ ପିଲାଟିଏ । ଖୁବ ପରିଶ୍ରମୀ ଓ ଚତୁର । ତା'ର ବ୍ୟବହାର ମଧ୍ୟ ଭଲ ।

ସବୁଜ ସୁନ୍ଦର ପ୍ରକୃତି ମଧ୍ୟରେ ଅମେ ଉପରକୁ ଉଠିଲୁ । ଆମ ରହଣି ସ୍ଥାନରୁ କାମାକ୍ଷା ମନ୍ଦିର ପ୍ରାୟ ୧୦ କିଲୋମିଟର । ବଣ ପାହାଡ଼ିଆ ରାସ୍ତା ହୋଇଥିବାରୁ ସମ୍ଭବତଃ ଗତକାଲି ଶର୍ମା ସନ୍ଧ୍ୟା ଦର୍ଶନ ପାଇଁ ଉପଦେଶ ଦେଇନଥିଲେ ।

ଆମକୁ ଏବେ ଆଗକୁ ୩/୪ କିଲୋମିଟର ଯିବାକୁ ହେବ ମନ୍ଦିର ପାଖରେ ପହଞ୍ଚିବା ପାଇଁ । ପୂରା ଉଠାଣି ରାସ୍ତା । ହଠତ ଗାଡ଼ିଟି ରହିଗଲା । କ'ଣ ଅସୁବିଧା ପରୀକ୍ଷା ନିରୀକ୍ଷା କରିବାରେ କୁତବ୍ ବିଚରା ଲାଗିଗଲା । ଶେଷରେ କହିଲା - ତେଲ ଆଦୌ ନାହିଁ । ମୁଁ ପଚାରିଲି କ'ଣ କରିବା ? କାହାକୁ ମାଗିବା ?

ବହୁଗାଡ଼ି ସେଇ ରାସ୍ତାରେ ଯାଉଥିଲେ । କିନ୍ତୁ ଆଜିର ମହର୍ଗ କାଳରେ କାହାକୁ ତେଲ ମାଗିବାକୁ ମନ ହେବ ! କୁତବ୍ ଗାଡ଼ି ପଛ ଡିକି ଖୋଲିଲା ପ୍ଲାଷ୍ଟିକ ପାଇପ ଲଗାଇ

                            ୨୭