ପୃଷ୍ଠା:Kaunri Kamachandira dese.pdf/33

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡକ୍ଟର ଶର୍ମାଙ୍କୁ ସେଦିନର ଅନୁଭୁତିରୁ କିଛି କହିଲି । ମୁଁ ଜଳଖିଆ ଖାଇନାହିଁ ବୋଲି କୁତବ୍ ତାଙ୍କୁ କହିବାରୁ ସେ ଚା' ସିଙ୍ଗଡ଼ା ଓ ବିସ୍କୁଟ ଦେଲେ । ତା'ପରେ ଉଚ୍ଚ ଶିକ୍ଷା ଲକ୍ଷ୍ୟ ସମ୍ପର୍କରେ ବକ୍ତୃତାଟିଏ ଦେଲି । ଭଟାଚାର୍ଜୀ(କୋର୍ସର ସଂଯୋଜକ)ଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇବାକୁ ଗଲି । ସାଥିରେ ଆମର କୁତବ୍ ମଧ୍ୟ ଖାଇଲା । ସେଠାରେ ଅଧିକାଂଶ ଆମିଷାଶୀ । ତେଣୁ ମାଛମାଂସ ଓ ଅଣ୍ଡାର ଖୁବ୍ ଚଳଣି । ତେଣୁ ମୋ ପରି ଶାକାହାରୀଙ୍କ ଖାଦ୍ୟ ଖୁବ୍ ସୀମିତ । ତେବେ ସେମାନେ ମୋ ଯତ୍ନ ନେବାରେ ହେଳା କଲେ ନାହିଁ । ମିଠାଟିଏ ଦେଲେ । କାକୁଡ଼ି ପରି ଦିଶୁଥିବା ଗୋଟିଏ ପଦାର୍ଥକୁ କାଟିକରି ଦେଇଥିଲେ । କିନ୍ତୁ ତାହା ଦେଖିବାକୁ ଗଙ୍ଗାକୂଳିଆ ଲେମ୍ବୁପରି । ବରଂ ତା'ଠାରୁ ଲମ୍ବା ।

ଗୌହାଟୀ ଦର୍ଶନ

ଡକ୍ଟର ଶର୍ମା ଓ ଦୁଇଜଣ ତାଲିମ ପାଉଥିବା ଅଧ୍ୟାପକଙ୍କ ସହିତ ଗୌହାଟୀ ବଜାରକୁ ଗଲି । ବ୍ରହ୍ମପୁତ୍ର ନଦୀ ପାର୍ଶ୍ୱରେ ବହୁବାଟ ଗଲୁ । ଖୁବ୍ ଏକ ଉଚ୍ଚସ୍ଥାନରେ ଆସାମର ରାଜଭବନ । ତାକୁ ସାମନା କରି ଏକ ତ୍ରିତାରକା ହୋଟେଲ । ତା'ପାଖକୁ ଯାଇ ଦେଖିଲି ବ୍ରହ୍ମପୁତ୍ର ନଦୀର କେଡ଼େ ଶୋଭା । ଦୁଇକୂଳ ଖାଇ ଦେଇ ନଦୀ ଜଳ ଯେକୌଣସି ସମୟରେ ସୀମା ଟପିବାର ଆଶଙ୍କା ।

ସେଠାରୁ ବନ୍ଧୁମାନେ ମୋତେ ନଦୀ ମଧ୍ୟରେ ଥିବା ଏକ ତୋଟାକୁ ଦେଖାଇ ଦେଲେ । ତା' ହେଉଛି 'ଉମାନନ୍ଦ' । ସେଠାରେ ଏକ ପ୍ରସିଦ୍ଧ ଶିବମନ୍ଦିର ରହିଛି । ଗୋଟିଏ ଛୋଟ ଦ୍ୱୀପ ପରି ବ୍ରହ୍ମପୁତ୍ର ନଦୀ ମଧ୍ୟରେ ତାହା ଅବସ୍ଥିତ । ମହାଦେବଙ୍କ ନାମ ଭସ୍ମାଚଳ । ଦିନେ ମହାଦେବଙ୍କ ଆଖିରୁ ରାଗର ନିଆଁ ବାହାରିଥିଲା । ତାହା କାମଦେବକୁ ଜାଳିପୋଡ଼ି ପାଉଁଶ କରିଥିଲା । ଶିବରାତ୍ରୀ ଦିନ ଏଠାରେ ବଡ଼ ମେଳା ହୁଏ । ଏଠାରେ ଥିବା ମନ୍ଦିର ମଧ୍ୟରେ ଅନାଦି ଶିବଲିଙ୍ଗ, ରୂପାର ଷଣ୍ଢ, ପାଞ୍ଚୋଟି ମୁହଁ ଓ ଦଶୋଟି ହାତଥିବା ଉମାନନ୍ଦଙ୍କ ମୂର୍ତ୍ତି ।

୩୩