ପୃଷ୍ଠା:Kaunri Kamachandira dese.pdf/40

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ରହ୍ମା ପରମ ପିତା ମହାମାୟାଙ୍କ ସାହାଯ୍ୟରେ ଏହି ବିପଦରୁ ଉଦ୍ଧାର ପାଇବେ ବୋଲି ପରାମର୍ଶ ଦେଲେ । କାଳିକା ପୁରାଣ ଅନୁସାରେ ଦିନେ ଋଷି ବଶିଷ୍ଠ ମହାମାୟାଙ୍କୁ ସାକ୍ଷାତ କରି ନାରକାସୁରର ଅତ୍ୟାଚାର କଥା ଜଣାଇଲେ । ସେ (ବଶିଷ୍ଠ) ତାଙ୍କୁ ଅଭିଶାପ ଦେଇ କହିଲେ ଯେ ସେ ବଞ୍ଚିଥିବା ଯାଏ କାମାକ୍ଷା ଦେବୀଙ୍କ ଦର୍ଶନ ଲାଭ କରିପାରିବେ ନାହିଁ । ମହାମାୟା ଏକ ମାୟାର କୁହୁଡ଼ି ସୃଷ୍ଟି କଲେ । ତା' ମଧ୍ୟରେ ବିଷ୍ଣୁ ନାରକାସୁରକୁ ହତ୍ୟା କଲେ । ତାଙ୍କର ମୃତ୍ୟୁ ପରେ ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା ।

କୁଚବିହାରର ରାଜା ଦେବୀ କାମାକ୍ଷାଙ୍କ ପୀଠର ବହୁ ଉନ୍ନତି କରିଥିଲେ । ତାଙ୍କର ମହିମା ପ୍ରଚାରରେ ସେ ବହୁ ପଦକ୍ଷେପ ନେଇଥିଲେ । କାମଦେବ ଗଢ଼ିଥିବା ମନ୍ଦିର ଭାଙ୍ଗି ପଡ଼ିଥିଲା । ନୀଳାଚଳ କାମାକ୍ଷାପାହାଡ଼ରେ ଦେବୀଙ୍କ ପୂଜାଋଜା ସବୁ ବନ୍ଦ ହୋଇଯାଇଥିଲା । ତାହା ପୁଣି କିପରି ବିକାଶ ଲାଭ କରିଥିଲା, ସେ ସମ୍ପର୍କରେ ଏକ କାହାଣୀ ରହିଛି ।


ଇତିହାସରେ କାମାକ୍ଷା

୧୪୯୦ ମସିହାର ଏକ ଘଟଣା । ମହାରାଜା ବିଶ୍ୱସିଂହ ଆହୋମ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଯୁଦ୍ଧ ଯାତ୍ରା ହେଲା । ଥରେ ଭୟଙ୍କର ଘନ ଜଙ୍ଗଲ ମଧ୍ୟରେ ସେ ଓ ତାଙ୍କ ଭାଇ ଶିବସିଂହ ବାଟବଣା ହୋଇଗଲେ । ସେମାନେ ସୈନ୍ୟମାନଙ୍କଠାରୁ ଅଲଗା ହୋଇଗଲେ । ସେମାନେ ନୀଳାଚଳ ପାହାଡ଼କୁ ଆସିଲେ । ଖୁବ୍ ଭୋକ ଶୋଷରେ ସେମାନେ ଅସ୍ଥିର ହୋଇପଡ଼ିଲେ । କିପରି ସେହି ଜଙ୍ଗଲରୁ ଉଦ୍ଧାର ପାଇବେ, ତା'ର ଉପାୟ ପାଇଲେ ନାହିଁ । ଦେବୀଙ୍କୁ ପୂଜା କଲେ । ଅନ୍ଧାର ମଧ୍ୟରେ ଆଲୁଅର ରେଖା ଖେଳିଗଲା । ଦୈବୀଶକ୍ତି ବଳରେ ସେମାନେ ଜଳ ଓ ଖାଦ୍ୟ ପାଇଲେ । ଗୋଟିଏ ଗଛ ମୂଳରେ ଶାନ୍ତିରେ ଶୋଇଗଲେ । ଗୋଟିଏ ବୁଢ଼ି ଆସି ସେଠାରେ ଦେବୀଙ୍କ ପୂଜା କଲେ । ସେ କହିଲେ ଯେଉଁ ଲୋକ ପବିତ୍ର ଭକ୍ତି ଭାବରେ

୪୦