ପୃଷ୍ଠା:Sarala Bhashatattwa.pdf/97

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୯୨

ସରଳ ଭାଷାତ‌ତ୍ତ୍ୱ

ଶବ୍ଦ ଓଡ଼ିଆରେ ଦେଖାଯାଏ, ଏସବୁ କ୍ଷେତ୍ରରେ 'ଅଛି' ପୂର୍ଣ୍ଣପଦ ଓ ଏହାର ବିକୃତ 'ଛି' ଓ 'ଚି' ଗୋଟିଏ ଗୋଟିଏ ସାଙ୍କେତିକ ଚିହ୍ନ । ଏହିପରି 'କରିଥିଲା', 'କରିଲା', 'କଲା'ରେ ମଧ୍ୟ ପୂର୍ଣ୍ଣ ଶବ୍ଦର ସାଙ୍କେତିକ ଧ୍ୱନିରେ ବିବର୍ତ୍ତନର ପରିଚୟ ଆମ୍ଭେମାନେ ପାଇଥାଉଁ । ଠିକ ଏହିପରି ବିବର୍ତ୍ତନ ଆମ୍ଭେମାନେ ଘରଠାରୁ, ଘରଠୁ, ଘରୁ; ଦେଉଳଠାରେ, ଦେଉଳଠି, ଦେଉଳରେ ପ୍ରଭୃତି ବ୍ୟବହାରରେ ମଧ୍ୟ ଦେଖିଥାଉଁ । ଭାଷାରେ ଏହି ବିବର୍ତ୍ତନ ଆମ୍ଭମାନଙ୍କୁ ସାଙ୍କେତିକ ଚିହ୍ନମାନଙ୍କର ଉତ୍ପତ୍ତି ବିଷୟରେ ସ୍ପଷ୍ଟ ଇତିହାସ ପାଇବା ଅସମ୍ଭବ ଓ କେତେ ଗୋଟି ସାଙ୍କେତିକ ଚିହ୍ନର ଅନୁକରଣରେ ଅନ୍ୟଗୁଡିକ ପ୍ରଯୁକ୍ତ ହୋଇଥିବା ମଧ୍ୟ ସମ୍ଭବ । ଓଡ଼ିଶାର କେତେକ ଅଞ୍ଚଳରେ 'କରିମି', 'ଯିମି', 'ଖାଇମି' ପ୍ରଭୃତିର ପ୍ରଚଳନ ଅଛି ଓ ଏଥିରେ 'ମି' ସଙ୍କେତ 'ମୂ'ର ପୂର୍ବରୂପରୁ ବିକୃତ ହୋଇଥିବା ସମ୍ଭବପର ହେଲେ ମଧ୍ୟ 'କରିବି'ରେ ଏପରି ବିକୃତିର ଉଦାହରଣ ମିଳେ ନାହିଁ । 'କରିଥିଲା'ରେ ମଧ୍ୟ ସାଙ୍କେତିକ 'ଲା'ର କୌଣସି କାରଣ ସ୍ଥିରଭାବରେ ନିର୍ଦ୍ଦେଶ କରିବା ଅସମ୍ଭବ । ଓଡ଼ିଆ ଭାଷାତ‌ତ୍ତ୍ୱ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏଥିରେ ବ୍ୟବହୃତ ଅନେକ ସାଙ୍କେତିକ ଚିହ୍ନ ସଂସ୍କୃତ, ଆରବ ପ୍ରଭୃତି ଭାଷାରୁ ଗୃହୀତ ହୋଇଅଛି । ତଥାପି ଅନେକଗୁଡ଼ିଏ ଚିହ୍ନ ଓଡ଼ିଆ ଭାଷାର ନିଜସ୍ୱ । ପୁଣି ଅନେକ ସମୟରେ ବିଦେଶାଗତ ଶବ୍ଦ ସହିତ ସଂସ୍କୃତ ସାଙ୍କେତିକ ଚିହ୍ନ ବା ସଂସ୍କୃତ ଶବ୍ଦ ସ‌ହିତ ବୈଦେଶିକ ଚିହ୍ନମାନ ପ୍ରଯୁକ୍ତ ହୋଇ 'ଶଙ୍କର' ଶବ୍ଦମାନଙ୍କର ମଧ୍ୟ ଜନ୍ମ ହୋଇଥାଏ । ଓଡ଼ିଆରେ ବ୍ୟବ‌ହୃତ ସମ୍ବନ୍ଧସୂଚକ 'ର' ଚିହ୍ନ ବାସ୍ତବରେ ସଂସ୍କୃତରୁ ଉତ୍ପନ୍ନ କି ନୁହେଁ ଏ ବିଷୟରେ ଘୋର ମତଭେଦ ଦେଖାଯାଏ । ମାତ୍ର ରାମକୁ ଶବ୍ଦରେ 'କୁ' କିମ୍ବା 'ଖାଇବାକୁ' ଶବ୍ଦର 'କୁ' ଚିହ୍ନ ଯେ ଦ୍ରାବିଡ଼ ଭାଷାର ପ୍ରଭାବରୁ ଜାତ, ତାହା ସ୍ପଷ୍ଟ ଅନୁମିତ ହୋଇପାରେ । ପୁଣି ପ୍ରାଚୀନ ଓଡ଼ିଆରେ ବ୍ୟବହୃତ 'ପୁତ୍ରନ୍ତ' ଶବ୍ଦରେ 'ନ୍ତ' ଚିହ୍ନ ବିଷୟରେ ସ୍ଥିରନିଶ୍ଚିତଭାବରେ କିଛି କୁହାଯାଇ ପାରେ ନାହିଁ । ଅନ୍ୟ ଦିଗରେ ଅଇନତଃ, ଜଜିଅତି, ଗଳାବାଜି, ବିଲାତି, ସେବାୟତ୍ ପ୍ରଭୃତି ଶବ୍ଦରେ ମୂଳ ଶବ୍ଦ ଓ ତହିଁରେ ପ୍ରଯୁକ୍ତ ସଙ୍କେତ ଦୁଇ ଗୋଟି ଭିନ୍ନ ଭାଷାରୁ ଗୃହୀତ । ଅନେକ ସମୟରେ ଶବ୍ଦର ପ୍ରଯୁକ୍ତ ସଙ୍କେତକୁ ଚିହ୍ନି ନ ପାରି ସେଥି ସହିତ ପୁଣି ସମାର୍ଥକ ଶବ୍ଦ ବା ସଙ୍କେତ ଯୁକ୍ତ ହୋଇଥାଏ । ଏହାର ଉଦାହରଣ ଆମ୍ଭେମାନେ ଗୁଣ ଗ୍ରାମମାନ, ବହିପତ୍ରମାନ, ସ୍ତ୍ରୀଲୋକମାନେ, ମାଇପି ଲୋକମାନେ, ମାଈ ବକରୀ, ଗୁରୁତର ଭାବରେ, ଶ୍ରେଷ୍ଠତମ ପ୍ରଭୃତି ଶବ୍ଦରେ ଦେଖିଥାଉଁ । କାରଣ 'ଗୁଣଗ୍ରାମ'ରେ