ପୃଷ୍ଠା:Jati, Jagruti o Pragati.pdf/12

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୩

ସାଧବ ପୁଅର ବୋଇତ କାହିଁ?

(ଇତିହାସ କହେ, ଆମର ପୂର୍ବପୁରୁଷମାନେ ବୋଇତରେ ଧନସମ୍ପତ୍ତି ଭରି ଓଡ଼ିଶାକୁ ବୋହି ଆଣୁଥିଲେ; ହେଲେ ଆଜି - ଆମେ କୁନି କୁନି ବୋଇତ ଭସାଇ ଖୁସି ହେଉଥିବା ବେଳେ, ବିଦେଶୀଙ୍କ ବଡ଼ ବଡ଼ ଜାହାଜରେ ଆମର ଅକଳନ ସଂପଦକୁ ଶାଗମାଛ ମୂଲରେ ବିଦେଶକୁ ଚାଲାଣ ହେବାରେ ଲାଗିଛି । ଏହା କ'ଣ ଏକ ଦୂରଦୃଷ୍ଟି ଥିବା ଜାତିର ପରିଚୟ?)

ବହୁ ଉତ୍ସାହ ଓ ଉଦ୍ଦୀପନା ଭିତରେ ବୋଇତବନ୍ଦାଣ ଉତ୍ସବ ପାଳନ କରାଯାଉଛି ଓଡ଼ିଶାର ପୁରପଲ୍ଲୀରେ । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ବେଳା ନଦୀ, ନାଳ ଆଦି ଯେଉଁଠି ବି ସାମାନ୍ୟ ଜଳ ରହିଛି, ସେଠି ଭାସି ଉଠୁଛି କଦଳୀ ପଟୁଆ, କାଗଜ, ସୋଲ ନିର୍ମିତ ଛୋଟ ଛୋଟ ବୋଇତ । ଆଉ ଏହି ବୋଇତର ସାମଗ୍ରୀ ହେଉଛି ପାନ, ଗୁଆ ସହିତ ଦୀପଟିଏ କିମ୍ବା ସଳିତା କାଠିଟିଏ । ଆ.କା.ମା ବଇ..ର ଶବ୍ଦରେ ନଦୀକୂଳ ପ୍ରକମ୍ପିତ ହୋଇ ଉଠୁଛି । ଏଥିସହିତ ଦେଖିବାକୁ ମିଳୁଛି ଚଉରାମୂଳେ ବାଲୁକାସ୍ଥାପନ ଓ ଘର ସାମ୍ନାରେ ମୁରୁଜଦ୍ୱାରା ଓଡ଼ିଆ କଳାନୈପୁଣ୍ୟର ପ୍ରଦର୍ଶନ ।

ଯଦି ଆମେ ଏ ସଂପର୍କରେ କୌଣସି ଓଡ଼ିଆଙ୍କୁ ପଚାରିବା, ଉତ୍ତରରେ ସରଳ ଗାଉଁଲୀଟିଏ ଧାର୍ମିକ ଭାବନା ଓ ଶିକ୍ଷିତ ଓଡ଼ିଆଟିଏ ଅତୀତର ସ୍ମୃତି ରୋମନ୍ଥନ ବିଷୟରେ କହିପାରେ । ମାତ୍ର ଏହା ପଛରେ ଥିବା ତିକ୍ତ ମଧୁର ଇତିହାସ, ବର୍ତ୍ତମାନର ଅସହାୟତା ଆଉ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ପଦେ କହିପାରିବେ ନାହିଁ । କାରଣ ଏହି ପରମ୍ପରା, ଏବେ ଅଶିକ୍ଷିତ ଗାଉଁଲୀ ଓଡ଼ିଆ ନିକଟରେ ଧର୍ମ ଓ ଶିକ୍ଷିତ ଓଡ଼ିଆ ନିକଟରେ ଇତିହାସ ଭାବେ ବଞ୍ଚି ରହିଛି । ତାହାକୁ ଆମ ଗାଉଁଲୀ ଲୋକ ନିଜ ଅଜ୍ଞତା ଭାବି ପ୍ରକାଶ କରୁ ନ ଥିବା ବେଳେ, ଶିକ୍ଷିତ ବ୍ୟକ୍ତିଟି ଇତିହାସର ଦର୍ପିତ କାହାଣୀ ଜାଣିସୁଦ୍ଧା ପ୍ରକାଶ