ପୃଷ୍ଠା:Jati, Jagruti o Pragati.pdf/13

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୪ / ଜାତି, ଜାଗୃତି ଓ ପ୍ରଗତି

କରିବାକୁ କୁଣ୍ଠିତ । କାରଣ ଯାହା ଥାଉନା କାହିଁକି, ଏହାକୁ ପ୍ରକାଶ କରିବାରେ ଯେ ନିଜ ଭିତରେ ପ୍ରଚୁର ହୀନମନ୍ୟତା ଭରି ରହିଛି, ତାହା କେହି ଅସ୍ୱୀକାର କରିବେ ନାହିଁ ।

ଅତୀତର ବିଶ୍ୱବାଣିଜ୍ୟ କ୍ଷେତ୍ରରେ ମଗଧର ନନ୍ଦବଂଶ ଶାସନ କାଳରୁ ପ୍ରାଧାନ୍ୟବିସ୍ତାର କରିଥିବା ଏକ ସମୃଦ୍ଧ ଜାତିର ବଂଶଧର ଭାବେ ଓଡ଼ିଆଗଣ ଆଜି କିଛି ନ କରିପାରିବାର ଭାବନା ଭିତରେ ଦାରିଦ୍ର୍ୟକୁ ଜାବୁଡ଼ି ଧରି ପୂର୍ବଜଙ୍କ ବିଶାଳ ବୋଇତ ବଳରେ ଏକ ସଂକେତ ଭାବେ କଦଳୀ ବାହୁଙ୍ଗା, ସୋଲ, କାଗଜର କ୍ଷୁଦ୍ର ପ୍ରତିକୃତି ମାଧ୍ୟମରେ ଅତୀତର ସ୍ମୃତିକୁ ବଞ୍ଚାଇ ରଖିଛନ୍ତି ଆଗାମୀ ପିଢ଼ିପାଇଁ । ଯେଉଁ ପିଢ଼ି ଏହି ନପୁଂସକତାର ବଳୟରୁ ଏ ଜାତିକୁ ମୁକ୍ତ କରି ପୁଣି ପ୍ରାଚୀନର ଐତିହ୍ୟ, ବିଭବକୁ ଫେରାଇ ଆଣିପାରିବ । ନିଜ ଉର୍ବର ମାଟିରେ ସୁନା ଫଳେଇ ଶସ୍ୟ ସମ୍ଭାର ସହିତ ମାଟି ତଳେ ଗଚ୍ଛିତ ଅମୂଲ୍ୟ ଖଣିଜ ଦ୍ରବ୍ୟକୁ ବିଭିନ୍ନ ବସ୍ତୁରେ ପରିଣତ କରି ବିଦେଶକୁ ରପ୍ତାନୀ କରିବ । ଆଉ ନେଇ ଆସିବ ଏ ମାଟିକୁ ସେ ଦେଶର ଅକଳନ ଧନସଂପତ୍ତି ।

ସତରେ କ’ଣ ଏହା ସମ୍ଭବ ହେବ?

ଇତିହାସ କହେ-କଳିଙ୍ଗ ନାମରେ ପରିଚିତ ବର୍ତ୍ତମାନର ଓଡ଼ିଶା, ମଗଧ-ନନ୍ଦ ସାମ୍ରାଜ୍ୟ ବେଳକୁ ଏହାର ୩ଟି ପ୍ରଦେଶ-ପ୍ରାଚୀ କଳିଙ୍ଗ (ଗୋଦାବରୀ ନଦୀତଟରୁ ସୁବର୍ଣ୍ଣରେଖା ନଦୀତଟ ପର୍ଯ୍ୟନ୍ତ) ଗଙ୍ଗାରାଇଡ୍ କଳିଙ୍ଗ (ସୁବର୍ଣ୍ଣରେଖା ତଟରୁ ଗଙ୍ଗା ସାଗର ପର୍ଯ୍ୟନ୍ତ) ଓ ମଗ କଳିଙ୍ଗ (ଗଙ୍ଗାସାଗରଠାରୁ ଦକ୍ଷିଣପୂର୍ବ ଏସିଆ ଦ୍ୱୀପପୁଞ୍ଜ)ର ୭୦୦ ମାଇଲ ସମୁଦ୍ର ଉପକୂଳକୁ ନେଇ ବ୍ୟାପିଥିଲା କଳିଙ୍ଗ ସାଧବପୁଅର ଏକାଧିପତ୍ୟ ବାଣିଜ୍ୟିକ କ୍ଷେତ୍ର । ସେଇଥିପାଇଁ ଭାରତ ମହାସାଗରରୁ ଗଙ୍ଗାସାଗରକୁ ଛୁଇଁଥିବା ବିସ୍ତୃତ ସାମୁଦ୍ରିକ କ୍ଷେତ୍ରର ନାମ ଥିଲା କଳିଙ୍ଗସାଗର । ଏହି ସାଗରକୁ ସ୍ପର୍ଶ କରିଥିବା ଗୋଦାବରୀ, ଋଷିକୂଲ୍ୟା, ପ୍ରାଚୀ, ଚନ୍ଦ୍ରଭାଗା, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ସୁବର୍ଣ୍ଣରେଖା, ଦାମୋଦର, ରୂପନାରାୟଣ, ଗଙ୍ଗା ଆଦି ନଦୀଗୁଡ଼ିକ ଥିଲା ଗଭୀର ଓ ନୌକା ଯାତାୟତର ସୁଗମପଥ । ଏହି ବୃହତ ନଦୀ ସହ ସଂପୃକ୍ତ ଉପନଦୀ ଓ ଶାଖାନଦୀ କଳିଙ୍ଗର ସବୁ ଅଞ୍ଚଳରେ ବ୍ୟାପିଥିବାରୁ ଜଳପଥ ଗମନାଗମନର ମୁଖ୍ୟ ମାର୍ଗ ହୋଇଥିଲା । ତେଣୁ କଳିଙ୍ଗର କୌଣସି ଭାଗ ବିଚ୍ଛିନ୍ନ ନ ଥିଲା । ନ ଥିଲା ମଧ୍ୟ ଜାତିଭେଦର କୁତ୍ସିତ ରୀତି । ତନ୍ତୀ, ତେଲି, କୁମ୍ଭାର, କମାର, ଚମାର, କାଚରା, ପାଟରା, ବଣିଆ, ବଢ଼େଇ ଆଦି ବିଭିନ୍ନ ଜାତି ନିଜ କର୍ମକୁଶଳତାରେ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରି, ନିଜ ବୋଇତରେ ବେପାର ବଣିଜ କରି ବାହାରୁ ଥିଲେ ଦେଶ ବିଦେଶ । ବ୍ରାହ୍ମଣ୍ୟବାଦଠାରୁ ବହୁୂ ଦୂରରେ ଥିବା ଏହି ଭୂଖଣ୍ଡର ଅଧିବାସୀଗଣ ନିଜର କର୍ମକ୍ଷେତ୍ରରେ, ବ୍ୟବସାୟ