ପୃଷ୍ଠା:Jati, Jagruti o Pragati.pdf/14

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୫

ବାଣିଜ୍ୟରେ ତଥା ନିଜ ସ୍ୱାଭିମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଯେପରି କାନ୍ଧକୁ କାନ୍ଧ ମିଳାଇ ଚଳୁଥିଲେ, ତାହା ତତ୍କାଳୀନ ଭାରତବର୍ଷର ଅନ୍ୟ ଶାସକ, ସାମନ୍ତ ତଥା ବ୍ରାହ୍ମଣ ଗୋଷ୍ଠୀଙ୍କ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା ।
ତେଣୁ କଳିଙ୍ଗ ଭୂଖଣ୍ଡ ଅନ୍ୟମାନଙ୍କପାଇଁ ହୋଇଯାଇଥିଲା ଅଛୁଆଁ । ଫଳରେ ଏଠାରେ ପ୍ରାଧାନ୍ୟ ବିସ୍ତାର କଲା ବୌଦ୍ଧ ଓ ଜୈନଧର୍ମ । ଉଭୟ ଧର୍ମର ବ୍ୟାପକ ପ୍ରସାର କଳିଙ୍ଗ ସାଧବପୁଅଙ୍କ ବାଣିଜ୍ୟକୁ ଆହୁରି ପ୍ରସାରିତ କଲା । ଆଉ ସେଇଥିପାଇଁ ଯୁଦ୍ଧ ଇତିହାସରେ ଦୁଇଟି ଭୟଙ୍କର ଯୁଦ୍ଧ-ମହାପଦ୍ମ ନନ୍ଦ ଓ ଅଶୋକଙ୍କଦ୍ୱାରା ସଂଗଠିତ ହୋଇ କଳିଙ୍ଗ ଆଧିପତ୍ୟକୁ ସଂକୁଚିତ କରିବାର ପ୍ରାଥମିକ ପ୍ରୟାସ ଆରମ୍ଭ କରାଗଲା । ମାତ୍ର ଏ ଯୁଦ୍ଧର କ୍ଷତକୁ ଖୁବ୍ ଶୀଘ୍ର ଭରିଦେଇ ଥିଲେ କଳିଙ୍ଗର ଶୂଦ୍ର ସାଧବଗୋଷ୍ଠୀ ନିଜର କର୍ତ୍ତବ୍ୟନିଷ୍ଠା, କଠୋର ପରିଶ୍ରମ ଓ ସୁଚତୁର ବୁଦ୍ଧିବଳରେ । ବୋଧହୁଏ ସେଇଥିପାଇଁ ତତ୍କାଳୀନ ବହୁ ଆଗତ ଦେଶୀ-ବିଦେଶୀଙ୍କ ଲେଖନୀରେ ସ୍ଥାନୀତ ହୋଇଥିଲା କଳିଙ୍ଗ ବେପାର ବଣିଜର ଜୀବନ୍ତ ପ୍ରତିଛବି ।

ଇତିହାସ ପୃଷ୍ଠାରେ କଳିଙ୍ଗର ପୋତ ଓ ପୋତାଶ୍ରୟ:

କଳିଙ୍ଗ ବଣିକ ଗୋଷ୍ଠୀ ସମ୍ବନ୍ଧରେ ମିଳିଥିବା ବିସ୍ତୃତ ବିବରଣୀ ଅନୁସାରେ ତତ୍କାଳୀନ ଭାରତର ୯ଟି ସର୍ବବୃହତ୍ ବନ୍ଦର ମଧ୍ୟରୁ କେବଳ ଓଡ଼ିଶାରେ ୫ଟି ଥିଲା । ଏହି ୫ଟି ବନ୍ଦର ହେଲା- ତାମ୍ରଲିତି(ତାମଲୁକ), କୋଶମ୍ବ(ବାଲେଶ୍ୱର), କୋନ୍ନଗର(କୋଣାର୍କ), ପାଲୁର(ଚିଲିକା), ପିଥୁଣ୍ଡ(କଳିଙ୍ଗପଟନମ୍) । ଏହା ବ୍ୟତୀତ ଅନ୍ୟ ଲୋକପ୍ରିୟ ବନ୍ଦର ଗୁଡ଼ିକ ହେଲା- ଦୋସରନ୍(ବୈତରଣୀ ମୁହାଣ), ଆଦାମସ୍(ସୁବର୍ଣ୍ଣରେଖା ମୁହାଣ), ପକୁରା(ଗଞ୍ଜାମ), ନନ୍ନିଗେନ(ପୁରୀ), ଚେଳିତୋଳ(ତିର୍ତ୍ତୋଲ), କଣ୍ଟକ ସିଲାଇ(ଘଣ୍ଟଶୀଳା), ପିପିଲି(ବାଲେଶ୍ୱର), ଛାନୁଆ(ଚାନ୍ଦବାଲି), ମନନ୍ଦ (ମହାନଦୀ), ସମ୍ବଳକ (ସମ୍ବଲପୁର), ଦୋସରା(ବଲାଙ୍ଗୀର), ସୁକ୍ତିମତୀପୁର(ବଲାଙ୍ଗୀରର ସକମା), ଲଛନପୁର, ସାରଥ, ଧାମରା, ଚିଲିକା, ମାଣିକପାଟଣା ଇତ୍ୟାଦି ଆହୁରି ଅନେକ । ମେଘାସ୍ଥିନିସ୍ ବିବରଣୀ ଅନୁସାରେ କଳିଙ୍ଗ ଉପକୂଳର ଦୈର୍ଘ୍ୟ ଥିଲା ୭୦୦ ମାଇଲ । ଚିଲିକାର ପାଲୁର ବନ୍ଦରରେ ଥିବା କଳିଙ୍ଗର ବୃହତ୍ ବୋଇତରେ ବସି ଟଲେମି ମାଳୟଦ୍ୱୀପ ଯାଇଥିବା କଥା ସେ ନିଜେ ଉଲ୍ଲେଖ କରିଛନ୍ତି । ଚୀନ୍ ପରିବ୍ରାଜକ ଫାହିୟାନ (୪୧୫ଖ୍ରୀ.ଅ.) ୨୦୦ ଯାତ୍ରୀ ସହ ଓ ହୁଏନସାଂ (୬୧୫ଖ୍ରୀ.ଅ) ସ୍ୱ ସଂଗୃହୀତ ବିପୁଳ ସମ୍ଭାର ସହ କଳିଙ୍ଗର ବୃହତ୍ ବୋଇତରେ ଚୀନ୍ ପ୍ରତ୍ୟାବର୍ତ୍ତନ କରିଥିବା କଥା ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ।