ପୃଷ୍ଠା:Jati, Jagruti o Pragati.pdf/20

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୨୧
ଓଡ଼ିଶାର ସେହି ଦୁର୍ମୂଲ୍ୟ ଖଣିଜସଂପଦା କିମ୍ବା ଏହି ଖଣିଜଦ୍ରବ୍ୟକୁ ସୁବିଧାରେ ନେବାପାଇଁ ବିଭିନ୍ନ କାରଖାନାରେ ପ୍ରକ୍ରିୟାକରଣ କରି ରପ୍ତାନୀ ହେବାରେ ବ୍ୟବହାର କରାଯିବ । ଏହାଦ୍ୱାରା ଓଡ଼ିଶାବାସୀଙ୍କ ଦାରିଦ୍ର୍ୟ କମିବ ନାହିଁ, ବରଂ ଓଡ଼ିଶାବାସୀଙ୍କ ଧନରେ ଧନୀ ହୋଇଯିବେ ବିଦେଶୀ ବଣିକଗୋଷ୍ଠୀ । ଏପରିକି, ଦିନ ଆସିବ ଆମେ ଭସାଉଥିବା କୁନି କୁନି ବୋଇତ ଚୀନ, ଜାପାନ, ମାଳୟରେ ତିଆରି ହୋଇ ଆମ ରାଜ୍ୟରେ ବିକ୍ରି କରି ସେ ଦେଶର ବଣିକପୁଅମାନେ ଧନୀ ହୋଇଯିବେ । ଆମେ କେବଳ ଭକୁଆ ହୋଇ ଚାହିଁ ରହିଥିବା, ନଚେତ୍ ଏହି କାଗଜ ବୋଇତ ଶସ୍ତାରେ ମିଳୁଛି ବୋଲି ଖୁସିରେ ଗୋଟେଇ ନେବା ।

ଆମେ କ’ଣ ଏହାର ପରିବର୍ତ୍ତନ ଆଶା କରିବା ନାହିଁ? ଆମେ କ’ଣ ଅତୀତର ଗୌରବ ଗାରିମାକୁ ଜୀବନ୍ତ କରିପାରିବା ନାହିଁ? ଆମେ କ’ଣ ଏମିତି ଦୁଃଖ, ଦୈନ୍ୟ ଓ ପରସ୍ପର କଳି ଝଗଡ଼ା ଭିତରେ ମୂଲ୍ୟବାନ ଜୀବନଟାକୁ ହରାଇ ଦେବା ? ଆମକୁ ଶୋଷଣ ଓ କଷଣରେ ଜଡ଼ କରେଇଥିବା ପରାଙ୍ଗପୁଷ୍ଟକୁ ଓଡ଼ିଶା ମାଟିରୁ ହଟାଇ ନୂଆ ଓଡ଼ିଶା ଗଢ଼ିପାରିବା ନାହିଁ?