ପୃଷ୍ଠା:Amari matir amar shaheed.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତୀୟକବି ବାଞ୍ଛାନିଧି ଆଉ ରକ୍ତ ତୀର୍ଥ ଇରମ

"ଦେଶଜାତି ପ୍ରୀତି ସରସ୍ୱତୀ ନଦୀ,
ବହୁଛି ଇରମେ ଶତମାର୍ଗ ଭେଦି ।

ଏ ଅନ୍ତ ସଲିଳା ସମଗ୍ର ଭାରତେ,
ଜାତୀୟତା ଧାରେ ବହିବ ନିରତେ ।

ଜାତୀୟ କବିତା ତରୀ ଇରମରେ,
ଭାସିଯିବ ଦିନେ ଦେଶ ଦେଶାନ୍ତରେ । "

୧୯୨୧ ମସିହାରେ ଉତ୍କଳମଣି ଗୋପବନ୍ଧୁ ଇରମଠାରେ ଗୋଟିଏ ସାଧାରଣ ସଭାରେ ଏଇ ଗୀତଟି ଗାଇଥିଲେ । ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଥାନାରେ ଗୋଟିଏ ସାଧାରଣ ଗାଁ ଇରମ । କିନ୍ତୁ ଦେଶର ସ୍ୱାଧୀନତା ନିମନ୍ତେ ତାର ଦାନ କେତେ ଅସାଧାରଣ ! ଏଇ ଗାଁର ପୁଅ ବାଞ୍ଚାନିଧି ମହାନ୍ତି ଧୀରସ୍ଥିର, ଶାନ୍ତ ଆଉ ସରଳ । କିନ୍ତୁ ସେ ଦେଶରୁ ବିଦେଶୀମାନଙ୍କୁ ତଡ଼ିବା ପାଇଁ ବିପ୍ଳବ ସୃଷ୍ଟି କରିଥିଲେ । ନିଆଁ ହୁଳା ପରି କବିତା ବୋଲି ସେ ମତାଇଥିଲେ ଏ ଜାତିକୁ, ତତାଇଥିଲେ ଏହାର ଜନସାଧାରଣଙ୍କୁ, ଚେତାଇ ଦେଇଥିଲେ ଫିରଙ୍ଗ ଫଉଜଙ୍କୁ ।

ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ
 ସ୍ୱାଧୀନ ସ୍ୱାଧୀନ, ସ୍ୱାଧୀନରେ !
ଗାଏ ଏସାଗର, ଭୁଧର, ଅମ୍ବର ଚୁମ୍ବିତ
ଭାଲ ହିମାଳୟ ଗିରିବର କମ୍ପିତ
 ସ୍ୱାଧୀନ ସ୍ୱାଧୀନ, ସ୍ୱାଧୀନରେ ।
କମ୍ପେ ବିନ୍ଧ୍ୟଗିରି କାନନ କୁଞ୍ଜେ,
ଲମ୍ପେ ନିର୍ଝରିଣୀ ପ୍ରପାତ ପୁଞ୍ଜେ,
ଚପଳା ଚମକେ ଗଗନେ ପୁଲକେ
 ନୀରଦ ବିଲୀନରେ ।