ପୃଷ୍ଠା:Amari matir amar shaheed.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତିର ଶହୀଦ ରଘୁ-ଦିବାକର

ପ୍ରାୟ ପଚାଶ ବର୍ଷ ତଳର କଥା । ଇଂରେଜ ସରକାରଙ୍କ ବୋଲକରା ଆଉ ହାତବାରିଶି ହୋଇ କେତେଗୁଡ଼ିଏ ରାଜା ସେତେବେଳେ ଛୋଟ ଛୋଟ ରାଜ୍ୟ ଶାସନ କରୁଥାନ୍ତି । ସେଇ ରାଜ୍ୟଗୁଡ଼ିକୁ ଗଡ଼ଜାତ କୁହାଯାଉଥିଲା । ଇଂରେଜ ଶାସନରେ ରହିଥିବା ଅଞ୍ଚଳଗୁଡିକୁ ଖାସମାହାଲ ବା ମୋଗଲବନ୍ଦୀ କୁହାଯାଊଥିଲା । ମୋଗଲବନ୍ଦୀ ଅଞ୍ଚଳରେ ଇଂରେଜ ହାକିମ ଓ କର୍ମଚାରୀମାନେ ଶାସନ କାର୍ଯ୍ୟ ଚଳଉଥିଲେ । ଗଡ଼ଜାତମାନଙ୍କରେ ରାଜରାଜୁଡ଼ାମାନେ ବେପରୁଆ ହୋଇ ଶାସନ କରୁଥିଲେ ।

୧୯୩୮ ମସିହା । ଢେଙ୍କାନାଳ, ନୀଳଗିର, ତାଳଚେର ପ୍ରଭୃତି ଗଡ଼ଜାତରେ ସେତେବେଳେ ଖୁବ୍ ଖରାପ ଶାସନ ଚାଲିଥିଲା । ଲୋକମାନଙ୍କ ଉପରେ ଅତ୍ୟାଚାର ଓ ଜୁଲମ ସୀମା ଟପିଥିଲା । ରାଜାଙ୍କର ବିବାହବ୍ରତ, ଶୁଦ୍ଧି-ଶ୍ରାଦ୍ଧ, ପର୍ବପର୍ବାଣିମାନଙ୍କରେ ପ୍ରଜାମାନଙ୍କୁ ଦୁଧ, ଘିଅ, ଦହି, ଛେନା, ପନିପରିବା ପ୍ରଭୃତି ଭେଟି ଦେବାକୁ ପଡ଼ୁଥିଲା । ଏଥିପାଇଁ ରାଜାଙ୍କର ଲୋକେ ପ୍ରଜାମାନଙ୍କଠାରୁ ସେସବୁ ଜୋରଜବରଦସ୍ତ ଆଦାୟ କରୁଥିଲେ । ସେଥିରେ କାହାର ଓଜରଆପତ୍ତି ଶୁଣାଯାଉ ନଥିଲା ।

ଅନେକ ଗଡ଼ଜାତର ରାଜାଙ୍କୁ ବାଟ ବତାଇବାକୁ, ବୁଦ୍ଧି ଶିଖାଇବାକୁ ଆଉ ହାତରେ ରଖିବାକୁ ଇଂରେଜ ସରକାର ଜଣେ ଲେଖାଁ ଗୋରା ପଲିଟିକାଲ ଏଜେଣ୍ଟ ବା ରାଜନୀତିକ ଦୂତ ରଖୁଥିଲେ । ଏଇ ଏଜେଣ୍ଟମାନେ ତାଙ୍କ ଅଧୀନସ୍ଥ ଗଡ଼ଜାତମାନଙ୍କରେ ଗସ୍ତକରୁଥିଲେ ଆଉ ସବୁ ଖବର ଅନ୍ତର ବୁଝୁଥିଲେ । ସେମାନେ ରାଜାମାନଙ୍କୁ ମନ୍ତ୍ରଣା ଦେଉଥିଲେ ଆଉ ଘଣ୍ଟ ଘୋଡ଼ାଉଥିଲେ । ସେମାନେ ଗସ୍ତ କଲାବେଳେ ରାଜାମାନେ ତ ଯାହା ସୁବିଧାମାନ ଯୋଗାଇ ଦେଉଥିଲେ, ପ୍ରଜାମାନଙ୍କଠାରୁ ମଧ୍ୟ କୁକୁଡ଼ା, ଖାସି, ବୋଦା, ଦୁଧିଆଳି ଗାଈ ଆଉ ଅନ୍ୟାନ୍ୟ ଭଲମନ୍ଦ ଆଦାୟ କରାଯାଉଥିଲା । ଲୋକଙ୍କର ଦେବାକୁ ବଳ ପାଉ ବା ନପାଉ ସେମାଙ୍କୁ ବାଧ୍ୟ କରାଯାଉଥିଲା ।