ପୃଷ୍ଠା:Amari matir amar shaheed.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୬୪ )

କିନ୍ତୁ ସବୁଦିନ ସମାନ ଯାଏନାହିଁ । ଚୋର ଘର ସଦାବେଳେ ଅନ୍ଧାର ନଥାଏ । ପୁଣି ସୂର୍ଯ୍ୟ ହସେ, ଆଲୁଅ ଆସେ । ଏମିତି ଆଲୁଅ ଆଣିଥିଲା ଭାରତର ସ୍ୱାଧିନତାର ସୂର୍ଯ୍ୟ । ସକାଳ ହୋଇ ନଥାଏ । କିନ୍ତୁ ସିନ୍ଦୁରା ଫାଟି ଆସୁଥାଏ ।

୧୯୪୨ର ଭାରତ ଛାଡ଼ ଆନ୍ଦୋଳନ । ମହାତ୍ମା ଗାନ୍ଧିଙ୍କର ଡାକରା । ସ୍ୱାଧୀନତା ପାଇବା ପାଇଁ ଲଢ଼େଇ କରିବାକୁ ହେବ । ଏଇ ଲଢ଼େଇ ପୁଣି ଗୁଳିଗୁଳା, ଠେଙ୍ଗାବାଡ଼ିରେ ନୁହେଁ । ଏହା ଚାଲିବ ସତ୍ୟ ଆଉ ଅହିଂସାରେ । ହରତାଳ ଆଉ ଧର୍ମଘଟ ଚାଲିବ । ମାଡ଼ ଖାଇବ ପଛେ ମାଡ଼ ଦେବ ନାହିଁ ।

ଏଇ ସ୍ୱାଧୀନତା ଖାଲି ଫିରିଙ୍ଗ ସକାରକୁ ତଡ଼ିବା ନୁହେଁ । ଦେଶରୁ ସବୁ ଅନୀତି, ଅତ୍ୟାଚାରକୁ ଦୂରକରିବା, ଅଭାବ ଅସୁବିଧାର ଅନ୍ଧାରକୁ ପୋଛି ଦବା । ସମସ୍ତେ ସମାନ ହେବେ । ରାଜାପ୍ରଜା, ଧନୀଦରିଦ୍ର, ହିନ୍ଦୁମୁସଲମାନ, ବ୍ରାହ୍ମଣ, କରଣ ସବୁ ସମାନ । ଏଥିରେ ପୁଣି ଦୋଷୀକୁ ନିନ୍ଦା ନ କରି ଦୋଷକୁ ନିନ୍ଦା କରିବାକୁ ହେବ; ପାପୀକୁ ଘୃଣା ନ କରି ପାପକୁ ଘୃଣା କରିବା ଉଚିତ।

ଏଇ ମନ ଛୁଆଁ କଥା, ଅମୃତର ବାଣୀ ଆଉ ସତ୍ୟ ଅହିଂସାର ନୀତି ଢ଼େଙ୍କାନାଳର ଅନ୍ଧାରି ମୂଲକର ବଣପାହାଡ଼ ଡେଇଁ ପହ‌ଞ୍ଚିଲା ଗାଁରେ ଗାଁରେ ଆଉ ଘରେ ଘରେ । ଅପନ୍ତରା ଅଞ୍ଚଳର କେଉଁ ଅଜଣା ଅଶୁଣା ଗାଁରେ ସ୍ୱାଧିନତାର ଝଲକ ଖେଲିଗଲା । ନୀଳକଣ୍ଠପୁର ଢ଼େଙ୍କାନାଳର ସେମିତି ଏକ ଗାଁ । ବ୍ରାହ୍ମଣୀ ନଈକୂଳ । ଅତ୍ୟାଚାରୀ ରାଜାଙ୍କ ବିରୁଦ୍ଧରେ ପ୍ରଜାମାନଙ୍କ ମେଳି ମାଡ଼ି ଚାଲିଲା ଉଚ୍ଛୁଳା ନଈପରି। ସେଇ ଗାଁରେ ଅନ୍ୟ ଜାତିଙ୍କ ସ‌ହିତ କେଉଟ କେତେ ଘର ଅଛନ୍ତି । ଅନ୍ୟ ପିଲାଙ୍କ ପରି ମାଆ କୋଳରେ ବଢ଼ିଥିଲା ଅତି ଅଲିଅଳରେ ଗୋଟିଏ ବାପଛେଉଣ୍ତ ପିଲା । ନାଁ ତାର ବାଜିରାଉତ । ଗରିବ ଘର । ଦାଣ୍ତରୁ ଆସେ ହାଣ୍ତିରେ ପଶେ । ମାଛ ଧରି, ଡଙ୍ଗାବାହି ସେ ପେଟ ପୋଷେ ଆଉ ଘର ଚଳାଏ । ମାଆ ପୁଅ ସୁଖଦୁଃଖରେ ଚଳିଯା'ନ୍ତି।

ବାଜି ପିଲାଟିଏ ହେଲେ କ'ଣ ହେଲା ବୁଦ୍ଧି ତାର କମ୍ ନୁହେଁ । ନିଜର ସୁଖ ଦୁଃଖ ସାଥୀରେ ସେ ନିଜ ସାଇପଡ଼ିଶା, ଗାଁଗଣ୍ତା, ଦେଶମାଟିର ସୁଖ