ପୃଷ୍ଠା:Amari matir amar shaheed.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୪୪ )

ପ୍ରାଚୀନ ଲାଲକିଲାରେ ସ୍ୱାଧୀନତାର ବିଜୟ ଉତ୍ସବ ପାଳିତ ହେବ । ଭାରତବାସୀମାନେ ପ୍ରାଣପୂର୍ଣ୍ଣ ଆନନ୍ଦରେ ମାତି ଉଠିବେ ।

ତାର ଦୁଇଦିନ ପରେ ନେତାଜୀ ସୁଭାଷ ଊଡାଜାହାଜରେ ଜାପାନର ରାଜଧାନୀ ଟୋକିଓକୁ ଯାଊଥିଲେ । ହୁଏତ ଶେଷ ଚେଷ୍ଟା କରିବାକୁ…। ବାଟରେ ସେହି ଉଡାଜାହାଜରେ ନିଆଁ ଲାଗିଗଲା । ତାହା ଜଳି ଜଳି ତଳକୁ ଖସି ପଡିଲା । ସେଇ ଜଳନ୍ତା ଜାହାଜରୁ ସୁଭାଷଙ୍କୁ ଉଦ୍ଧାର କରି ଗୋଟିଏ ଡାକ୍ତରଖାନାକୁ ନିଆଯାଇଥିଲା । ସେଇଠି ସେ ସବୁଦିନ ପାଇଁ ଆଖି ବୁଜି ଦେଲେ । କେତେକେ ଏହି କଥା ବିଶ୍ୱାସ କରନ୍ତି ନାହିଁ । ଏବେ ବି ସେ ବଞ୍ଚିଛନ୍ତି ବୋଲି ସେମାନେ କହନ୍ତି ।

ତେବେ ଯାହାହେଉ ପଛେ ଦେଶମାତାକୁ ସ୍ୱାଧୀନ କରିବା ପାଇଁ ତାଙ୍କ ମନର ଆକୁଳତା ଓ ଛାତିର ବଳବହପ ଯୁଗଯୁଗକୁ ଅଭୁଲା ହୋଇ ରହିବ । ସେ ମରିଥିଲେ ମଧ୍ୟ ଅମର ହୋଇ ରହିବେ । ତାଙ୍କର କଥା ଆଜି ସତ ହୋଇଛି । ଆମରି ଦେଶ ଆଜି ସ୍ୱାଧୀନ । ଫିରିଙ୍ଗ ଫଉଜ ହଟି ଯାଇଛନ୍ତି । ବିଦେଶୀ ଶାସନ କଳା ଅନ୍ଧାର ଅପସରି ଯାଇଛି । ତାଙ୍କର ସେଇ ଆଶା ଓ ଆଶ୍ୱାସନାର ବାଣୀ ସବୁଦିନକୁ ସ୍ମରଣୀୟ ହୋଇ ରହିବ ।
ତାଙ୍କରି ଉଦ୍ଦେଶ୍ୟରେ ଆମେ ଆଜି ଗାଇବା:-
ନେତାଜୀ ଆମରି ଦେଶର ଆଗୁଆ ସନ୍ତାନ;
ମାଟି ମାଆ ପାଇଁ ସହିଲା ସେ ଶତ କଷଣ ।
ସାରା ଭାରତକୁ ତତାଇଲା ସିଏ ମତାଇଲା ।
ଜୀବନ ସଳିତା ତିଳ ତିଳ କରି ଜଳାଇଲା ।
ଠେଲିଦେଲା ପାଦେ ସବୁ ସୁଖଶାନ୍ତି ହାକିମାତି;
ବରିନେଲା ଯେତେ ଦୁଃଖଜଞ୍ଜାଳ ମେହନତି ।
ସାଧୀନତାର ସଂଗ୍ରାମ ତାର ସ୍ମରଣୀୟ ।
ଆମରି ମାଟିର ଅମର ଶହୀଦ ବନ୍ଦନୀୟ ।