ପୃଷ୍ଠା:Amari matir amar shaheed.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୀର ସେନାପତି ଦୋରା ବିଶୋଇ

ଅଷ୍ଟାଦଶ ଶତାଦ୍ଦୀଋ ଶେଷ ସମୟ । ଇଂରେଜମାନେ ଭାରତର ବିଭିନ୍ନ ରାଜ୍ୟରେ ରାଜୁତି ଆଋମ୍ଭ କରି ଦେଇଥିଲେ । ସେମାନେ ଆସ୍ତେ ଆସ୍ତେ ସେମାନଙ୍କ କ୍ଷମତା ବିସ୍ତାର କରୁଥାନ୍ତି । କଳେ, ବଳେ ଆଉ କୌଶଳେ । ଭାରତର ଛୋଟ ଛୋଟ ରାଜ୍ୟର ରାଜା ଜମିଦାରମାନେ ନିଜ ନିଜ ଭିତରେ ବାଦବିବାଦ, କଳି ତଳରାଳରେ ଲାଗିଥାନ୍ତି । କେଉଁ ରାଜ୍ୟରେ ରାଜା ଓ ତାଙ୍କ ପୁଅ ଭିତରେ ତ, ଆଉ କେଉଁଠି ରାଜା ଓ ସେନାପତି ମଧ୍ୟରେ ଅପଡ଼ ଓ ଅଶାନ୍ତି । କେଉଁଠି ଜମିଦାର କୃଷକଙ୍କ ମଧ୍ୟରେ ଭୁଲ ବୁଝାମଣା ତ କେଉଁଠି ରାଜା ପ୍ରଜାମାନଙ୍କ ଉପରେ ଅତ୍ୟାଚାର ଚଳାଇଥିଲେ । କେଉଁଠି ରାଜା ଆଉ ଜମିଦାରଙ୍କ ଦୁର୍ବଳତାର ସୁଯୋଗ ନେଇ କର୍ମଚାରୀ କିମ୍ବା ଭାଇ ବିରାଦରଙ୍କର ଶୋଷଣ ଚାଲିଥିଲା ।

ଇଂରେମାନେ ଏଇସବୁ ଗଣ୍ଡଗୋଳ ଆଉ ଅଶାନ୍ତିର ସୁଯୋଗ ନେଉଥିଲେ । କଙ୍କଡ଼ାକୁ ଗୋଳିପାଣି ସୁହାଏ । ସେମାନେ ଏଘର ମାଊସୀ ତ ସେଘର ସେଘର ପିଉସୀ ହୋଇ ନିଜର ଘର ଉଠାଉଥିଲେ । ଦୀପ ତେଜିଲେ ହାତ ଚିକ୍କଣ । ଦୁହିଁଙ୍କ ଭିତରେ ଅଶାନ୍ତିର ନିଆଁଜାଳି ନିଜର ସୁବିଧା କରୁଥିଲେ । ଆଖି ଦେଖାଇ ନିଜ ବଳରେ ଡ଼ରାଇ ଏଇ ରାଜା ଜମିଦାରମାନଙ୍କଠାରୁ କର ଆଦାୟ କରୁଥିଲେ । ଏଇ କରକୁ ପୁଣି ବର୍ଷକୁ ବର୍ଷ ବଢ଼ାଇ ଚାଲିଥିଲେ । ଫଳରେ ଲୋକଙ୍କ ଉପରେ କର ବୋଝ ବଢ଼ି ବଢ଼ି ଚାଲିଥିଲା । ରାଜା ଜମିଦାର ମାନେ ପ୍ରଜାମାନଙ୍କୁ ଧମକାଇ ଚମକାଇ ଏଇ କର ଆଦାୟ କରୁଥିଲେ । କେଉଁଠି ଅବସ୍ଥା ଅସମ୍ଭାଳ ହେଲେ ଲୋକେ ବିଦ୍ରୋହ କରୁଥିଲେ ବା କେଉଁଠି ରାଜା ଜମିଦାରମାନେ ଇଂରେଜମାନ‌ଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲେ ।