ପୃଷ୍ଠା:Bhasa o Jatiyata.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭାଷା ଓ ଜାତୀୟତା
୧୩
 

ଖ୍ରୀଷ୍ଟପୂର୍ବ ଏକାଦଶ ଶତାବ୍ଦୀ ବେଳକୁ ବିକଶିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ବାରମ୍ବାର ବିଦେଶୀ ଆକ୍ରମଣର ଶିକାର ହେବାଦ୍ୱାରା ଏହା ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇଥିଲା । ମାତ୍ର ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇହୁଦୀଜାତି ଏକତ୍ରୀକରଣ ଘଟିବାରୁ ନିଜପାଇଁ ଇସ୍ରାଏଲ୍ ନାମକ ନୂତନ ଦେଶ ଗଠନକଲେ । ଏହାପରେ ଅତୀତର ସେହି ଗୌରବମୟ ମାତୃଭାଷା ହିବ୍ରୁକୁ ପୁନରୁର୍ଦ୍ଧାର କରିବାକୁ ଇହୁଦୀ ଜାତି ଆଗେଇଆସି ଏହାକୁ ନିଜର ରାଷ୍ଟ୍ରଭାଷା ଭାବେ ଗ୍ରହଣ କଲେ । ଏବେ ଏହାର ଲିପିକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ କରି ୧୯୨୬ ମସିହାରୁ ଆରବୀ ବଦଳରେ ରୋମାନ ଲିପିକୁ ଗ୍ରହଣ କରିନେଇଛନ୍ତି । ଅତୀତର ଏହି ସମୃଦ୍ଧଭାଷା ସଂପୂର୍ଣ୍ଣ ଲୋପ ପାଇଯାଇଥିଲା । ମାତ୍ର ଇହୁଦୀଜାତିଠାରେ ସ୍ୱାଭିମାନ ଜାଗରିତ ହେବାରୁ ବର୍ତ୍ତମାନ ତାହା ଜୀବନଲାଭ ସହିତ ଇସ୍ରାଏଲ୍ ଭଳି ପ୍ରାକୃତିକ ସମ୍ବଳହୀନ ଏକ ବାଲୁକାପୂର୍ଣ୍ଣ ଗରିବ ରାଷ୍ଟ୍ରକୁ ସମୃଦ୍ଧଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ମାନ୍ୟତା ପ୍ରଦାନ କରିବାରେ ସହାୟକ ହୋଇଛି ।

ଏହି ପରିପ୍ରେକ୍ଷୀରେ ଆଉ ଦୁଇଟି ଭାଷା ଗ୍ରୀକ ଓ ଇଂରାଜୀକୁ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ । ପୃଥିବୀ ଇତିହାସରେ ସମୃଦ୍ଧନଗର ଭାବେ ବିଖ୍ୟାତ ଛୋଟିଆ ଗ୍ରୀସଦେଶର ମାତୃଭାଷା ‘ଗ୍ରୀକ୍’ରେ ହିଁ ବିଶ୍ୱର ଦୁଇ ପ୍ରାଚୀନ ମହାକାବ୍ୟ ‘ଇଲିଆଡ଼’ ଓ ‘ଓଡ଼େଶୀ’ ରଚିତ ହୋଇଥିଲା । ଦିନଥିଲା ଏହା କେବଳ ସମଗ୍ର ୟୁରୋପ ମହାଶେରେ ନୁହେଁ, ବରଂ ଆଲେକଜାଣ୍ଡାରଙ୍କ ଯୋଗୁଁ ଏହିଭାଷା ଭାରତ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ବାଇବେଲର ନିଉଟେଷ୍ଟାମେଞ୍ଚ ଏହିଭାଷାରେ ଲିଖିତ । ତେବେ ଗ୍ରୀକ୍‌ମାନଙ୍କ ରାଜନୈତିକ କ୍ଷମତା ହ୍ରାସହେବା ସହିତ ସେମାନଙ୍କ ସାମ୍ରାଜ୍ୟ ଓ ଭାଷାର ସୀମା ମଧ୍ୟ ସଂକୁଚିତ ହୋଇଗଲା । ବର୍ତ୍ତମାନ ଗ୍ରୀକ୍‌ଭାଷା ଗ୍ରୀସଦେଶ ମଧ୍ୟରେ ସୀମାବଦ୍ଧ ।

ସେହିଭଳି ମଧ୍ୟ ଜର୍ମାନଭାଷା ପରିବାରର ଇଂଲିଶ-ଫ୍ରିଜିଆନ୍ ଭାଷା ଅନ୍ତର୍ଭୁକ୍ତ ଇଂରାଜୀଭାଷା ଷୋଡ଼ଶ ଶତାବ୍ଦୀରୁ ବିକଶିତ ହେବା ଆରମ୍ଭ କରି ଏବେ ସମଗ୍ର ବିଶ୍ୱ ଭାଷା ହେବାରେ ଗୌରବ ଲାଭ କରିଛି ।

ପ୍ରାଦେଶିକଭାଷା ମଧ୍ୟରେ ଆମ ପଡ଼ୋଶୀ ବଙ୍ଗଳାଭାଷା ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି । ତିନିଶହ ବର୍ଷ ତଳେ ବଙ୍ଗଳାଭାଷାର ଅସ୍ତିତ୍ୱ ନ ଥିଲା । ଦୀର୍ଘଦିନର ମୁସଲମାନ ଶାସନ ଯୋଗୁଁ ତଥା ପଡ଼ୋଶୀ ଆସାମ ଓ ଓଡ଼ିଶାର ସୁଦୃଢ଼ ହିନ୍ଦୁ ଶାସନ ଯୋଗୁଁ ହୁଗୁଳିଠାରୁ କାଳାଦନ ନ‌ଦୀ ମଧ୍ୟସ୍ଥ ବିସ୍ତୀର୍ଣ୍ଣ ଭୂଖଣ୍ଡରେ ପାର୍ଶୀ, ଉର୍ଦ୍ଧୁ, ଓଡ଼ିଆ, ଅସାମିୟା ମିଶା ବିକୃତ ବଙ୍ଗଳାଭାଷା କଥିତ ହେଉଥିଲା । ବିଭିନ୍ନି ଅଞ୍ଚଳରେ ଭିନ୍ନଭିନ୍ନ ଢଙ୍ଗରେ ଏହାସବୁ ଉଚ୍ଚାରିତ ହେଉଥିଲା । ଯେମିତି ଢାକା, ସିଲହଟ, ଅଗରତାଲା, କୁଚବିହାର, ବର୍ଦ୍ଧମାନ, ହୁଗୁଳି, ମଇମନସିଂହ, ପୁରୁଲିଆ ଅଞ୍ଚଳର ଲୋକେ ଅନ୍ୟ ଅଞ୍ଚଳର କଥା କହିପାରୁ ନ ଥିଲେ କିମ୍ବା ବୁଝିପାରୁ ନ ଥିଲେ । ଏହି ଭାଷାଗୁଡ଼ିକ ଅନିର୍ଦ୍ଧିଷ୍ଟ ଭାବରେ ଘୂରି ବୁଲୁଥିଲା ନିଜନିଜ