ପୃଷ୍ଠା:Amari matir amar shaheed.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୯ )

ଖୋର୍ଦ୍ଧାର ପାଇକମାନଙ୍କ ରକ୍ତ ତାତି ଉଠିଲା । ବରୁଣେଇ ପୀଠରେ ଯୁଦ୍ଧର ଘନଘଟା ଲାଗିଗଲା । ଇଂରେଜମାନଙ୍କ କଚେରୀ, ଗାଁଗଣ୍ଡାରେ ଲୁଣ୍ଠନ ଚଳାଇଲେ । ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଚାରିଆଡେ ଯୁଦ୍ଧ ପାଇଁ ସଜବାଜ ଚାଲିଲା ।

୧୮୦୪ ମସିହା ମାର୍ଚ୍ଚ ମାସରେ ଦୁଇହଜାର ପାଇକଙ୍କୁ ଧରି ବାରବାଟୀ ଦୁର୍ଗ ପାଖରେ ପହଞ୍ଚିଲେ । ସେଠାରେ ସେ ହାରକର୍ଟଙ୍କୁ ପୂର୍ବ ଜବାବ ମନେପକାଇ ଦେଇଥିଲେ । ଖୋ୍ର୍ଦ୍ଧା ପାଇକମାନଙ୍କର ଏହି ଅଚାନକ ଆଗମନକୁ କେତେକ ଆକ୍ରମଣ ବୋଲି କହିଲେହେଁ, ପ୍ରକୃତରେ ଫିରିଙ୍ଗ ସରକାରଙ୍କୁ ସେମାନଙ୍କ ବଳବିକ୍ରମ ଦେଖାଇଦେବା ଅସଲ ଉଦ୍ଦେଶ୍ୟ ଥିଲା । ଜୟୀ ରାଜଗୁରୁ ଚାହିଁଥିଲେ ସେତେବେଳେ ବାରବାଟୀ ଦୁର୍ଗକୁ ଅବରୋଧ କରି ନିଜ ଦଖଲରେ ରଖି ପାରିଥାନ୍ତେ । କିନ୍ତୁ ଏହାଦ୍ୱାରା ପରେ ବହୁ ରକ୍ତପାତ ହୋଇଥାନ୍ତା ଏବଂ ଫିରିଙ୍ଗ ଫଉଜ ଓ ହାତ ହତିଆର ପାଖରେ ସେମାନେ ହାର ମାନିଥାନ୍ତେ । ଏହା ଜାଣିବା ତାଙ୍କ ପକ୍ଷେ କଷ୍ଟକର ହୋଇ ନଥିଲା । ହାରକର୍ଟ ମଧ୍ୟ ପ୍ରସ୍ତୁତ ନଥିବାରୁ କୌଣସି ମୁକାବିଲା କରିବାକୁ ଚାହିଁ ନଥିଲେ । ମାତ୍ର ସେ ଖୁବ୍ ବିଚଳିତ ହୋଇ ପଡିଥିଲେ ଆଉ କିଛି (ଚାଳିଶ ହଜାର) ଟଙ୍କା ଦେଇ ପୂର୍ବ ଜବାବର କେତେକାଂଶ ପାଳନ କରିଥିଲେ ।

ତେବେ ସୁବିଧା ସମୟ ଦେଖି ପାଇକମାନଙ୍କ ଉପରେ ଚଢ଼ୋଉ କରିବାକୁ ଫିରିଙ୍ଗ ସେନାପତି ଠିକ୍ କଲେ। ସେତେବେଳେ ବରୁଣେଇ ପାହାଡ ଉପରେ ଘଞ୍ଚ ଜଙ୍ଗଲ । ତା ଭିତରେ ଦୁର୍ଗମ ସ୍ଥାନ ଆଉ ତା ଭିତରେ ଏକ ଅଭେଦ୍ୟ ଗଡ଼ । ସେଠାକୁ ଯିବା ଇଂରେଜମାନଙ୍କ ପକ୍ଷେ ଥିଲା କାଠିକର ପାଠ । ତିନି ସପ୍ତାହ କାଳ ଅବିଶ୍ରାନ୍ତ ଲାଗି ଇଂରେଜ ସୈନ୍ୟମାନେ ସେଇ ଦୁର୍ଗ ଉପରେ ଚଢ଼ୋଉ କରିବାକୁ ପହଞ୍ଚିଲେ ।

ରାଜଗୁରୁଙ୍କ ନିର୍ଦ୍ଦେଶରେ ଗଡ଼ ଭିତରେ ପାଇକ ବାହିନୀ ଛକି ରହିଲେ । ପାଇକ ମାନଙ୍କ ତୀରବାଣ ଫିରିଙ୍ଗି ଫଉଜଙ୍କୁ ଅସ୍ତବ୍ୟସ୍ତ କଲା । କିନ୍ତୁ ନାନା ଷଡଯନ୍ତ୍ର କରି ଶେଷରେ ଇଂରେଜମାନେ ପାଇକମାନଙ୍କୁ ପରାସ୍ତ କଲେ । କିନ୍ତୁ ସେମାନେ ଗଡ଼ ଭିତରେ ପଶିବା ଆଗରୁ ରାଜା