ପୃଷ୍ଠା:Amari matir amar shaheed.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୧୦ )

କେତେକ ବିଶ୍ୱସ୍ତ ପାଇକଙ୍କୁ ସାଥିରେ ନେଇ ଗଡ଼ର ଦକ୍ଷିଣ ଦ୍ୱାର ବାଟେ ଖସି ଚାଲିଗଲେ । ହେଲେ ପଛରେ ସେ ଧରାପଡ଼ି ଥିଲେ । ୧୮୦୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ଖୋରଧା ଗଡ଼କୁ ଇଂରେଜ ମାନେ ଜୟ କରିଥିଲେ ।

ଜୟୀ ରାଜଗୁରୁଙ୍କୁ ବନ୍ଦୀ କରି ଇଂରେଜ ସୈନ୍ୟମାନେ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଥିଲେ । ପ୍ରଥମେ ତାଙ୍କୁ କଟକରେ ବନ୍ଦୀ କରି ରଖାଗଲା । ହାରକର୍ଟଙ୍କ ଆଗକୁ ତାଙ୍କୁ ଅଣାଯାଇଥିଲା । ହାରକର୍ଟ ତାଙ୍କୁ ପଚାରିଲେ-ତୁମେ ନିଜେ ଏସବୁ ଗଣ୍ଡଗୋଳ କରୁଥିଲ ନା ରାଜାଙ୍କର ଶିକ୍ଷାରେ ଏହା କରୁଥିଲ ?

ରାଜଗୁରୁ ବୀର ଦର୍ପରେ ଉତ୍ତର ଦେଇଥିଲେ-ମୁଁ ମୋ ଇଚ୍ଛାରେ ଏସବୁ ଗଣ୍ଡଗୋଳ କରୁଥିଲି । ଅବଶ୍ୟ ଜାତିର ଇଜ୍ଜତ ପାଇଁ, ରାଜାଙ୍କର ସମ୍ମାନ ରକ୍ଷା ପାଇଁ, ଏହାମୁଁ କରିଚି ।

ଅଥଚ ରାଜା ମୁକୁନ୍ଦଦେବ ସବୁଯାକ ଦୋଷ ମନ୍ତ୍ରୀ ରାଜଗୁରୁଙ୍କଉପରେ ଲଦି ନିଜେ ନିର୍ଦ୍ଦୋଷ ଆଉ ତାଙ୍କୁ କ୍ଷମା ଦିଆଯାଉ ବୋଲି ଇଂରେଜ ସରକାରଙ୍କଠାରେ ଗୁହାରି କରିଥିଲେ । ତା ଫଳରେ ତାଙ୍କୁ ବନ୍ଦୀ ଅବସ୍ଥାରୁ ମୁ୍କ୍ତି ମିଳିଥିଲା ଏବଂ ସେ ନିଜ ରାଜ୍ୟର ରାଜସ୍ୱର ଦଶଭାଗରୁ ଏକ ଭାଗ ପେନ୍‌ସନ୍ ଆକାରରେ ପାଇଥିଲେ । ପୁରୀ ମନ୍ଦିର ପରିଚାଳନା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ।

କିନ୍ତୁ ହାୟ, ଜୟୀ ରାଜଗୁରୁ ରାଜାଙ୍କର ସମ୍ମାନ ଓ ଜାତିର ସମ୍ମାନ ରକ୍ଷା କରିବାକୁ ଯାଇ ନିଜର ଜୀବନକୁ ହସିହସି ବଳି ଦେଇଥିଲେ । ସେ ବନ୍ଦୀହୋଇ ମେଦିନୀପୁର ଜେଲକୁ ନିଆଯାଇଥିଲେ । ସେଠାରେ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ନିଜ ଜାତି ପାଇଁ ସେ ଯାହା କରିଯାଇଛନ୍ତି, ତାହା ଠିକ୍ ବୋଲି ଶେଷ ପର୍ଯ୍ୟନ୍ତ ସେ ନିର୍ଭୀକଭାବରେ ଘୋଷଣା କରିଥିଲେ । ଖୋର୍ଦ୍ଧା ରାଜାଙ୍କୁ ମୁଳ ସାକ୍ଷୀଭାବରେ ଧରି ମେଦିନୀପୁରର "ବାଘିତୋଟା"ଠାରେ ତାଙ୍କର ବିଚାର ହେଲା । ଇଂରେଜ ଶାସନ ବିରୁଦ୍ଧରେ କାର୍ଯ୍ୟ କରିଥିବାରୁ ଏବଂ ବହୁ ନରହତ୍ୟା ସହିତ ଜଡ଼ିତ ଥିବା ଅପରାଧରେ ତାଙ୍କୁ ପ୍ରାଣଦଣ୍ଡ ଆଦେଶ ମିଳିଲା । ଏହା ୧୮୦୫ ମସିହାର କଥା ।