ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କରାଯାଇଥିଲା। ମାତ୍ର ପଣ୍ଡିତ ନୀଳକଣ୍ଠ ପ୍ରବନ୍ଧମାନଙ୍କ ମାଧ୍ୟମରେ ଉଦାହରଣ ସହିତ ବ୍ୟଙ୍ଗ ଭାଷାରେ ଏହାର ପ୍ରତିବାଦ କରିବା ସହ କପୋତେଶ୍ୱରଠାରେ ଉପସ୍ଥିତ ରହି ରକ୍ଷଣଶୀଳମାନଙ୍କୁ ଯୁକ୍ତି ଦ୍ୱାରା ପରାସ୍ତ କରିବା ଫଳରେ ତାଙ୍କୁ ସମାଜରୁ ବାହାର କରିବା ଉଦ୍ୟମ ପଣ୍ଡ ହୋଇଯାଇଥିଲା। ବିପଦ ସମୟରେ ଅସାମୀ ଧୈର୍ଯ୍ୟ ଓ ପ୍ରତିରୋଧରେ ସିଂହ ବିକ୍ରମରେ ଲଢିବା ଏବଂ ଶାସ୍ତ୍ର ଅନଭିଜ୍ଞ ଲୋକ ବିଶ୍ୱାସ ବା କୁସଂସ୍କାରକୁ ଶାସ୍ତ୍ର ଜ୍ଞାନରେ ପରାଭୂତ କରି ଦୂର କରିବା ଦିଗରେ ନୀଳକଣ୍ଠ ଅଗ୍ରଣୀ ଥିଲେ। ସତ୍ୟବାଦୀ ସ୍କୁଲ୍ ର ଛାତ୍ରମାନେ ମଧ୍ୟ ଏହା ଶିକ୍ଷା କରୁଥିଲେ। ସେଥିପାଇଁ ସତ୍ୟବାଦୀ ଡାକ୍ତରଖାନାରେ ଛାତ୍ରମାନେ ସାମୟିକ ଭାବରେ ରୋଗୀ ସେବାରେ ମଧ୍ୟ ତାଲିମ ନେଉଥିଲେ। ଏହା ସତ୍ୟବାଦୀ ଶିକ୍ଷା ବିଧାନରେ ସ୍ଥାନ ପାଇଥିଲା। ଘରପୋଡି ସମୟରେ ଛାତ୍ରମାନେ ପାଖ ଆଖ ଗ୍ରାମମାନଙ୍କରେ ଯାଇ ନିଆଁ ଲିଭାଇବା ମଧ୍ୟ ସେହି ସମୟରେ ଶିକ୍ଷା ଦିଆଯାଇଥିଲା। ଏସବୁରେ ପଣ୍ଡିତ ନୀଳକଣ୍ଠ ପିଲାଙ୍କୁ ନେଇ ସେ ସ୍ଥଳକୁ ଯାଉଥିଲେ। ଏହି କାର୍ଯ୍ୟଗୁଡିକ ଦ୍ୱାରା ଶିକ୍ଷା ସହିତ ସମାଜସେବା ଓ ସଂସ୍କାର,ବ୍ୟବହାରିକ ଜ୍ଞାନ ପ୍ରଭୃତି ନୀଳକଣ୍ଠ ପିଲାମାନଙ୍କୁ ଶିକ୍ଷାଦେବା ପାଇଁ ଉଦ୍ୟମ କରିଥିଲେ। ଆମ ରାଜ୍ୟର ଏହି ସ୍ୱନାମଧନ୍ୟ ଶିକ୍ଷକ ୧୯୬୭ ମସିହା ନଭେମ୍ବର ୬ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ନୀତିନିଷ୍ଠ, ସମର୍ପିତପ୍ରାଣ ଶିକ୍ଷକ ଭାବରେ ପଣ୍ଡିତ ନୀଳକଣ୍ଠ କେବଳ ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ପରିସରକୁ କାଳର କଷଟୀରେ ମହିମାନ୍ୱିତ କରି ନଥଲେ, ଶିକ୍ଷକୀୟ ମହତ୍ତ୍ୱକୁ ସ୍ୱଦେଶରେ ପ୍ରତିଷ୍ଠିତ କରିବାଲାଗି ତାଙ୍କର ସଦୁଦ୍ୟମ ଥିଲା କାଳୋତ୍ତୀର୍ଣ୍ଣ।


(ଛବି)