ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗୋପାଳପୁର ବନ୍ଦରବାଟେ ସେମାନେ ରେଙ୍ଗୁନ ଯାତ୍ରା କଲେ । ବାମନବାବୁ ତାଙ୍କର ରେଙ୍ଗୁନ ଯିବା ଅନୁଭୂତି ଏକ ଟୀପ୍ପା ଖାତାରେ ଲେଖିଛନ୍ତି । "ଆମେ ଦୁହେଁ ଯାତ୍ରା କରିବା ଦିନ ମେଘୁଆ ପାଗ । ଜାହାଜ ବନ୍ଦର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥାଏ । ଆମ୍ଭେମାନେ ପଢଉରେ ବସିଲୁ, ତୋଫାନ ବହିଲା । ଆମ୍ଭମାନଙ୍କୁ ଶୋଲଥିବା ଜ୍ୟାକେଟ୍-ଟିଏ ଲେଖାଏଁ ପିନ୍ଧାଇ ଦିଆଗଲା । ଆମେ ଦେଖିଲୁ, ଗୋଟିଏ ପଢଉ ପାଣିରେ ଓଲଟି ପଡ଼ିଛି । ଶୋଲ ଜ୍ୟାକେଟ୍ ପିନ୍ଧିଥିବାରୁ ତା'ର ଯାତ୍ରୀମାନେ ଭାସି ଭାସି କୂଳରେ ଲାଗି ଗଲେ । ଉଚ୍ଚା ଲହଡ଼ି ଯୋଗୁଁ ପଢ଼ଉ ଉପରକୁ ଭାସିଉଠେ । ଯାତ୍ରୀମାନେ ଦୁଇ ବାହୁ ଉପରକୁ ଟେକି ପଢ଼ଉ ଉପରେ ଛିଡା ହୋଇ ରହନ୍ତି । ନୋଳିଆମାନେ କାଠପଟା ଉପରେ ଛିଡ଼ାହୋଇ ଯାତ୍ରୀମାନଙ୍କୁ ଜାହାଜ ଉପରକୁ ଟେକି ଦିଅନ୍ତି । କଷ୍ଟେ ମଷ୍ଟେ ଆମେ ଜାହାଜ ଭିତରେ ପ୍ରବେଶ କଲୁ ।

ଜାହାଜ ଚାଲିଛି। ଦିନରାତି ଚାଲିଛି। ଜାହାଜଟିରେ ବହୁ ଦକ୍ଷିଣ ଯାତ୍ରୀ ।ଆମେ ଦୁହେଁ ତୃତୀୟଶ୍ରେଣୀ ଯାତ୍ରୀ ।ତୃତୀୟ ଶ୍ରେଣୀ ଯାତ୍ରୀମାନେ ସାଧାରଣତଃ ଜାହାଜର ଉପର ଭାଗରେ ପଟା ପକାଇ ତା' ଉପରେ ବସନ୍ତି।ଉପର ଖୋଲା ଆକାଶ । ପାଗ ଖରାପ ଥିଲେ ବା ବର୍ଷା ହେଲେ ଜାହାଜ ଭିତରେ ପଟି ବା ବିଛଣା ପାରି ବସନ୍ତି ।

ଏହିପରି ଦୟନୀୟ ଓ ବିପଜ୍ଜନକ ଅବସ୍ଥାରେ ସମୁଦ୍ର ଯାତ୍ରା କରି ନୂତନ ହାଇସ୍କୁଲ ପାଇଁ ରେଙ୍ଗୁନ୍ ପରି ବିଦେଶରୁ ଚାନ୍ଦା ସଂଗ୍ରହ କରିବାକୁ ଦୁଇଜଣ ଶିକ୍ଷକ ଯିବା ଆଜିକାଲି ଅଚିନ୍ତନୀୟ । ପୁଣି ସେମାନେ ଜାହାଜରେ ଯିବା ଫଳରେ ସମୁଦ୍ରର ଲୁଣୀ ବାୟୁରେ ବାନ୍ତି ଓ ଦରିଆ ବେମାରି ରେ ଆକ୍ରାନ୍ତ ହେଲେ ।ସାଥୀରେ ନେଇଥିବା ଚୁଡା, ଚିନି, ଲେମ୍ବୁ, ମିଶ୍ରୀ ଓ କଦଳୀ ଆହାର କରି ସେମାନେ ଯାତ୍ରା କରିଥିଲେ ।ସେଠାରେ ବାଣପୁର ଓ ଗଞ୍ଜାମର ଅନେକ ଲୋକଥିଲେ ହେଁ ଅଧିକାଂଶ ଶ୍ରମିକ ଶ୍ରେଣୀର ଏବଂ ଧନୀମାନେ କୁଲିସର୍ଦ୍ଦାର ହୋଇଥିବାରୁ ନାନା ଭୟ ଓ ଆଶଙ୍କାର ଶିକାର ହେଲେ ବିଶ୍ବନାଥ ବାବୁ ।ଆନ୍ତ୍ରିକ ଜ୍ବରରେ [ଟାଇଫଏଡ଼] ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ପଡିଲେ । ବାମନ ବାବୁ ତାଙ୍କ ଚିକିତ୍ସା ଓ ସେବାଯତ୍ନରେ ବ୍ୟସ୍ତ ରହିଲେ ।

ଏହି ହାଇସ୍କୁଲ ଆଜି ଗୋଦାବରୀଶ ବିଦ୍ୟାପୀଠ ନାମରେ ସୁପରିଚିତ ଓ ସୁପ୍ରତିଷ୍ଠିତ ହୋଇ ଉଠିଛି । ମାତ୍ର ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି କଲେଜ ନ ଥିବାରୁ